ଛତିଶଗଡରେ ବିଜେପିର ସଙ୍କଳ୍ପ ପତ୍ର ଜାରି

0

ରାୟପୁର: ଛତିଶଗଡର ୧୨ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଶନିବାର ସଂଧ୍ୟାରେ ପ୍ରଚାର ଅଭିଯାନ ଶେଷ ହେବ । ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ ପ୍ରଚାରରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଓ କଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ଶନିବାର ଛତିଶଗଡରେ ବିଧାନ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଘୋଷଣାପତ୍ର ଜାରି କରିଛି । ଏହାକୁ ଦଳ ପକ୍ଷରୁ ସଙ୍କଳ୍ପ ପତ୍ରର ନାମ ଦିଆଯାଇଛି । ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାୟପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି । ଏହି ଅବସରରେ ଅମିତ ଶାହା କହିଛନ୍ତି ଯେ, ୧୫ ବର୍ଷ ମଧ୍ୟରେ ରମଣ ସିଂହ ସରକାର ଛତିଶଗଡରେ ଅନେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛନ୍ତି । ଛତିଶଗଡ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପରେ ସ୍ଥାନୀୟ ଜନତା ବିଜେପି ଦଳଙ୍କୁ ହିଁ ଜନମତ ଦେଇଛନ୍ତି । ରମଣ ସିଂହ ମୁଖ୍ୟମନ୍ତ୍ରୀ ହେବା ପରେ ୧୫ ବର୍ଷ ମଧ୍ୟରେ ରାଜ୍ୟ ବିକାଶ ପଥରେ ଅଗ୍ରସର ହୋଇଛି । ମାଓବାଦୀର ଦମନ କରିବାରେ ରମଣ ସରକାର ଅନେକାଂଶରେ ସଫଳ ହୋଇଛନ୍ତି ।

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି, ଏକଦା ଛତିଶଗଡ ପଛୁଆ ରାଜ୍ୟ ଭାବେ ଜଣାଯାଉଥିଲା। ହେଲେ ଆଜି ଛତିଶଗଡ ପାୱାର ହବ୍, ଇସ୍ପାତ ହବ୍, ଆଲ୍ୟୁମିନିୟମ୍ ହବ୍ ଏବଂ ଶିକ୍ଷା ହବ୍ ରହିଛି । ଛତିଶଗଡରେ ଡିଜିଟାଲ ହବ୍ ନିର୍ମାଣ କରିବାରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ଯୋଜନା କରୁଛନ୍ତି ।  ଭ୍ରଷ୍ଟାଚାର ବିହୀନ ପ୍ରକିୟା ଦ୍ବାରା ସରକାରୀ ଯୋଜନାଗୁଡିକୁ ସରକାର ଜନତାଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ସେ କହିଛନ୍ତି ଯେ , ଛତିଶଗଡରେ ବିଜେପି ଚତୁର୍ଥ ଥର ସରକାର ଗଢିବ ବୋଲି ଜନାଦେଶ ଉପରେ ଦଳର ପୁରା ଭରସା ରହିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଏବଂ ଏଠାରେ ରମଣ ସିଂହ ସରକାର ମିଳିତ ଭାବରେ ଛତିଶଗଡକୁ ଆହୁରି ବିକାଶ ପଥରେ ଆଗେଇ ନେବେ । ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ୨୬ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ସେହିପରି ଉଜ୍ବଳା ଯୋଜନାରେ ରାଜ୍ୟରେ ୨୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।

Leave A Reply