ସୂରଜଙ୍କ ନାମରେ ଦିଆଯିବ ବାର୍ଷିକ ପୁରସ୍କାର

ପୁତ୍ରର ଅଙ୍ଗଦାନ କରି ମହନୀୟତା ପ୍ରଦର୍ଶନ କରିଥିବା ପିତାମାତାଙ୍କ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ସୂରଜଙ୍କ ପରିବାରକୁ ବିଜୁ ପକ୍କାଘର, ଘରଡିହ ଓ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର : ମୃତ୍ୟୁ ଶଯ୍ୟାରେ ଅଙ୍ଗଦାନ କରି ନିଜର ମୃତ୍ୟୁ ପରେ ୬ଜଣଙ୍କ ଜୀବନ ବଞ୍ଚାଇଥିବା ଓଡ଼ିଆ ଯୁବକ ସୂରଜ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସୁରଜଙ୍କ ଅଙ୍ଗଦାନ ପଛରେ ତାଙ୍କ ପିତାମାତାଙ୍କ ମହନୀୟତା ଜନସାଧାରଣ ଓ ରାଜ୍ୟ ସରକାରଙ୍କୁ ପ୍ରଭାବିତ କରିଛି। ରାଜ୍ୟରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ସୁରଜଙ୍କ ନାମରେ ପୁରସ୍କାର ଘୋଷଣା କରିଛନ୍ତି। ମୃତ୍ୟୁ ପୂର୍ବରୁ ଯୁବକଙ୍କ ଅଙ୍ଗଦାନ ଖବର ପ୍ରଥମେ ‘ସମାଜ’ ର ଗତ ୫ ତାରିଖ ସଂସ୍କରଣରେ ପ୍ରକାଶ ପାଇଥିଲା। ଏହା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ପ୍ରଭାବିତ ହେବା ସହ ଏଭଳି ମହାନ କାର୍ଯ୍ୟକୁ ସମ୍ମାନ ଜଣାଇ ଏହାକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ସେ ଏଥିପାଇଁ ବାର୍ଷିକ ପୁରସ୍କାର ଘୋଷଣା କରିଛନ୍ତି। ଏଣିକି ପ୍ରତିବର୍ଷ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଏହି କାର୍ଯ୍ୟରେ ନିୟୋଜିତ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯିବ।
ସୁରଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଥିବା ଓଡ଼ିଆ ଯୁବକ ସୂରଜଙ୍କର ମସ୍ତିଷ୍କ ମୃତ୍ୟୁ(ବ୍ରେନ ଡେଡ) ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ଯୁବକ ପୁତ୍ର ସୂରଜଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ବିଭିନ୍ନ ଅଙ୍ଗ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦାନ କରି ମହାନ ଆଦର୍ଶ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲା ଭଂଜନଗର ନିକଟସ୍ଥ ଲାଲସିଂ ଅଞ୍ଚଳର ବାବୁଲି ସେଠୀ ଓ ତାଙ୍କ ପତ୍ନୀ। ତାଙ୍କ ଶରୀରର ଅଙ୍ଗଦାନ ୬ଜଣଙ୍କ ଜୀବନ ବଞ୍ଚାଇ ପାରିଛି। ଏଭଳି ମହାନ କାର୍ଯ୍ୟ ପାଇଁ ସୂରଜଙ୍କ ପିତାମାତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂରଜଙ୍କ ପିତା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳି ସେଠୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ମହାନ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟ ସମଗ୍ର ସମାଜ ପାଇଁ ଆଦର୍ଶ ହୋଇ ରହିବା ସହ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ସହାୟକ ହେବ ବୋଲି ସେ କହିଥିଲେ। ସ୍ବର୍ଗତ ସୂରଜ ସେଠୀଙ୍କ ଘରଡିହ ଜାଗା ନଥିବାରୁ ତାଙ୍କୁ ବିଜୁ ପକ୍‌କା ଘର ଯୋଜନାରେ ଘର ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୁରଜଙ୍କ ପିତାମାତାଙ୍କର ଏଭଳି ବିରଳ ମାନବିକତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ପରିବାର ପାଇଁ ତାଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ସୁରଟରେ କାର୍ଯ୍ୟରତ ସୁରଜ ଅକ୍ଟୋବର ୨୯ ତାରିଖରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ୫ ଦିନ ଜୀବନ ସହିତ ସଂଘର୍ଷ କରିବା ପରେ ନଭେମ୍ବର ୨ ତାରିଖରେ ତାଙ୍କର ମସ୍ତିଷ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ସୂରଜର ପିତାମାତାଙ୍କୁ ଯୋଗାଯୋଗ କରାଯାଇଥିଲା । ପିତାମାତାଙ୍କ ଅନୁମତିକ୍ରମେ ସୁରଜଙ୍କ ଶରୀରରୁ ହୃତପିଣ୍ଡ, ଦୁଇ କିଡ୍‌ନୀ, ଲିଭର ଓ ଦୁଇ ଆଖିକୁ ତୁରନ୍ତ କଢାଯାଇ ବିଭିନ୍ନ ସ୍ଥାନରେ ଅନ୍ୟ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇଛି । ହୃତପିଣ୍ଡକୁ ବିମାନ ଯୋଗେ ମୁମ୍ବଇସ୍ଥିତ ଫର୍ଟିସ୍‌ ହସ୍ପିଟାଲରେ ଚିକିତ୍ସିତ ଜଣେ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦୁଇଟିଯାକ କିଡ୍‌ନୀ ଓ ଲିଭରକୁ ଅହମ୍ମଦାବାଦରେ ୩ଜଣଙ୍କ ଶରୀରରେ ଏବଂ ଦୁଇ ଆଖିକୁ ସୁରତର ଦୁଇଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।
ସୁରଜଙ୍କ ପିତାମାତା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ।

Comments are closed.