ବୁଦ୍ଧନାଥ ମନ୍ଦିରରୁ ମିଳିଲା ହିନ୍ଦୀ ମିଶ୍ରିତ ଓଡ଼ିଆ ଶିଳାଲିପି

0

ଭୁବନେଶ୍ୱର: ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ି ପାଞ୍ଚଣ ଗ୍ରାମରେ ଥିବା ଦ୍ୱାଦଶ ଶତାବ୍ଦୀର ବୁଦ୍ଧନାଥ ମନ୍ଦିର ପରିସରରୁ ମିଳିଛି ହିନ୍ଦୀ ମିଶ୍ରିତ ଓଡ଼ିଆ ଶିଳାଲିପି। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ସହାୟକ ପ୍ରଫେସର ଅନାମ ବେହେରା, କୈବଲ୍ୟ ପତି, ସବ୍ୟସାଚୀ ନାୟକ ପ୍ରମୁଖ ବୁଦ୍ଧନାଥ ପରିଦର୍ଶନ, ସର୍ବେକ୍ଷଣ ଓ ଅନୁସନ୍ଧାନ କରିଛନ୍ତି। ସେମାନେ ବୁଦ୍ଧନାମ ମନ୍ଦିର ପରିସରରେ ୨.୫ଫୁଟ ଉଚ୍ଚତା ଏବଂ ୨ଫୁଟ ଓସାରର ଏକ ମସୃଣ ପଥର ଉଦ୍ଧାର କରିଥିଲେ। ଅତି ସୁକ୍ଷ୍ମ ଭାବରେ ନିରୀକ୍ଷଣ କରି ଏକ ଶିଳାଲିପିଠାରୁ ୨ଟି ଗୁଣରେ ଭିନ୍ନ ଅଟେ ବୋଲି ଆକଳନ କରିଥିଲେ। ଏଥିରେ ୫ଧାଡ଼ିର ଲେଖା ରହିଛି। ଏହା ହିନ୍ଦୀ ମିଶ୍ରିତ ଓଡ଼ିଆ ଲେଖାର ଏକ ସମାହାର। ଏହି ଶିଳାଲିପିରେ ୫୪ଟି ଅକ୍ଷର ରହିଛି। ସେଥିମଧ୍ୟରେ ୪୫ଟି ହିନ୍ଦୀ ଅକ୍ଷର ଏବଂ ୯ଟି ଓଡ଼ିଆ ଅକ୍ଷର ରହିଛି। ଓଡ଼ିଆ ଅକ୍ଷର ମଧ୍ୟରେ ‘ନି’, ‘ସ’, ‘ରା’, ‘ବା’, ‘ପି’ ଭଳି ଓଡ଼ିଆ ଅକ୍ଷରମାନ ଦେଖିବାକୁ ମିଳୁଛି। ଅନ୍ୟ ପାର୍ଶ୍ବରେ ୫ଟି ହିନ୍ଦୀ ଅକ୍ଷର ଲେଖା ରହିଛି। ଯାହା ମୂଳ ଶିଳାଲିପିଠାରୁ ଅକ୍ଷରରେ ଅନେକ ଛୋଟ। ତାଳପତ୍ର ପୋଥିର ଅନ୍ତିମ ପର୍ୟ୍ୟାୟରେ ଯେଉଁଭଳି ଭାବରେ ଲେଖକଙ୍କ ସ୍ୱାକ୍ଷର ରହିଥାଏ, ଏହା ସେହିଭଳି ଦେଖାଯାଉଛି।
ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ରୂପେ ମାନ୍ୟତା ଲାଭ କରିସାରିଥିବା ପରିପ୍ରେକ୍ଷୀରେ ହିନ୍ଦୀ ଶବ୍ଦାବଳୀ ଥାଇ ଓଡ଼ିଆ ଶବ୍ଦର ସମାହାରକୁ ନେଇ ନୂଆ ଦିଗ ଉନ୍ମୋଚନ କରିବାର ଆଶା କରାଯାଇପାରେ। ଏହାର ପାଠୋଦ୍ଧାର ସାଙ୍ଗକୁ ଅଧିକ ଗବେଷଣା ଜରୁରୀ ବୋଲି ବୋଲି ସହାୟକ ପ୍ରଫେସର ଅନାମ ବେହେରା ପ୍ରକାଶ କରିଛନ୍ତି।
ଗାରେଡ଼ି ପାଞ୍ଚଣସ୍ଥିତ ବୁଦ୍ଧନାଥ ମନ୍ଦିରରେ ଭଗବନା ଶିବ ପୂଜା ପାଉଛନ୍ତି। ତାନ୍ତ୍ରିକ ତତ୍ତ୍ୱ ଆଧାରରେ ମନ୍ଦିରଟି ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ନିର୍ମିତ। ସର୍ପ ଦଂଶନର ଶିକାର ବ୍ୟକ୍ତିଙ୍କୁ ବୁଦ୍ଧନାଥ ମନ୍ଦିରକୁ ଅଣାଗଲେ ତା’ର ମୃତ୍ୟୁ ହୁଏ ନାହିଁ ବୋଲି ଏହାର ବିଶେଷତ୍ୱ ରହିଛି।
କିଛି ବର୍ଷ ପୂର୍ବେ ଉକ୍ତ ମନ୍ଦିରର ପ୍ରାଚୀର ନିର୍ମାଣ ନିମନ୍ତେ ଗାତ ଖୋଳାଯାଉଥିବାବେଳେ କିଛି ବୁଦ୍ଧମୂର୍ତ୍ତି ସହ ଅନ୍ୟାନ୍ୟ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଅଦ୍ୟାବଧି ଉକ୍ତ ମୂର୍ତ୍ତିଗୁଡ଼ିକ ସେହି ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପିଣ୍ଡି ଉପରେ ରଖାଯାଇଛି। ସେଥିମଧ୍ୟରୁ କିଛି ମୂର୍ତ୍ତି ବୌଦ୍ଧଧର୍ମର ବୋଲି ଜଣାପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ କାର୍ତ୍ତିକ, ଦୁର୍ଗା, ଗଣେଶ ଓ ଅନେକ ସ୍ଥାପତ୍ୟ କୀର୍ତ୍ତିରାଜି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଜଣେ ପୁରୁଷଙ୍କୁ ମହିଳାଟିଏ କୋଳରେ ଧରିଥିବା ସ୍ଥାପତ୍ୟକଳା ଏଠାରେ ସ୍ଥାନ ପାଇଛି, ଯାହାକୁ ସ୍ଥାନୀୟ ଲୋକେ ସତ୍ୟବାନ ଓ ସାବିତ୍ରୀ ଭାବେ ବିବେଚନା କରି ପୂଜାର୍ଚ୍ଚନା କରୁଛନ୍ତି। ଏଭଳି ପ୍ରତିମୂର୍ତ୍ତି ପ୍ରାୟତଃ ଅନ୍ୟ କୌଣସି ମନ୍ଦିରରେ ଦେଖାଯାଉନଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Leave A Reply