ସ୍ବାମୀ ଚିନ୍ମୟାନନ୍ଦ ଗିରଫ

0

ଲକ୍ଷ୍ନୌ: ବିଜେପରି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଚିନ୍ମୟାନନ୍ଦଙ୍କୁ ଗିରଫ କରିବା ପରେ ଲକ୍ଷ୍ନୌ ହସ୍ପିଟାଲକୁ ନେଇ ଡାକ୍ତରୀ ପରୀକ୍ଷା କରାଇଛି। ଶୁକ୍ରବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ କହିଛନ୍ତି।

ଜଣେ ଆଇନ ଛାତ୍ରୀ ୭୨ ବର୍ଷୀୟ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଚିନ୍ମୟାନନ୍ଦ ତାଙ୍କୁ ଦୀର୍ଘ ଦିନ ଧରି ଶାରିରୀକ ନିର୍ଯାତନା ଦେବା ସହିତ ବଳାତ୍କାର କରିଥିଲେ ଏବଂ ସେ ଏକାଧିକ ଛାତ୍ରୀଙ୍କ ଜୀବନ ନଷ୍ଟ କରିଛନ୍ତି ବୋଲି ଛାତ୍ରୀ ଜଣକ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ। କିନ୍ତୁ ସେ ବିଜେପିର ବରିଷ୍ଠ ନେତା ହୋଇଥିବାରୁ ପୁଲିସ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏହା ମଧ୍ୟରେ ଅଭିଯୋଗକାରୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସପ୍ତାହକ ପରେ ଛାତ୍ରୀ ଜଣକ ଉଦ୍ଧାର ହୋଇଥିଲେ। ଅଭିଯୁକ୍ତ ପ୍ରତି ପୁଲିସର କୋହଳ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଶେଷରେ ଚିନ୍ମୟାନନ୍ଦଙ୍କୁ ଗିରଫ କରାଯାଇଛି। ତେବେ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଉପରେ ମାମଲା ରୁଜୁ ହୋଇନାହିଁ। ଛାତ୍ରୀଙ୍କୁ ଅପହରଣ ଏବଂ ଧମକ ଦେବା ଅଭିଯୋଗରେ ଗତ ଅଗଷ୍ଟ ୨୭ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ବଳାତ୍କାର ଅଭିଯୋଗ ଉପରେ ଚିନ୍ମୟାନନ୍ଦଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନ ଥିବା ପୁଲିସର ସ୍ବତନ୍ତ୍ର ଟିମ୍‌ ପକ୍ଷରୁ କୁହାଯାଇଛି।

Leave A Reply