ଗୋଦାବରୀ ନଦୀରେ ଡଙ୍ଗା ବୁଡ଼ି ୧୩ ମୃତ, ୩୫ ନିଖୋଜ

0

ହାଇଦରାବାଦ : ଆନ୍ଧ୍ରପ୍ରଦେଶରେ ପୂର୍ବ ଗୋଦାବରୀ ଜିଲାର ଗୋଦାବରୀ ନଦୀରେ ରବିବାର ଅପରାହ୍ଣରେ ଏକ ପର୍ଯ୍ୟଟନ ଲଞ୍ଚ ବୁଡ଼ିଯିବାରୁ ୧୩ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ୨୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଏବେ ବି ୩୫ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳିତ ଏହି ଲଞ୍ଚଟିରେ ୬୦ ଯାତ୍ରୀ ଓ ୧୧ କର୍ମଚାରୀ ଥିଲେ। ତେବେ ସମସ୍ତ ପର୍ଯ୍ୟଟକ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀ ଅଞ୍ଚଳର ବୋଲି ଜଣାପଡିଛି। ମୌସୁମୀ ବର୍ଷା ଯୋଗୁଁ ନଦୀରେ ବନ୍ୟା ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି। ତେବେ ଦୁଇଟି ସ୍ବତନ୍ତ୍ର ହେଲିକପ୍ଟରକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଏନ୍‌ଡିଆର୍‌ଏଫ୍‌ର ୬୦ ଜଣ କର୍ମଚାରୀ ଓ ଏସ୍‌ଡିଆର୍‌ଏଫ୍‌ର ୮୦ ଜଣ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସନ୍ଧ୍ୟା ସୁଦ୍ଧା ୧୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ପୁଲିସ ମହାନିର୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି। ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ ହୋଇଛନ୍ତି। ଟ୍ବିଟ୍‌ର ଜରିଆରେ ସେ ପୀଡିତ ପରିବାରଙ୍କୁ ସମବେଦନା ଜଣାଇବା ସହ ଏଭଳି ସମୟରେ ଧୈର୍ଯ୍ୟହରା ନହେବାକୁ ନିବେଦନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଭୟ ତୁରନ୍ତ ଉଦ୍ଧାର କାର୍ଯ୍ୟ ଲାଗି ବିଭାଗୀୟ ସହାୟତା ଯୋଗାଇ ଦେଇଛନ୍ତି।
ଡଙ୍ଗାଟି ଦେବୀପଟନମ୍‌ର ଚାମ୍ମା ମନ୍ଦିରରୁ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ପାକିକୋଣ୍ଡାଲୁ ଅଭିମୁଖେ ଯାଉଥିବାବେଳେ କାଛୁଲୁରୁ ନିକଟରେ ବୁଡି ଯାଇଥିଲା। ମୌସୁମୀ ବର୍ଷା ଯୋଗୁଁ ନଦୀରେ ବନ୍ୟା ଜଳ ପ୍ରଭାବିତ ହେଉଥିବାବେଳେ ବୃହତ୍ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବୁଡି ଯାଇଥିବା ପ୍ରାଥମିକ ଅନୁଧ୍ୟାନ ପରେ କୁହାଯାଇଛି। ରବିବାର ଅପରାହ୍ଣରେ ନଦୀରେ ୫.୧୩ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ତେବେ ଜଳସ୍ତର ଅଧିକ ଥିବା ସହ ନଦୀରେ ପ୍ରବଳ ସୁଅ ରହିଥିବାରୁ ଉଦ୍ଧାରକାର୍ଯ୍ୟ କଷ୍ଟକର ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀନିବାସ ରାଓଙ୍କ କହିବା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟିର ବିଭାଗୀୟ ପଞ୍ଜୀକରଣ ନ ଥିଲା।
ଆନ୍ଧ୍ରପ୍ରଦେଶ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ନିର୍ବାହୀ ନିର୍ଦେଶକ ଶାନ୍ତି ସ୍ୱରୂପ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରରୁ ଉଦ୍ଧାରକାରୀ ଦଳ ଓ ଦୁଇଟି ହେଲିକପ୍ଟର ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କ୍ଷତିଗ୍ରସ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମସ୍ତ ସାହାଯ୍ୟ ଯୋଗାଇ ଦେବେ ବୋଲି ସେ କହିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତ ପର୍ଯ୍ୟଟକ ଦିନ ୧୦ଟା ବେଳେ ଦେବୀକୋଣ୍ଡା ଠାରୁ ବାହାରିଥିଲେ ଏବଂ ପ୍ରାୟ ମଧ୍ୟାହ୍ନ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ସମୟରେ ତୁଟୁଗୁଣ୍ଟା ଗ୍ରାମବାସୀ ପ୍ରାଥମିକ ପର୍ଯ୍ୟାୟରେ ୧୪ଜଣଙ୍କୁ ଉଦ୍ଧାର କରିଥିଲେ। ପର୍ଯ୍ୟଟକମାନେ ଗୋଦାବରୀ ନଦୀ କୂଳରେ ଥିବା ଗଣ୍ଡିପୋଚାମ୍ମା ମନ୍ଦିରରେ ଦର୍ଶନ ପରେ ନିକଟସ୍ଥ ଏକ ଟାପୁ ନିକଟରେ ମଧ୍ୟାହ୍ନଭୋଜନକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ବାୟୁସେନା ଓ ନୌସେନାକୁ ଉଦ୍ଧାର କାର୍ଯ୍ୟ ନିମନ୍ତେ ସହଯୋଗ ମାଗିଥିବାବେଳେ ରାତି ସୁଦ୍ଧା ଉଦ୍ଧାରକାରୀ ଦଳ ପହଞ୍ଚିବେ। ଘଟଣାସ୍ଥଳକୁ ଯିବା ପାଇଁ କେବଳ ଲଞ୍ଚ ହିଁ ଏକମାତ୍ର ମାଧ୍ୟମ ଥିବାବେଳେ ପ୍ରାୟ ୫ଟି ସ୍ୱତନ୍ତ୍ର ଲଞ୍ଚ ରାଜମହେନ୍ଦ୍ରି ଠାରୁ ଯାଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Leave A Reply