ଗୁଗଲ ବିଜ୍ଞାପନ ମାମଲା; ସର୍ବାଗ୍ରେ ବିଜେପି ଏବଂ ଷଷ୍ଠ ସ୍ଥାନରେ କଂଗ୍ରେସ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ସମୟରେ ସର୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲରେ ବିଜ୍ଞାପନ ଦେଉଥିବା ରାଜନୈତିକ ଦଳ ମଧ୍ୟରୁ ଭାରତୀୟ ଜନତା ପାର୍ଟି ସବଠାରୁ ଆଗରେ ରହିଛି । ଗୁଗଲରେ ବିଜ୍ଞାପନ ବାବଦକୁ ହେଉଥିବା ଖର୍ଚ୍ଚରେ ମଧ୍ୟ ବିଜେପି ସମସ୍ତଙ୍କୁ ପଛରେ ପକାଇଛି । ତେବେ ଏହି ମାମଲାରେ କଂଗ୍ରେସ ଷଷ୍ଠ ସ୍ଥାନରେ ରହିଛି ।

୩.୭୬ କୋଟି ଟଙ୍କାର ବିଜ୍ଞାପନ

ଭାରତୀୟ ପାରିଦର୍ଶିତା ରିପୋର୍ଟ ଅନୁଯାୟୀ, ୨୦୧୯ ମସିହା ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଏବଂ ସହଯୋଗୀ ଦଳ ଗୁଗଲ ବିଜ୍ଞାପନ ବାବଦକୁ ୩.୭୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭାରତୀୟ ଜନତା ପାର୍ଟି ବିଜ୍ଞାପନ ପାଇଁ ୧.୨୧ କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଯାହା ଗୁଗଲର ମୋଟ ବିଜ୍ଞାପନ ଖର୍ଚ୍ଚର ପ୍ରାୟ ୩୨ ପ୍ରତିଶତ ।

କଂଗ୍ରେସର ପିଜ୍ଞାପନ କାଇଁ ୫୪ ହଜାର

ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି । କଂଗ୍ରେସ ଦଳ ଗୁଗଲ ବିଜ୍ଞାପନ ପାଇଁ ୫୪ ହଜାର ୧୦୦ ଟଙ୍କା ଖର୍ଚ୍ଚ କରିଛି । ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବଧୀନ ୱାଇଏସଆର କଂଗ୍ରେସ ଦଳ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଗୁଗଲ ବିଜ୍ଞାପନ ପାଇଁ ଏହି ଦଳ ମୋଟ ୧.୦୪ କୋଟି ଟଙ୍କା ଖର୍ଚ୍ଚ କରିଛି । ୱାଇଏସଆର କଂଗ୍ରେସ ଦଳର ପ୍ରଚାରକ ପମ୍ମୀ ସାଈ ଚରଣ ରେଡ୍ଡୀ ପ୍ରାର୍ଥୀଙ୍କ ପାଇଁ ୨୬ ହଜାର ୪୦୦ ଟଙ୍କା ଖର୍ଚ୍ଚ କରିଛନ୍ତି ।

ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଏହାର ମୁଖ୍ୟ ଚନ୍ଦ୍ର ବାବୁ ନାୟଡୁଙ୍କ ପ୍ରଚାର କରୁଥିବା ‘ପ୍ରମାଣ୍ୟ ଷ୍ଟ୍ରେଟେଜି କନ୍ସଲେଟିଙ୍ଗ ପ୍ରାଇଭେଟ ଲିମିଟେଡ୍’ ଗୁଗଲ ବିଜ୍ଞାପନ ପାଇଁ ୮୫.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଗୁଗଲ ବିଜ୍ଞାପନ ତାଲିକାରେ ଏହି ପ୍ରଚାର କମ୍ପାନୀ ତୃତୀୟ ସ୍ଥାନରେ ରହିଛି । ସେହିପରି ଚନ୍ଦ୍ର ବାବୁ ନାୟଡୁଙ୍କ ପାଇଁ ପ୍ରଚାର କରୁଥିବା ଅନ୍ୟ ଏକ କମ୍ପାନୀ ‘ଡିଜିଟାଲ କନ୍ସଲେଟିଙ୍ଗ ପ୍ରାଇଭେଟ ଲିମିଟେଡ୍’ ଗୁଗଲ ବିଜ୍ଞାପନ ପାଇଁ ୬୩.୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ତାଲିକାର ଚତୁର୍ଥ ନମ୍ବରରେ ରହିଛି ।

Comments are closed.