ଦିନକରେ ଆଖି ବୁଜିଲେ ଦୁଇ ନବବଧୂ

0

ଦେବଗଡ଼/ବଲାଙ୍ଗିର: ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ଦୁଇଟି ସ୍ଥାନରେ ଦୁଇଜଣ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୌତୂକ ପାଇଁ ଉଭୟଙ୍କୁ ହତ୍ୟା କରାଯାଇଥିବା ସେମାନଙ୍କର ପରିବାରବର୍ଗ ଅଭିଯୋଗ କରିଛନ୍ତି । ଗୋଟିଏ ଘଟଣାରେ ବିବାହିତାଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଥିବାବେଳେ ଅନ୍ୟ ଘଟଣାରେ ନିଆଁରେ ଜାଳି ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି ଓ ଅନ୍ୟ ୩ ଜଣଙ୍କୁ ଅଟକ ରଖିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୧୪ ମାସ ମାସ ପୂର୍ବେ ଦେବଗଡ଼ ଜିଲା କୁଣ୍ଢେଇଗୋଳ ଥାନା ଅନ୍ତର୍ଗତ ମଲ୍ଲାରବାହାଳ ଗ୍ରାମର ବିନୋଦ ପ୍ରଧାନଙ୍କ ପୁଅ ଯୋଗେଶ୍ୱର ପ୍ରଧାନ (୨୫) ନିକଟସ୍ଥ ସିଆରମାଳିଆ ଗ୍ରାମର ଲକ୍ଷ୍ମଣ ସାହୁଙ୍କ ଝିଅ ରଶ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ରଶ୍ମିତାଙ୍କୁ ବାପଘରୁ ଅଧିକ ଯୌତୁକ ଆଣିବାକୁ ପରାମର୍ଶ ଦେଇଥିଲେ। ମାତ୍ର ରଶ୍ମିତା ନିଜର ଅସହାୟତା ପ୍ରକାଶ କରିବାରୁ ସ୍ୱାମୀ ଯୋଗେଶ୍ୱର, ତାଙ୍କ ପିତା ବିନୋଦ ଓ ମା’ ଟିକେଇ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଏପରିକି ଗତ ୨/୩ ମାସ ପୂର୍ବେ ରଶ୍ମିତାଙ୍କୁ ସେମାନେ ଅନୁରୂପ ନିର୍ଯାତନା ଦେବାରୁ ରଶ୍ମିତାଙ୍କ ପିତା ମିଳାମିଶା ପାଇଁ ମଲ୍ଲାରବାହାଳ ଗ୍ରାମର ଭଦ୍ର ବ୍ୟକ୍ତିଙ୍କର ସହଯୋଗ ଲୋଡ଼ିଥିଲେ। ଏହି କ୍ରମରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଜ୍ୱାଇଁ ଯୋଗେଶ୍ୱର, ଶ୍ୱଶୁର ଲକ୍ଷ୍ଣଣଙ୍କୁ ଫୋନକରି ‘ତୁମଝିଅ ବିଷ ଖାଇଦେଇଛି’ ଓ ତାକୁ ଆସି ନେଇଯାଅ ବୋଲି କହିଥିଲେ। ସୂଚନା ପାଇ ଲକ୍ଷ୍ମଣ ଆସି ଦେଖିବା ବେଳେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଝିଅ ରଶ୍ମିତାଙ୍କୁ ଯୌତୁକ ପାଇଁ ସ୍ୱାମୀ, ଶାଶୂ ଓ ଶ୍ୱଶୁର ବିଷଦେଇ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ।
ସେହିପରି ବଲାଙ୍ଗିର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ସତୀଘାଟ ଗ୍ରାମର ନବବିବାହିତା ସଞ୍ଜୁଲତା ମହାନ୍ତିଙ୍କୁ ତାଙ୍କ ସ୍ୱାମୀ ଘର ଲୋକ ପେଟ୍ରୋଲ ଢାଳି ପୋଡି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ୱାମୀ ବାରମ୍ବାର ୧ଲକ୍ଷ ଟଙ୍କା ବାପଘରୁ ଆଣିବା ପାଇଁ ଚାପ ପକାଉଥିଲା । ଟଙ୍କା ନଆଣିବାରୁ ଝିଅକୁ ପୋଡି ମାରି ଦେଇଥିବା ବାପା ଆନନ୍ଦ ମିଶ୍ର ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ଲୋଇସିଂହା ବ୍ଲକ ତଲିଉଡାର ଗ୍ରାମର ଉପରଉଡାର ପଡାର ଆନନ୍ଦ ମିଶ୍ରଙ୍କ ଝିଅ ସଞ୍ଜୁଲତା ୨୦୧୭ ମସିହା ମେ ୭ ତାରିଖରେ ମୁରିବାହାଲ ଥାନା ଅନ୍ତର୍ଗତ ସତୀଘାଟ ଗ୍ରାମର ରବି ମହାନ୍ତିଙ୍କ ପୁଅ ଆଲୋକ ମହାନ୍ତିଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ମାସ ପରେ ଆଲୋକ ବ୍ୟବସାୟ ଆରମ୍ଭ କରିବା ପାଇଁ ବାପଘରୁ ଲକ୍ଷେ ଟଙ୍କା ଆଣିବା ପାଇଁ ସଞ୍ଜୁଲତାଙ୍କୁ ଚାପ ପକାଉଥିବା ଅଭିଯୋଗ ହୋଇଛି । ବୁଧବାର ସକାଳୁ ଶାଶୁ ଘର ଲୋକଙ୍କୁ ସ୍ୱାମୀ ଆଲୋକ ଫୋନ କରି ସଞ୍ଜୁଲତା ଘରେ ଝଗଡା କରୁଥିବା ନେଇ ଫୋନରେ ଜଣାଇଥିଲେ । କିଛି ସମୟ ପରେ ସଞ୍ଜୁଲତା ଗୁରୁତର ଥିବାରୁ ତୁରନ୍ତ ଆସିବାକୁ କହିଥିଲେ । ଖବର ପାଇ ପରିବାର ଲୋକ ସତୀଘାଟ ଗ୍ରାମରେ ପହଞ୍ଚିବା ପରେ ସଞ୍ଜୁଲତାଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସଞ୍ଜୁଲତାଙ୍କୁ ମାରି ଦେଇ ତାଙ୍କ ସ୍ୱାମୀ ପୋଡିଦେଇଥିବା ନେଇ ବାପା ଆନନ୍ଦ ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

Leave A Reply