ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ; ଟାର୍ଗେଟରେ ମତ୍ସ୍ୟଜୀବୀଙ୍କ ଭୋଟ

ଝାରସୁଗୁଡ଼ା: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ପ୍ରଚାର ଯୋରଧରିଛି। ବିଜେଡ଼ି ନେତା କିଶୋର ମହାନ୍ତି ଓ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ନିଜ ନିଜ ସମର୍ଥକ ମାନଙ୍କ ସହିତ ନିର୍ବାଚନ ପ୍ରଚାରରେ ଦିନରାତି ଏକ କରିଦେଉଛନ୍ତି। ଏମିତିକି ବିଳମ୍ବିତ ରାତିଯାଏ ନେତାମାନେ ବିଭିନ୍ନ ଗ୍ରାମକୁ ଯାଇ ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି। ଚଳିତ ନିର୍ବାଚନ ଉଭୟ କିଶୋର ମହାନ୍ତି ଓ ରାଧାରାଣୀ ପଣ୍ଡାଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏମିତିରେ ଲଖନପୁର ବ୍ଲକର ବିଶେଷ ଭାବରେ ହୀରାକୁଦ ଜଳ ଭଣ୍ଡାର ନିକଟରେ ରହୁଥିବା ବହୁ ସଂଖ୍ୟକ ମତ୍ସ୍ୟଜୀବୀମାନଙ୍କ ଭୋଟ ଉପରେ ଏବେ ନେତା ମାନଙ୍କ ଟାର୍ଗେଟ ରହିଛି। ହୀରାକୁଦ ନଦୀ ବନ୍ଧରୁ ବିସ୍ଥାପିତ ହେବାପରେ ଜଳ ଭଣ୍ଡାର ନିକଟରେ ରହୁଥିବା ମତ୍ସ୍ୟଜୀବୀମାନେ ଆସନ୍ତା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। ହୀରାକୁଦ ଜଳ ଭଣ୍ଡାରରେ ୬ ଗୋଟି ପ୍ରାଥମିକ ମତ୍ସ୍ୟଜୀବୀ ସୋସାଇଟି ରହିଛି। ତାହା ମଧ୍ୟରୁ ଭେଜିକୁଦରେ ଥିବା ବନରେପାଟ ପିଏଫ୍‍ସିଏସ୍‍(ପ୍ରାଥମିକ ମତ୍ସ୍ୟଜୀବି ସମବାୟ ସମିତି) ଯେଉଁଠି ୧୮୬ ଜଣ ପଞ୍ଜିକୃତ ପରିବାର ଅଛନ୍ତି, ବଡ଼ସରୁଆ, ତିଲିଅସ୍ଥିତ ୮୪ ପିଏଫ୍‍ସିଏସ୍‍ର ୩୯୪ ପରିବାର, ସୁନାରୀ ପଞ୍ଚାୟତ ଅନ୍ତର୍ଗତ ବିରେନବନ୍ଧର ଶ୍ରୀ ମହାଦେବ ପିଏଫ୍‍ସିଏସ୍‍ର ୬୧୧ ଟି ପରିବାର, ଠେବରା ପିଏଫ୍‍ସିଏସ୍‍ର ୧୦୩୧ଟି ପରିବାର, ଲଛିପାଲି ପିଏଫ୍‍ସିଏସ୍‍ର ୪୩୭ଟି ପରିବାର, ପିଥିଣ୍ଡା ସ୍ଥିତ ତିଲଗି ଠାରେ ଥିବା ସମଲେଶ୍ୱରୀ ପିଏଫ୍‍ସିଏସ୍‍ ଯାହାର ୫୫୩ ଟି ମତ୍ସ୍ୟଜୀବୀ ପରିବାର ମୋଟ ୩୧୬୧ ଟି ପରିବାର ରହିଛନ୍ତି।

ଗୋଟିଏ ମତ୍ସ୍ୟଜୀବୀ ପରିବାରରେ ଏକାଧିକ ଭୋଟ ରହିଥିବାବେଳେ ଏହି ସଂଖ୍ୟା ଦୁଇତିନି ଗୁଣ ହେଇପାରେ। ବିଗତ ଦିନରେ ମତ୍ସ୍ୟଜୀବୀମାନଙ୍କ ସମସ୍ୟା କେତେଦୂର ସମାଧାନ ହୋଇପାରିଛି। ବିଗତ ଦିନରେ ମତ୍ସ୍ୟଜୀବୀମାନଙ୍କୁ ମଳିଥିବା କେତେକ ସୁବିଧା ସୁଯୋଗ, କାହାକୁ ପକ୍କାଘର ମିଳିଛି କି ନାହିଁ। ବିଗତ ଦିନରେ ମତ୍ସ୍ୟଜୀବୀମାନଙ୍କୁ ନେଇ କଣ ପ୍ରତିଶ୍ରୁତି ମଳିଥିଲା ତାହା କେତେ ପୂରଣ ହୋଇଛି ତାହା ମଧ୍ୟ ଏହି ମତ୍ସ୍ୟଜୀବୀମାନଙ୍କ ନିର୍ବାଚନୀ ମୁଦ୍ଦା ରହିବ। ଏହା ବାହାରେ ଅଣପଞ୍ଜିକୃତ ମତ୍ସ୍ୟଜୀବୀମାନଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ହୀରାକୁଦ ଜଳ ଭଣ୍ଡାର ଉପର ମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀରେ ନିର୍ମାଣ କରିଥିବା ଅନେକ ବ୍ୟାରେଜ୍ ଯୋଗୁଁ ଅଣମୌସୁମୀ ସମୟରେ ପାଣି ବନ୍ଦହେବାରୁ ମତ୍ସ୍ୟଜୀବୀମାନେ ମାଛ ଧରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହୀରାକୁଦ ଜଳଭଣ୍ଡାରରୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ପାଣି ଦିଆଯିବା ସହିତ ଅନେକ ଶିଳ୍ପ ସଂସ୍ଥା ଦ୍ୱାରା ପ୍ରଦୂଷିତ ହେବା ଫଳରେ ମାଛ ଉତ୍ପାଦନରେ କ୍ରମାଗତ ହ୍ରାସ ଯୋଗୁଁ ମତ୍ସ୍ୟଜୀବୀମାନେ ତାଙ୍କର ଜୀବିକା ହରାଇବାରେ ଲାଗିଛନ୍ତି। ସେହିପରି ବିଗତ କିଛିବର୍ଷ ହେବ ହୀରାକୁଦ ଜଳ ଭଣ୍ଡାରରେ ମାଫିଆ ମାନଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହି ମାଫିଆମାନେ ପଶ୍ଚିମବଙ୍ଗରୁ ମାଛମାରିବା ପାଇଁ ଶ୍ରମିକ ଆଣୁଥିବା ସହିତ ହାଇଟେକ୍ ମାଧ୍ୟମରେ ଢୁଲଙ୍ଗିଜାଲ ପକାଇ ମାଛଧରୁଛନ୍ତି ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଜୀବିକା ହରାଇବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ ଏବେ ଛତିଶଗଡ଼ ମତ୍ସ୍ୟଜୀବୀମାନେ ମଧ୍ୟ ଓଡ଼ିଶା ସୀମାନ୍ତକୁ ପଶିଆସି ମାଛମାରି ନେଇଯାଉଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ରୋଜଗାର ହରାଇବାକୁ ବାଧ୍ୟ ହେଉଛନ୍ତି। ମତ୍ସ୍ୟଜୀବୀମାନଙ୍କ ଏମିତି କେତେକ ମୁଦ୍ଦା ରହିଛି। ଏହାର ସମାଧାନ ଦିଗରେ ନେତାମାନେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଲେ ହୁଏତ ମତ୍ସ୍ୟଜୀବୀମାନଙ୍କ ଭୋଟ ମିଳିପାରିବ। ଯଦିଓ ମତ୍ସ୍ୟଜୀବୀଙ୍କ ଭୋଟ ନିର୍ଣ୍ଣାୟକ ନହୋଇପାରେ କିନ୍ତୁ ଏହି ଭୋଟ ଯେଉଁ ଦଳକୁ ଯାଏ ସାମୁହିକ ଭାବରେ ଯାଏ। ଫଳରେ ତିନି ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାରଙ୍କ ୭ ହଜାରରୁ ଉର୍ଦ୍ଧ୍ବ ଭୋଟରଙ୍କୁ ଯେଉଁ ଦଳ ଆକର୍ଷିତ କରିବ ତାକୁ କିଛି ବୃହତ ଭୋଟ ମଳିବାର ସମ୍ଭାବନା ରହିଛି। ଏବେ ବ୍ରଜରାଜନଗର ନିର୍ବାଚନୀ ମଣ୍ଡଳୀରେ ନେତାମାନେ ଏହି ମତ୍ସ୍ୟଜୀବୀମାନଙ୍କ ଭୋଟ ହାତେଇବାକୁ ବିଭିନ୍ନ କୌଶଳ ଆରମ୍ଭ କରିଦେଇଛନ୍ତି। ଆଗାମୀ ନିର୍ବାଚନରେ ଏହି ମତ୍ସ୍ୟଜୀବୀମାନଙ୍କୁ କିଏ ପ୍ରଭାବିତ କରିପାରିବ ତାହା ଦେଖିବାକୁ ବାକି ରହିଲା।

Comments are closed.