ପରଲୋକ ପରେ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଶରୀର ଦାନ

0

ଢେଙ୍କାନାଳ : ଗଣେଶ ବଜାରସ୍ଥିତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପରଲୋକ ହୋଇଯାଇଛି। ମୃତକଙ୍କ ଇଚ୍ଛା ଅନୁଯାୟୀ ପରିବାରବର୍ଗ ତାଙ୍କ ଶରୀରକୁ ଦାନ କରିଥିବା ଜଣାଯାଇଛି। ରାଜସ୍ୱ ବିଭାଗର ଅବସରପ୍ରାପ୍ତ ସୁପରଭାଇଜର ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କର ସୋମବାର ସକାଳେ ଗଣେଶ ବଜାରସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପଣ୍ଡା ନିଜ ଶରୀର ଦାନ ପାଇଁ ଲୋକସେବକ ମଣ୍ଡଳ ସହିତ ଚୁକ୍ତି କରିଥିବାରୁ ମୃତ୍ୟୁ ପରେ ତାଙ୍କ ଶରୀରକୁ ପରିବାର ଲୋକେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‌ କଲେଜକୁ ହସ୍ତାନ୍ତର କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ୪ଝିଅ ଏବଂ ଏକମାତ୍ର ପୁଅ ସଂଗ୍ରାମ କୁମାର ପଣ୍ଡା ଉପସ୍ଥିତ ଥିଲେ। ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଢେଙ୍କାନାଳ ଜିଲା କାର୍ଯ୍ୟାଳୟରୁ ରାଜସ୍ୱ ସୁପରଭାଇଜର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ସେ ସହର ଗଣେଶ ବଜାର ଟାଉନ୍‌ହଲ୍‌ ପଛପାଖରେ ନିଜ ପରିବାର ସହ ରହୁଥିଲେ। ସ୍ୱର୍ଗତ ପଣ୍ଡା ଜିବୀତ ଅବସ୍ଥାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢା ନିମନ୍ତେ ମୃତ୍ୟୁ ପରେ ନିଜ ଶରୀର ଦାନ କରିବା ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ସେ ଗତ ୨୦୧୩ ଅକ୍ଟୋବର ୨୯ରେ ବକ୍ସିବଜାରସ୍ଥିତ ଲୋକସେବକ ମଣ୍ଡଳ କାର୍ଯ୍ୟାଳୟରେ ଅଙ୍ଗଦାନ ପାଇଁ ଏକ ଚୁକ୍ତିନାମା କରିଥିଲେ। ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଯିବାପରେ ସୋମବାର ପରିବାର ଲୋକେ ତାଙ୍କ ମୃତ ଶରୀରକୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜର ଅନାଟୋମୀ ବିଭାଗକୁ ଦାନ କରିଛନ୍ତି।

Leave A Reply