ସ୍ବଚ୍ଛ ଶାସନର ଦ୍ବାହି ଦେଇ ରାଜ୍ୟ ସରକାର ପିସି, ଚିଟଫଣ୍ଡ ଓ ଖଣି ଚୋରି ଭଳି ଦୁର୍ନିତୀରେ ଲିପ୍ତ ରହିଛନ୍ତି : ଧର୍ମେନ୍ଦ୍ର

ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ର ରୁପିଡ଼ିହିଠାରେ ଗତ ୬ ତାରିଖ ଦିନ ବିଜେପିର ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇ ପ୍ରତ୍ୟାବର୍ତ୍ତନ କରିବାର ସପ୍ତାହେ ପରେ ପୁନଶ୍ଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ହେମଗିରରେ ଅନୁରୂପ ସମାବେଶରେ ଯୋଗଦେଇ ‘ମୋଦୀ ଇଫେକ୍ଟ’କୁ ତ୍ବରାନ୍ନିତ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟର ଦୃତ ବିକାଶ ପାଇଁ ସରକାର ବଦଳିବା ଅତ୍ୟନ୍ତ ଜରୁରୀ ବୋଲି ଆହ୍ବାନ ଦେଇଛନ୍ତି ।

ହେମଗିରର ଡ଼ୁଡ଼ୁକାଠାରେ ଅନୁଷ୍ଠିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ ଜିଲା ଓ ହେମଗିର ବ୍ଲକର ବିକାଶ ଆଶାନୁରୂପ ଭାବେ ହୋଇନଥିବାର ଅଭିଯୋଗ କରି ରାଜ୍ୟ ସରକାର ସ୍ବଚ୍ଛ ଶାସନର ଦ୍ବାହି ଦେଇ ବ୍ୟାପକ ପିସି, ଚିଟଫଣ୍ଡ କାରବାର ଓ ଖଣିଚୋରି ଭଳି ଦୁର୍ନିତୀରେ ଲିପ୍ତ ରହିବା ଦୁର୍ଭାଗ୍ୟ ଜନକ ହୋଇଥିବା ବେଳେ ଏଠି ଖଣି ଲୁଟେରା ମାନେ ଯୋଜନାବଦ୍ଧ ଭାବେ ଖଣିକୁ ଅକ୍ତିଆର କରି ନିଜ ବ୍ୟବସାୟକୁ ବୃଦ୍ଧି କରିବାର ଯୋଜନା କରି ପ୍ରାର୍ଥୀ ହେବା ଅତ୍ୟନ୍ତ ଉଦ୍‌ବେଗର ବିଷୟ ବୋଲି ଅଭିଯୋଗ କରି ଏମାନଙ୍କ ଅନୈତିକ କାର୍ଯ୍ୟକଳାପକୁ ମୂଳତ୍ପାଟନ କରିବା ପାଇଁ ପ୍ରାର୍ଥୀନୀ କୁସୁମ ଟେଟେଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । କୁସୁମଙ୍କ ବିଜୟରେ ଦୁର୍ନିତୀ ଓ ଅନୈତିକ କାର୍ଯ୍ୟରେ ପୁର୍ଣ୍ଣଛେଦ ପଡ଼ିବା ସହ ହେମଗିର ଓ ସୁନ୍ଦରଗଡ଼ ଅଞ୍ଚଳର ବିକାଶର ଧାରା ଅାଗେଇବ ବୋଲି କହିବା ସହ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ବିଜେପିକୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ । ଏହି ସମାବେଶ ରେ ବିଜେପିର ସଦର ବିଧାନସଭା ପ୍ରାର୍ଥିନୀ କୁସୁମ ଟେଟେ, ଜିଲା ସଭାପତି ବଟକିଶୋର ମିଶ୍ର, ପୂର୍ବତନ ବିଧାୟିକା ସୁଷମା ପଟେଲ, ଜିଲା ସାଧାରଣ ସଂପାଦକ ପ୍ରେମ ସାଗର ଓରାମ, ସଭାପତି ହେମଗିର ମଣ୍ଡଳ ଅରୁଣ ପ୍ରଧାନ, ବିଲାଇମୁଣ୍ଡା ମଣ୍ଡଳ ସଭାପତି ବିଷିକେଷନ ସା, ସଭାପତି ଆଦିବାସୀ ମୋର୍ଚ୍ଚା କଳାକୃଷ୍ଣ ଓରାମ ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ସଚିନ୍ଦ୍ର ମାଝୀ, ସରପଞ୍ଚ ରବୀନ ବୈଗା, ଉପେନ୍ଦ୍ର ମଲ୍ଲିକ, ଅଜୟ ପଟେଲ, ହିମାଂଶୁ ଷଡ଼ଙ୍ଗୀ, ପ୍ରଣବ ଭୈଷାଲ, ବିମଲ ପଟେଲ, ଯଶବନ୍ତ ନାଏକ, ବୈକୁଣ୍ଠ ବନଛୁର ସମେତ ବିସ୍ଥାପିତ ସଂଘର କର୍ମକର୍ତ୍ତା, ଶତାଧିକ ସଦସ୍ୟ ଓ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Comments are closed.