ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ‘ବୁଲବୁଲ୍’ ; ଓଡ଼ିଶାକୁ ବିପଦ ଟଳିନି

– ପାରାଦ୍ବୀପଠାରୁ ୧୩୪କିମି ଦୂରରେ ଅତିକ୍ରମ କରିବ,  -୨୪ଘଣ୍ଟାରେ ଭୀଷଣ ବର୍ଷା, ୯୦କିମି ଟପିବ ପବନ,            -ମୁତୟନ ହେଲେ ଓଡ଼୍ରାଫ, ଏନଡ଼ିଆରଏଫ,ଅଗ୍ନିଶମବାହିନୀ, -ପରିସ୍ଥିତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ ସଚିବ,         
-ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର ପାଇଁ ଜିଲାପାଳଙ୍କୁ ନିର୍ଦେଶ,  -ବାତ୍ୟା ସଜାଗ ପାଇଁ ୪ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

-ପାରାଦ୍ବୀପଠାରୁ ୧୩୦ କି.ମି ଦୂରରେ ‘ବୁଲବୁଲ୍’

– ଦିନ ୧୦ଟା ସୁଦ୍ଧା ‘ବୁଲବୁଲ୍’ ଓଡ଼ିଶା ଅତିକ୍ରମ କରିବା ସମ୍ଭାବନା

– ପାରାଦ୍ବୀପରେ ୧୪୬  ମିମି. ବର୍ଷା, -ଚାନ୍ଦବାଲିରେ ୧୧୩ ମିମି. ବର୍ଷା,ବାଲେଶ୍ବରରେ ୨୩ ମିମି ବର୍ଷା

– ଜଗତସିଂହପୁରରେ ୩୫୦ ଓ ବାଲେଶ୍ବରରେ ୩୧୧ ଲୋକଙ୍କୁ  ସ୍ଥାନାନ୍ତର କରାଯାଇଛି                                                                  

ଭୁବନେଶ୍ୱର : ବୁଲବୁଲ ଓଡ଼ିଶା ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ହେଁ ଓଡ଼ିଶା ଉପରୁ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ଏବେ ଭୟଙ୍କର ରୂପ ନେଇଥିବା ବାତ୍ୟା ପାରାଦ୍ବୀପ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ୯୦କିମି ଅତିକ୍ରମ କରିବାର ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଜିଲାଗୁଡ଼ିକ ପ୍ରତି ବର୍ଷା ଆଉ ପବନର ବିପଦ ରହିଛି। ଅମଳ ଅପେକ୍ଷାରେ ଥିବା ଫସଲ ଉଜୁଡ଼ିବାର ଆଶଙ୍କା ଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସାରା ଉପକୂଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ସମୁଦ୍ରିକ ଝଡ଼ରେ ପରିଣତ ହୋଇଥିବା ‘ବୁଲବୁଲ’ ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୭କିମି ବେଗରେ ଉତ୍ତର ଦିଗରେ ଆଗଉଛି। ବାତ୍ୟା ପାରାଦ୍ବୀପଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୦୦କିମି ଦୂରରେ ରହିଛି। ଏହା ପଶ୍ଚିମବଙ୍ଗ ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୩୯୦କିମି ଏବଂ ବାଂଲାଦେଶର ଖେପୁପରାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦କିମି ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅଧିକ ତୀବ୍ର ରୂପ ଧାରଣ କରିବ। ୯ତାରିଖ ସକାଳେ ବାତ୍ୟା କିଛି ଘଣ୍ଟା ଉତ୍ତର ଦିଗରେ ଗତି କରି ପୁନର୍ବାର ଗତିପଥ ବଦଳାଇ ଉତ୍ତର ପୂର୍ବରେ ମୁହଁାଇବ। ‘ବୁଲବୁଲ’ ପଶ୍ଚିମବଙ୍ଗ -ବାଂଲାଦେଶ ଉପକୂଳରେ ସାଗର ଦ୍ବୀପ(ପଶ୍ଚିମବଙ୍ଗ) ଏବଂ ଖେପୁପରା (ବାଂଲାଦେଶ) ମଧ୍ୟ ଦେଇ ୯ତାରିଖ ମଧ୍ୟରାତ୍ରିରେ ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେବା ସହିତ ସୁନ୍ଦରବନ ଦ୍ବୀପାଞ୍ଚଳ ଦେଇ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦କିମି ରହିବ ଏବଂ ସ୍ଥଳ ବି​‌େ​‌ଶଷରେ ପବନର ପ୍ରାୟ ୧୩୫କିମି ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି।
ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ‌ଆସନ୍ତାକାଲି ଉତ୍ତର ଓଡ଼ିଶା ଉପକୂଳରେ ୯୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିସହିତ ଉତ୍ତର ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ସନ୍ଧ୍ୟାରେ ଜାରି ବୁଲେଟିନରେ କୁହାଯାଇଛି ଯେ ଶୁକ୍ରବାର ସକାଳଠାରୁ ଶନିବାର ସକାଳ ସାଢ଼େ ୮ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ ମଧ୍ୟମ ଧରଣର ବର୍ଷା ହେବ। ବି​‌େଶ‌ଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ୪ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଯାଜପୁର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
କେନ୍ଦ୍ର କ୍ୟାବିନେଟ ସଚିବ ଭିଡ଼ିଓ କନଫରେନ୍ସିଂ ଜରିଆରେ ‘ବୁଲବୁଲ’ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନେଇ ତାଙ୍କୁ ଅବଗତ କରାଯାଇଥିବା ଏସଆରସି ପ୍ରଦୀପ ଜେନା ସାମ୍ବାଦିକମାନଙ୍କୁ କହିଛନ୍ତି।
ଶ୍ରୀ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରଭାବିତ ହେବାକୁ ଥିବା ୯ଟି ଜିଲାରେ ଦୁଇଟି ଲେଖାଏଁ ଓଡ଼୍ରାଫ ଏବଂ ଗୋଟିଏ ଲେଖାଏଁ ଏନଡ଼ିଆରଏଫ ଟିମ ସହିତ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି।
ସମୁଦ୍ର ମଧ୍ୟରେ ରହିଯାଇଥିବା ପଶ୍ଚିମବଙ୍ଗର ପ୍ରାୟ ୫୦ ମତ୍ସ୍ୟଜୀବୀ ପାଣିପାଗ ବିଭାଗର ସତର୍କ ସୂଚନା ପାଇ ଧାମରା ବନ୍ଦରକୁ ଫେରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକୁ ରକ୍ଷା କରି ଓଡ଼ିଶା ସରକାର ମତ୍ସ୍ୟଜୀବୀଙ୍କୁ ସବୁ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ବାତ୍ୟା ସମୟରେ କେହି ପଦାକୁ ନ ବାହାରିବାକୁ ଅନୁରୋଧ କରାଯାଇଛି। ସମୁଦ୍ର ମଧ୍ୟକୁ ନଯିବା ପାଇଁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
ଏସଆରସି କହିଛନ୍ତି ଯେ ‘ବୁଲବୁଲ’ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବାତ୍ୟା ପାରାଦ୍ବୀପଠାରୁ ୧୩୪କିମି ଦୂରତାରେ ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି। ତେଣୁ ୯ତାରିଖ ସକାଳୁ ୧୦ ତାରିଖ ସକାଳ ମଧ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ପୁରୀ, ମୟୂରଭଞ୍ଜ ଓ ଯାଜପୁର ଜିଲାରେ ମଧ୍ୟ ବର୍ଷା ହେବ । ଏଥିପାଇଁ ସବୁ ଜିଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏବେ ସମୁଦ୍ରରେ କୌଣସି ମାଛଧରା ବୋଟ୍‌ ନାହିଁ। ତେବେ ପାଞ୍ଚ ମାସ ତଳେ ‘ଫଣି’ ପ୍ରଭାବରେ ଦୁର୍ବଳ ଅବସ୍ଥାରେ ଥିବା ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ଏଥିପାଇଁ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ବରେ ୫ଟି ଟିମ୍ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ ଓ ରାସ୍ତା ସଫା କରିବାକୁ ନିର୍ଦେଶ ଦିଆଯାଇଛି। ୧୦ତାରିଖ ସୁଦ୍ଧା ପରିସ୍ଥିତିରେ ଉନ୍ନତି ଘଟିବ ବୋଲି ସେ କହିଛନ୍ତି।
ଶୁକ୍ରବାର ଅପରାହ୍ନ ସୁଦ୍ଧା ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ୧୩୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା। ପରବର୍ତ୍ତୀ ୧୨ ଘଣ୍ଟାରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବା ସମୟରେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା ଅତି ଭୀଷଣ ରୂପ ନେବା ସହିତ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ ଏବଂ ସ୍ଥଳ ବି​‌େଶ‌ଷରେ ୧୭୫କିମିକୁ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆଜି ଅପରାହ୍ନ ସୁଦ୍ଧା କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ଭଦ୍ରକ ଜିଲାରେ ପବନର ଘଣ୍ଟା ପ୍ରତି ବେଗ ଥିଲା ଘଣ୍ଟା ପ୍ରତି ୫୫ରୁ ‌ ୬୫କିମି । ଆସନ୍ତାକାଲି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲା ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦କିମିରେ ପହଞ୍ଚିବା ସହିତ ସ୍ଥଳ ବି​‌େ​‌ଶଷରେ ଏହା ଘଣ୍ଟା ପ୍ରତି ୯୦କିମିରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ​‌ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ଓ ଗଞ୍ଜାମ ଜିଲାରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ପଶ୍ଚିମବଙ୍ଗ ଉପକୂଳରେ ପବନର ବେଗ ଆଜି ରାତିରୁ ଘଣ୍ଟା ପ୍ରତି ୬୦କିମି ବେଗରେ ପବନ ବହିବା ସହିତ ୯ତାରିଖ ମଧ୍ୟରାତ୍ରୀ ଏବଂ ୧୦ତାରିଖ ପୂର୍ବାହ୍ନ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦କିମି ବେଗରେ ବହିବ। କିଛି ଅଞ୍ଚଳରେ ପବନର ବେଗ ୧୩୫କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୂର୍ବ ମେଦିନିପୁର, ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣାରେ ପବନର ବେଗ ଅଧିକ ରହିବ।
ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ଆଜି ଓ ଆସନ୍ତାକାଲି ସମୁଦ୍ର ଅଶାନ୍ତ ରହିବ। ବାତ୍ୟା ଗତି କରିବାକୁ ଥିବା ଅଞ୍ଚଳରେ ସମୁଦ୍ର ଖୁବ୍ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରାୟ ୨ମିଟର ଉଚ୍ଚତାରେ ଜୁଆର ଉଠିବା ସହିତ ତଳିଆ ଅଞ୍ଚଳ ଜଳପ୍ଳାବିତ ହେବାର ସମ୍ଭାବନା ରହିଛି। ରାଜ୍ୟର ସବୁ ବନ୍ଦରରେ ତିନିନମ୍ବର ବିପଦସଙ୍କେତ ଜାରି କରାଯିବା ସହିତ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ବୁଲବୁଲ ଓଡ଼ିଶା ଉପକୂଳକୁ ଛୁଇଁବାର ସମ୍ଭାବନା ନଥିଲେ ହେଁ ବାତ୍ୟା ଅତିକ୍ରମ କରିବା ସମୟରେ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲାର କଚ୍ଚା ଘର, କୁଡ଼ିଆ, ଆଜବେଷ୍ଟସ କ୍ଷତିଗ୍ରସ୍ତ ହେବା, ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ିବାର ସମ୍ଭାବନା ରହିଛି। ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅମଳ ଅବସ୍ଥାରେ ଥିବା ଧାନ ଓ ଅନ୍ୟାନ୍ୟ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇପାରେ। ଏଥିପାଇଁ ସତର୍କ ରହିବାକୁ ଚାଷୀକୁଳକୁ ପରାମର୍ଶ ଦିଆଯାଇଛି।

Comments are closed.