ବାଲେଶ୍ୱରରେ ହେବ ଟଙ୍କାଶାଳ !

0
-ଆବଶ୍ୟକ ପଡ଼ିବ ୪୦୦ ଏକର ଜମି,     -ଜବରଦଖଲ କାରଣରୁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବନି
-ହେବ ସଫଟୱେର ଟେକନୋଲୋଜି ପାର୍କ, -କମର୍ସିଆଲ ଟାୱାର ପାଇଁ ଦିଆଯାଇଛି ଯୋଜନା

ବାଲେଶ୍ୱର  (ହରେକୃଷ୍ଣ ପ୍ରଧାନ) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ବାଲେଶ୍ୱର ଅଞ୍ଚଳରେ ଏକ ଟଙ୍କା ଶାଳ ପ୍ରତିଷ୍ଠା କରିବାର ଯୋଜନା ରଖିଥିବା ଜଣାଯାଇଛି। ଏଥି ପାଇଁ ୪ ମାସ ତଳେ ଆରବିଆଇ ପ୍ରତିନିଧି ଦଳ ଜିଲାର ତିନି/ଚାରୋଟି ସ୍ଥାନ ପରିଦର୍ଶନ କରିଛନ୍ତି। ସେହିପରି ଟଙ୍କା ଶାଳ ପାଇଁ ୪୦୦ ଏକର ଜମିର ଆବଶ୍ୟକତା ରହିଛି। ତେବେ ବାଲେଶ୍ୱରରେ ପ୍ରସ୍ତାବିତ ଇଣ୍ଡଷ୍ଟ୍ର୍ରିଆଲ ପାର୍କ ହେବ ନାହିଁ। ଏଥି ପାଇଁ ସଂପୃକ୍ତ ସ୍ଥାନରେ ଜମି ଜବରଦଖଲ ସାଜିଛି ପ୍ରତିବନ୍ଧକ। ଏହା ହୋଇଥିଲେ ବାଲେଶ୍ୱରରେ ଶିଳ୍ପ କ୍ଷେତ୍ରରେ ବିକାଶର ନୂଆ ଦିଗ ସୃଷ୍ଟି ହୋଇଥାନ୍ତା। ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତିର ବିରାଟ ପରିସର ସୃଷ୍ଟି ହୋଇଥାନ୍ତା। ତେବେ ବାଲେଶ୍ୱରରେ ଗୋଟିଏ ସଫଟୱେର ଟେକନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସଟିପିଆଇ) ପାଇଁ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଥିବାବେଳେ କିଛି କମ୍ପାନୀ ଆସି କାମ ଆରମ୍ଭ କରିଛନ୍ତି। ଏହା ଛଡା ବାଲେଶ୍ୱରରେ ଏକ କମର୍ସିଆଲ ଟାୱାର ନିର୍ମାଣର ପ୍ରସ୍ତାବ ରହିଥିବା ଜଣାଯାଇଛି।
ଇଣ୍ଡଷ୍ଟ୍ରିଆଲ ପାର୍କ (ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ) ହେଉଛି ଏକ ସ୍ୱତନ୍ତ୍ର ଅଂଚଳ ଯେଉଁଠାରେ ଶିଳ୍ପ ସମ୍ବନ୍ଧୀୟ ବିକାଶ ପାଇଁ ଯୋଜନା କରାଯାଏ। ଏହି ପାର୍କ ବାଲେଶ୍ୱରରେ ହେବା ପାଇଁ ୨୦୦୩ ମସିହାରେ ସୂଚନା ଆସିବା ପରେ ସେଥିପାଇଁ ବିଭିନ୍ନ ସୁବ୍ୟବସ୍ଥା କରାଯିବା ସହ ସ୍ଥାନ ଚିହ୍ନଟ ମଧ୍ୟ ସରିଥିଲା। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର ସହରସ୍ଥିତ ଡିଆଇସି ଅଫିସ ପଛ ପଟେ ୫.୫୬ ଏକର ଜାଗା ଚିହ୍ନଟ କରାଯାଇଥିଲା। ଏହି ପାର୍କ ହୋଇଥିଲେ ପରବର୍ତ୍ତୀ ସମୟରେ ବାଲେଶ୍ୱରର ରାସ୍ତା, ରେଳ ରାସ୍ତା, ପରିବହନ ଆଦି କ୍ଷେତ୍ରରେ ଅଭୂତ ପୂର୍ବ ପରିବର୍ତ୍ତନ ଆସିଥାନ୍ତା। ବନ୍ଦର ଏବଂ ଏୟାରପୋର୍ଟ ସହ ଏହାକୁ ସଂଯୋଗ କରିବାର ବନ୍ଦୋବସ୍ତ ହୋଇଥାନ୍ତା। ଏହା ଛଡା ନୂତନ କମ୍ପାନୀମାନେ ଏହି ଅଞ୍ଚଳକୁ ଆକର୍ଷିତ ହୋଇ ଆସିବା ସହିତ ଆମଦାନୀ ରପ୍ତାନୀ କ୍ଷେତ୍ରରେ ବାଲେଶ୍ୱର ବଜାରରେ ନୂତନ ଅଧ୍ୟାୟ ସୃଷ୍ଟି ହୋଇଥାନ୍ତା ଏବଂ ଏହି କମ୍ପାନୀଗୁଡିକରେ ବହୁ ଯୁବକଯୁବତୀ ଚାକିରି ପାଇ ପାରିଥାନ୍ତେ। ମାତ୍ର ଚିହ୍ନଟ ହୋଇଥିବା ୫.୫୬ ଏକରରୁ କିଛି ସ୍ଥାନ ଜବରଦଖଲରେ ରହିଛି। ସେମାନେ ସେହି ଜାଗାକୁ ନ ଛାଡିବାରୁ ଏବଂ ଲୋକଙ୍କ ଅସନ୍ତୋଷ ଦେଖା ଦେବାରୁ ପ୍ରସ୍ତାବିତ ଆଇଟି ପାର୍କ ବାଲେଶ୍ୱରରେ ନ ହେବାର ସୂଚନା ମିଳିଛି।
ଅନ୍ୟପକ୍ଷରେ ବାମପଦା ଠାରେ ସଫଟୱେର ଟେକନୋଲୋଜି ପାର୍କ, ଏସଟିପିଆଇ ସ୍ଥାପନ ପାଇଁ ୩ ଏକର ଜାଗାରେ କାମ ଚାଲିଛି। ଏଥିପାଇଁ ଆବଶ୍ୟକ ଘର ନିର୍ମାଣ କରାଯିବା ସହ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଚାଲିଛି। ବହୁ ଶୀଘ୍ର ଏହା ସରିବା ପରେ ବିଭିନ୍ନ ସଫଟୱେର କମ୍ପାନୀମାନେ ଏହା ସହ ଯୋଡି ହେବେ। ଏପ୍ରିଲ-୧୮ରୁ ନୋସି ରେସିଡେନସିରେ ଭଡ଼ା ନେଇ ସ୍ମିୟା ଇମ୍ଫୋସନ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏବଂ ଇମ୍ଫୋ କ୍ରିଏଟିଭ ନାମରେ ଦୁଇଟି ଘରୋଇ କମ୍ପାନୀ ଏହି ଯୋଜନାରେ କାମ କରୁଛନ୍ତି। ଏହି କମ୍ପାନୀଗୁଡିକ ୱେବସାଇଟ ଡିଜାଇନିଂ, ନିୟୁ ୱେବ ମେକିଙ୍ଗ, ଡିଜିଟାଲ ମାର୍କେଟିଙ୍ଗ, ସୋସିଆଲ ମିଡିଆ ମାର୍କେଟିଙ୍ଗ, ସର୍ଚ୍ଚ ଇଞ୍ଜିନ ଅପଟିମାଇଜେସନ, ଆପ୍ଲିକେସନ ମେକିଙ୍ଗ, ଆପ୍ଲିକେସନ ଡେଭଲପମେଣ୍ଟ ଓ ଆପଡେସନ, ଆନିମେସନ, ମଲଟି ମିଡିଆ ସଫଟୱେର ଆଦି ଅନେକ କ୍ଷେତ୍ରରେ କାମ କରୁଛନ୍ତି। ସ୍ମିୟା ଇମ୍ପୋସନରେ ୧୩ ଜଣ ବିଭିନ୍ନ କ୍ଷେତ୍ରରେ ଚାକିରି କରିଛନ୍ତି। ତେବେ ବାମପଦା ଠାରେ ଭିତ୍ତିିଭୂମିର କାର୍ଯ୍ୟ ସରିଲେ ଅଧିକ କମ୍ପାନୀ ଆସିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହା ଛଡା ଇଡକୋ ପକ୍ଷରୁ ଏକ କମର୍ସିଆଲ ଟାୱାର ହେବାର ଯୋଜନା ରହିଛି। ଏହା ଦ୍ୱାରା ବାଲେଶ୍ୱର ଅଞ୍ଚଳର ଆଇଟି ଡିଗ୍ରୀଧାରୀ ପିଲାମାନେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇପାରିବେ।
ସେମାନେ ଯାହା କହନ୍ତି …
ହରିହର ଜେନା (ସାଧାରଣ ପରିଚାଳକ, ଡିଆଇସିଓ ବାଲେଶ୍ୱର) : ବାଲେଶ୍ୱରରେ ଇଣ୍ଡଷ୍ଟ୍ରିଆଲ ପାର୍କ ହେବାର ଥିଲା। ତେବେ କିଛି କାରଣ ଯୋଗୁଁ ତାହା ହେବାର ନାହିଁ। ତେବେ ସଫଟୱେର ଟେକନୋଲୋଜି ପାର୍କ, ଏସଟିପିଆଇ ପାଇଁ ବାମପଦା ଠାରେ କାମ ଚାଲିଛି। ଏହା ଛଡା ଏହି ଯୋଜନାରେ କିଛି କମ୍ପାନୀ ନୋସି ରେସିଡେନସିରେ କାମ କରୁଛନ୍ତି। ଏହି କାମ ଯେତେ ଶୀଘ୍ର ସରିବ, ବିଭିନ୍ନ କମ୍ପାନୀମାନେ ଏଠାରେ ଯୋଗ ଦେବେ। ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ।
ସର୍ବେଶ୍ୱର ବରାଳ (ବିଭାଗୀୟ ମୁଖ୍ୟ, ଇଡକୋ) : ଏସଟିପିଆଇ ପାଇଁ ଭିତ୍ତିଭୂମିର ବିକାଶ କାମ ଚାଲିଛି। କାମ ସରିବା ପରେ ବହୁ କମ୍ପାନୀ ଏଠାକୁ ଆସିବା ସହ ବାଲେଶ୍ୱର ଅଞ୍ଚଳର ଆଇଟି ଛାତ୍ରଛାତ୍ରୀମାନେ ନିଯୁକ୍ତି ପାଇବେ। କେଉଁ ସବୁ କମ୍ପାନୀମାନେ ଆସିବେ ତାହା ବର୍ତ୍ତମାନ ସୁଦ୍ଧା ଜଣାଯାଇ ନାହିଁ। ତେବେ ଟଙ୍କାଶାଳ ପାଇଁ ଚାରି ମାସ ତଳେ ଆରବିଆଇ ପ୍ରତିନିଧି ଦଳ ସ୍ଥାନ ପରିଦର୍ଶନ କରିଛନ୍ତି।

Leave A Reply