ଭୁବନେଶ୍ବରରୁ ବୁଲିବାକୁ ଆସିଥିବା ଠିକାଦାରଙ୍କୁ ନେମାଳ ପୀଠରୁ ଅପହରଣ

ନେମାଳ: ଭୁବନେଶ୍ବରରୁ ସପରିବାର ବୁଲିବାକୁ ଆସିଥିବା ଜଣେ ଠିକାଦାରଙ୍କୁ ରବିବାର ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପରିସରରୁ ଦିନ ଦ୍ୱିପ୍ରହରରେ ଅପହରଣ କରିନିଆଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଆଲୋଡ଼ନ ସୃଷ୍ଟି କରିଛି। ଅପହୃତ ଠିକାଦାର ହେଉଛନ୍ତି ସୁଧେନ୍ଦୁ ଚନ୍ଦ୍ର ମହାପାତ୍ର। ସେ ଭୁବନେଶ୍ବର ଭୀମଟାଙ୍ଗୀ ଏଚବି କଲେଜ ନିକଟରେ ରୁହନ୍ତି। ସୁଧେନ୍ଦୁ ରବିବାର ପତ୍ନୀ ଲୋପାମୁଦ୍ରା ମହାପାତ୍ର ଏବଂ ତାଙ୍କର ଦୁଇ ଝିଅଙ୍କ ସହିତ ନେମାଳ ପୀଠକୁ ମାନସିକ ଚୁଟି ପକାଇବାକୁ ଏକ କାର ଯୋଗେ ଆସିଥିଲେ। ମାନସିକ ଚୁଟି ପକାଇ ସୁଧେନ୍ଦୁ ବେଢା ପରିକ୍ରମା କରୁଥିଲେ। ଏହି ସମୟରେ ଏକ ସ୍କର୍ପିଓ ପୀଠ ପରିସରରେ ଆସି ପହଞ୍ଚିଥିଲା। ସେଥିରେ ୫ରୁ ୬ଜଣ ବ୍ୟକ୍ତି ଆସିଥିବା ବେଳେ ୩ଜଣ ବ୍ୟକ୍ତି ବାହାରକୁ ଆସି ସୁଧେନ୍ଦୁଙ୍କ ନିକଟକୁ ଯାଇଥିଲେ। ସେଠାରେ ସୁଧେନ୍ଦୁଙ୍କ ସହିତ କିଛି ସମୟ କଥା ହେବା ସହିତ ଟାଣିନେଇ ଗାଡି ଭିତରେ ପଶିଯାଇଥିଲେ। ସେଠରେ କିଛି ବ୍ୟକ୍ତି ପଚାରିବାରୁ ସେମାନେ ନିଜକୁ ପୁଲିସ ପରିଚୟ ଦେବା ସହ ଲୋକଙ୍କୁ ଧମକାଇ ସୁଧେନ୍ଦୁଙ୍କୁ ଅପହରଣ କରିନେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପରିବାର ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି।