ପିଲାଙ୍କୁ ଭରସା କାଠ ନିଶୁଣି

0

ଲମତାପୁଟ: ସ୍ଥାନୀୟ ଉପାପଡା ନଦୀ ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଏହି ସମସ୍ୟା ହୋଇଥିବା ବେଳେ ଛାତ୍ରଛାତ୍ରୀ ଓ ଜନସାଧାରଣ ଏହାର ଶିକାର ହେଉଛନ୍ତି। ଦୀର୍ଘ ୪ ବର୍ଷ ହେଲା ପୋଲ ତିଆରି ଚାଲିଛି; ହେଲେ ଶେଷ ହେବାର ନାଁ ଧରୁନି। କାମ ଦାୟିତ୍ୱ ନେଇଥିବା ଠିକାଦାର ଜଣକ କାମ ଶେଷ କରୁ ନାହାନ୍ତି। ବର୍ଷା ଋତୁ ଆସି ଯାଇଥିବାରୁ ଏବେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏକ କାଠ ନିଶୁଣିରେ ଚଢି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି। ବିପଦପୂର୍ଣ୍ଣ ଭାବେ ଏମାନେ ପ୍ରତିଦିନ ଯା’ଆସ କରୁଥିବା ବେଳେ ଏଥିପ୍ରତି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି। କାଠ ନିଶୁଣିରେ ପ୍ରତିଦିନ ଛାତ୍ରଛାତ୍ରୀ ଓ ଜନସାଧାରଣ ଜୀବନକୁ ବାଜି ନଦୀ ଆର ପଟକୁ ଯାଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଏହି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲା ଲମତାପୁଟ ବ୍ଲକ ଉପାପଡା ନଦୀରେ ବ୍ରିଜ ତିଆରି ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଥିଲେ। ବହୁ ବିଳମ୍ବରେ ପ୍ରଶାସନ ଏମାନଙ୍କ କଥା ଶୁଣି ଉପାପଡା ନଦୀରେ ବ୍ରିଜ୍‍ ତିଆରି ପାଇଁ ଅନୁଦାନ ମଞ୍ଜୁର କଲେ। ଜଣେ ଠିକାଦାରଙ୍କୁ ଏହାର
ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ୟା ଭିତରେ ୪ ବର୍ଷ ବିତିଯାଇଥିଲେ ବି ବ୍ରିଜ କାମ ଶେଷ ହୋଇପାରି ନାହିଁ। ପୋଲଟିର ଉଭୟ ପାର୍ଶ୍ବରେ ସଂଯୋଗ ରାସ୍ତା ତିଆରି ହୋଇପାରିନାହିଁ। ଫଳରେ ପୋଲର ଉଭୟ ପାର୍ଶ୍ବରେ ଦୁଇଟି କାଠ ନିଶୁଣି ପକାଇ ଗ୍ରାମବାସୀ ନିୟମିତ ଯା’ଆସ କରୁଛନ୍ତି। ସ୍କୁଲପିଲାମାନେ ମଧ୍ୟ ଅତ୍ୟନ୍ତ ବିପଦ ସଂଙ୍କୁଳ ସ୍ଥିତିରେ ନିଶୁଣିରେ ଉଠି ନଦୀ ପାର ହେଉଛନ୍ତି। ବର୍ଷାଦିନେ ନଦୀରେ ପାଣି ଥିବାରୁ ଗ୍ରାମବାସୀଙ୍କ ଲାଗି ସମସ୍ୟା ଅଧିକ ଜଟିଳ ହୋଇପଡ଼ିଛି।
ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ମଧ୍ୟ କୌଣସି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଏହି ବାଟ ଦେଇ ଯାତାୟତ କରୁଥିବା ୬ଟି ଗାଁ ଲୋକେ ବର୍ଷା ସମୟରେ ଅସୁବିଧାରେ ପଡୁଛନ୍ତି। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଅବହେଲା ଯୋଗୁଁ ବ୍ରିଜ କାମ ଶେଷ ହେଉନାହିଁ। ଏଥିରେ ଅତିଷ୍ଠ ହୋଇ ଲୋକେ ବ୍ରିଜ ନିକଟରେ ପ୍ରାୟ ୨୦ ଫୁଟରୁ ଅଧିକ ଲମ୍ବର ଏକ କାଠ ନିଶୁଣି ତିଆରି କରି ସେଥିରେ ଚଢି ଯାଆସ କରୁଛନ୍ତି। ଅନେକ ସମୟରେ ଛାତ୍ରଛାତ୍ରୀ ଏହି କାଠ ନିଶୁଣିରୁ ପଡି ଗୁରୁତର ମଧ୍ୟ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି। ଏଥି ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରତିକ୍ରିୟା ସରାକର ଲୋକଙ୍କ ଯାତାୟତ ନିମନ୍ତେ ଉପାପଡା ନଦୀରେ ବ୍ରିଜ ପାଇଁ ଅନୁଦାନ ଦେଲେ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ପରିତାପର ବିଷୟ ଠିକାଦାର ୪ ବର୍ଷ ହେଲା ଏହାର ଦାୟିତ୍ୱ ନେଇଥିବା ବେଳେ କାମ ଶେଷ କରୁ ନାହାନ୍ତି। ଅନେକ ସମୟରେ ଜନସାଧାରଣ, ଗର୍ଭବତୀ ମହିଳା, ଛାତ୍ରଛାତ୍ରୀ ଏହାର ଶିକାର ହେଉଛନ୍ତି। ବର୍ଷା ଦିନେ ସମସ୍ୟା ଅଧିକ ହେଉଛି। ରୋଗୀମାନେ ମଧ୍ୟ କାଠ ନିଶାଣିରେ ଚଢି ଆର ପଟକୁ ଯାଉଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।


ରାମଚନ୍ଦ୍ର ପଡାଲ, ସମିତି ସଭ୍ୟ, ଗୁନେଇପଡା ଗ୍ରାମପଞ୍ଚାୟତ
ଆମ ଗାଁ ମାଝିରେ ଏହି ନଦୀ ରହିଛି। ବହୁ ଦିନ ହେଲା ନଦୀରେ ବ୍ରିଜ ତିଆରି କାମ ଆରମ୍ଭ ହୋଇଥିଲେ ମଧ୍ୟ କାମ ଶେଷ ହୋଇପାରୁ ନାହିଁ। ବ୍ରିଜ ତିଆରି କାମ ଶେଷ ନହେବାରୁ ଆମ ଅଞ୍ଚଳର ଲୋକେ, ରୋଗୀ ଓ ଛାତ୍ରଛାତ୍ରୀ ବର୍ଷା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ତୁରନ୍ତ ବ୍ରିଜ ତିଆରି କାମ ଶେଷ କରାଗଲେ ଆମେ ଠାକ୍‍ ଭାବରେ ଯାତାୟତ କରି ପାରିବୁ।
ଗୀତା ଅଲାଙ୍ଗ, ସପ୍ତମଶ୍ରେଣୀ ଛାତ୍ରୀ
ପଚାଶରୁ ଅଧିକ ଛାତ୍ରଛାତ୍ରୀ କାଠ ନିଶୁଣିରେ ନଦୀ ପାର ହୋଇ କଲେଜ, ହାଇସ୍କୁଲ ଓ ଏମଇ ସ୍କୁଲକୁ ଦୈନିକ ଯାଆସ କରୁଛନ୍ତି। ବିପଦସଙ୍କୁଳ ଅବସ୍ଥାରେ କାଠ ନିଶୁଣି ଚଢି ସମସ୍ତେ ଯାଉଛନ୍ତି। ଲୋକମାନେ ମଧ୍ୟ ବିଭିନ୍ନ କାମ ନିମନ୍ତେ ନଦୀ ପାରି ହୋଇ ଲମତାପୁଟ, ଜୟପୁର, କୋରାପୁଟ କିମ୍ବା ସାପ୍ତାହିକ ହାଟକୁ ଯାଉଛନ୍ତି। ବ୍ରିଜ ତିଆରି କାମ ଶେଷ ହୋଇ ନ ଥିବାରୁ ବର୍ଷା ସମୟରେ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ।
ମାନସ ପାଡାଲ, ଦଶମ ଶ୍ରେଣୀ ଛାତ୍ର
ଠିକାଦାରଙ୍କୁ ଶ୍ରମିକ ଠିକ୍‍ ସମୟରେ ମିଳୁ ନଥିବାର ବ୍ରିଜ କାମ ବିଳମ୍ବ ହେଉଛି। ଏ ସମ୍ପର୍କରେ ଠିକାଦାରଙ୍କୁ ବାରମ୍ବାର ନୋଟିସ ମଧ୍ୟ କରାଯାଇଛି। ତେବେ ଆସନ୍ତା ନଭେମ୍ବର ମଧ୍ୟରେ କାମ ଶେଷ କରାଯିବ।
ପ୍ରଦୀପ୍ତକୁମାର ମହନ୍ତି, କନିଷ୍ଠ ଯନ୍ତ୍ରୀ, ଆରଡି ବିଭାଗ

Leave A Reply