ମିଳିଲା ଦ୍ୱିତୀୟ ଶବ, ଉଦ୍ଧାର କାର୍ଯ୍ୟ ଶେଷ

0

ବାରିଗୁମ୍ମା/ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ବୋରିପୁଟ ପଥର ଖାଦାନରେ ପାହାଡ଼ ଧସି ପଥର ତଳେ ଚାପି ହୋଇ ରହିଯାଇଥିବା ଜେସିବି ଅପରେଟର ଶବକୁ ଶୁକ୍ରବାର ୧୫ଦିନ ପରେ ଉଦ୍ଧାର କରାଯାଇଛି। ଗତକାଲି ଘନଶ୍ୟାମ ଗୁରୁ ନାମକ ଜଣକର ଗଳିତ ଶବ ଉଦ୍ଧାର କରାଯାଇଥିବାବେଳେ ଆଜି ସଞ୍ଜୟ ଦାସର ଶବ ଉଦ୍ଧାର କରାଯାଇଛି। ସନ୍ଧ୍ୟାରେ ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟରେ ସେନା ସଫଳ ହୋଇଥିବାବେଳେ ୧୫ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି।
ଆଜି ପୂର୍ବାହ୍ଣରେ ଗୋଟିଏ ବିସ୍ଫୋରଣ ଏବଂ ଅପରାହ୍ଣ୨ଟାରେ ଦ୍ୱିତୀୟ ବିସ୍ଫୋରଣ କରାଯାଇଥିଲା। ପରେ ବଡ଼ ବଡ଼ ପଥରଗୁଡ଼ିକ ଖଣ୍ଡ ବିଖଣ୍ଡିତ ହେବା ପରେ ସେଗୁଡ଼ିକୁ ଉଠାଯାଇ ଦ୍ୱିତୀୟ ଜେସିବିଟିକୁ ପଥର ତଳୁ ଉଦ୍ଧାର କରାଯାଇଥିଲା। ସନ୍ଧାନୀ କୁକୁର ସହାୟତାରେ ସଞ୍ଜୟ ଦାଶଙ୍କ ଶବ ରହିଥିବା ସ୍ଥାନ ଚିହ୍ନଟ କରାଯାଇଥିଲା। ପରେ ଶବ ଉଦ୍ଧାର କରାଯାଇଥିଲା। ସଞ୍ଜୟର ଶବ ଉଦ୍ଧାର କରାଯିବା ପରେ ଉଦ୍ଧାର କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଓପାଙ୍ଗ ଆୱା, ଅଗ୍ନିଶମ ବାହିନୀ ଆଇଜି ରାଜେଶ କୁମାର, କୋରାପୁଟ ଜିଲାପାଳ କେ.ସୁଦର୍ଶନ ଚର୍କବର୍ତ୍ତୀ, ଏସପି ଡଃ କନୱର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସଞ୍ଜୟଙ୍କ ଶବ ଉଦ୍ଧାର କରାଯିବା ପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ଭିଣୋଇ ଶବ ଚିହ୍ନଟ କରିଥିଲେ। ସିଡିଏମଓ ଡାକ୍ତର ଲଳିତମୋହନ ରଥ, ଏଡିଏମଓ ଅରୁଣ ତ୍ରିପାଠୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ସହ ଡିଏନଏ ପରୀକ୍ଷା କରାଯାଇଥିଲା। ଘନଶ୍ୟାମଙ୍କ ଭଳି ସଞ୍ଜୟଙ୍କ ଆତ୍ମୀୟଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ଲକ୍ଷ ଓ ଜିଲା ରେଡକ୍ରସ ପାଣ୍ଠିରୁ ଏକଲକ୍ଷ ଏପରି ମୋଟ ୬ଲକ୍ଷର ସହାୟତା ରାଶି ପ୍ରଦାନ କରାଯିବା ପରେ ଶବକୁ ଆମ୍ବୁଲାନ୍ସ ଯୋଗେ ଆଠଗଡ଼ ପଠାଇ ଦିଆଯାଇଛି।
ଠିକା ସଂସ୍ଥାର ମ୍ୟାନେଜର ଅଟକ
ଜୟପୁର : ବୋରିପୁଟ ପାହାଡ ଧସେଇ ଦୁଇଜଣ ମୃତ୍ୟୁ ଘଟଣାରେ ପୁଲିସ ସାଇଟ ମ୍ୟାନେଜର ବିଜୟ କୁମାର ଝାଙ୍କୁ ଅଟକ ରଖିଥିବା ଜଣାପଡିଛି। ବିଜୟଙ୍କୁ ଆଜି ସନ୍ଧ୍ୟାରେ ରାଣୀଗୁଡ ଏବଂ ବିସିଂପୁର ପୁଲିସ ଏ ସମ୍ପର୍କରେ ଅଧିକ ପଚରାଉଚୁରା କରୁଛନ୍ତି। ଓଆଇସି ଅଜୟ କୁମାର ମୁର୍ମୁ ଘଟଣାର ତଦନ୍ତ କରୁଛନ୍ତି।

Leave A Reply