୮ଟି ଜିଲାରେ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ୬୫ଟି କେନ୍ଦ୍ରରେ ଏଟିଏମ୍‍ ସେବା ବନ୍ଦ!

ବଡ଼ସାହି : ବ୍ୟାଙ୍କ ଅଫ୍‍ ଇଣ୍ଡିଆ କେନ୍ଦୁଝର ଜୋନ ଅଧୀନରେ ଥିବା ୮ଟି ଜିଲାରେ ୬୫ଟି ଏଟିଏମ୍‍ ବନ୍ଦ ରହିଛି। ଫଳରେ ମୟୁୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲାରେ ନିର୍ଭରଶୀଳ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିଥିଲେ ହେଁ ଗ୍ରାହକଙ୍କ ଅବଗତି ନିମନ୍ତେ କୌଣସି ବିଜ୍ଞାପନ କିମ୍ବା ଏସ୍‍ଏମ୍‍ଏସ୍‍ ବାର୍ତ୍ତା ଦ୍ୱାରା ସୂଚନା ଦେଇ ନଥିବାରୁ ଗ୍ରାହକ ବାରମ୍ବାର ଏଟିଏମ୍‍ କେନ୍ଦ୍ରକୁ ଯାଇ ନିରାଶରେ ଫେରୁଛି। ଖବର ନେବାରୁ ଜଣାଯାଏ ଯେ, ଏହି ବ୍ୟାଙ୍କର ଏଟିଏମ୍‍ ସେବା ଏସ୍‍ଆଇଏସ୍‍, ହିଟାଚି ଓ ଏମ୍ପାସିସ୍‍ ୩ଟି ଘରୋଇ ସଂସ୍ଥା ଚୁକ୍ତି ଭିତ୍ତିରେ ଯୋଗାଇ ଆସୁଥିଲେ। ତେବେ ଆର୍‍ବିଆଇର ପରିବର୍ତ୍ତିତ ଗାଇଡ଼ଲାଇନ ଅନୁସାରେ ଏଟିଏମ୍‍ ସେବାକୁ ଅଧିକ ନିରାପତ୍ତା ଓ ସରଳ କରିବା ପାଇଁ ଏଟିଏମ୍‍ ମେସିନ ସପ୍ଟ୍‍ୱିଆର୍‍ ଅପଗ୍ରେଡ ପାଇଁ ଦିନଧାର୍ଯ୍ୟ କରିଥିଲେ। ଏସ୍‍ଆଇଏସ୍‍ ଓ ହିଟାଚି ସଂସ୍ଥା ତଦ୍‍ନୁଯାୟୀ ଅପଗ୍ରେଡ କରିଥିବା ବେଳେ ଏମ୍ପାସିସି ସଂସ୍ଥା ଯଥା ସମୟରେ ତାହା କରି ନଥିବାରୁ ବ୍ୟାଙ୍କ ଅଫ୍‍ ଇଣ୍ଡିଆ କେନ୍ଦୁଝର ଜୋନକୁ ପେନାଲଟି ଦେବାକୁ ପଡ଼ିଛି। ୮ଟି ଜିଲାର ୬୫ଟି ଏଟିଏମ୍‍ କେନ୍ଦ୍ର ଅପଗ୍ରେଡ଼ ହୋଇନଥିବାରୁ ବର୍ତ୍ତମାନ ତାଲା ପଡ଼ିଛି। ବ୍ୟାଙ୍କ ସୁତ୍ରରୁ ଜଣାପଡ଼ିଛି ଯେ, ଏହି ୬୫ଟି କେନ୍ଦ୍ର ପାଇଁ ଅନ୍ୟ ସଂସ୍ଥା ସହିତ ଚୁକ୍ତି ହେଲେ ପୂର୍ବବତ ସେବା ଯୋଗାଇ ଦିଆଯିବ। ତେବେ ଏହି ଘଟଣା ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଡ଼ସାହିର ବରିଷ୍ଟ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀ ବସନ୍ତ ମହାପାତ୍ର କହନ୍ତି ‘ବ୍ୟାଙ୍କରେ ଭିଡ଼ରୁ ବର୍ତ୍ତିବା ପାଇଁ ଏଟିଏମ୍‍ କାର୍ଡ଼ ନେଇଥିଲୁ। ସେଥିପାଇଁ ବ୍ୟାଙ୍କ ୧୫୦ଟଙ୍କା ଜମା ଅର୍ଥରୁ କାଟିଛନ୍ତି। ତତ୍‍ସହିତ ବାର୍ଷକ ୧୨୦ଟଙ୍କା ଲେଖାଏଁ ପ୍ରତି ଏଟିଏମ୍‍ ଗ୍ରାହକଙ୍କ ଜମା ଅର୍ଥରୁ କଟା ଯାଉଛି। ସେହିପରି ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ଯଥାକ୍ରମେ ୫ ଓ ୩ଥରରୁ ଅଧିକ ଅନ୍ୟ ବ୍ୟାଙ୍କ ଏଟିଏମ୍‍ କେନ୍ଦ୍ରରେ ଟଙ୍କା ଉଠାଇଲେ ସର୍‍ଚାର୍ଯ୍ୟ ଦେବାକୁ ପଡୁଛି। ଗ୍ରାହକର କୌଣସି ଭୁଲ ନଥାଇ ଅଯଥା ଖର୍ଚ୍ଚାନ୍ତ ବାବଦକୁ କିଏ ଭରଣା କରିବ ? ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ବନ୍ଦ ଥିôବା ୬୫ଟି ଏଟିଏମ୍‍ ସେବା ସ୍ୱାଭାବିକ କରିବାକୁ ଗ୍ରାହକମାନେ ଦାବି କରିଛନ୍ତି।

Comments are closed.