ଅଜିତ ପୱାରଙ୍କ ସମେତ ୭୧ ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ବମ୍ବେ ହାଇକୋର୍ଟ ନିର୍ଦେଶ

ମୁମ୍ବଇ,୨୨ା୮: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ପୁତୁରା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସମେତ ୭୧ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ପୁଲିସର ଅର୍ଥନୈତିକ ଅପରାଧ ଶାଖାକୁ ଗୁରୁବାର ନିର୍ଦେଶ ଦେଇଛନ୍ତି।

ଆସନ୍ତା ୫ ଦିନ ମଧ୍ୟରେ ମାମଲା ରୁଜୁ କରିବାକୁ ନିର୍ଦେଶନାମାରେ କୁହାଯାଇଛି। ଏନ୍‌ସିପି ​ନେତା ଜୟନ୍ତ ପାଟିଲ ଓ ବରିଷ୍ଠ ସମବାୟ ବ୍ୟାଙ୍କ ଅଧିକାରୀଙ୍କ ନାମ ଏହି ୭୧ଜଣଙ୍କ ମଧ୍ୟ​‌ରେ ରହିଛି। ନାବାର୍ଡ ପକ୍ଷରୁ ହୋଇଥିବା ଅଡିଟ୍‌ ରିପୋର୍ଟରୁ ବ୍ୟାଙ୍କ ଦୁର୍ନୀତି ସମ୍ପର୍କରେ ଜଣାପଡ଼ିଥିଲା। ୨୦୦୭ରୁ ୨୦୧୧ ମଧ୍ୟରେ ଏମାନଙ୍କ ବେଆଇନ କାରବାର ଯୋଗୁଁ ବ୍ୟାଙ୍କର ଏକ ହଜାର କୋଟି କ୍ଷତି ହୋଇଥିବା ଅଡିଟ୍‌ରୁ ଜଣାପଡ଼ିଥିଲା। ସେ ସମୟରେ ଅଜିତ ପୱାର ବ୍ୟାଙ୍କର ନିର୍ଦେଶକ ଥିଲେ। ଏହି ମାମଲାରେ ଅଦ୍ୟାବଧି ଏତଲା ଦାୟର ହୋଇ ନାହିଁ। ଏ ନେଇ ସ୍ଥାନୀୟ ସାମାଜିକ କର୍ମୀ ସୁରିନ୍ଦର ଅରୋରା ହାଇକୋର୍ଟରେ ମାମଲା ଦାୟର କରିଥିଲେ।

Comments are closed.