ବିଜେପିକୁ ଦାନ ମିଳିଛି ୭୪୩ କୋଟି, ଅନ୍ୟ ଦଳଗୁଡ଼ିକଠାରୁ ୩ ଗୁଣ ଅଧିକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ବିଜେପିକୁ ୭୪୩ କୋଟି ଟଙ୍କା ଦାନ ଆକାରରେ ମିଳିଛି। ଗତ ଅକ୍ଟୋବର ୩୧ ତାରିଖରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଦଳ ପକ୍ଷରୁ ଏ ନେଇ ଅବଗତ କରାଯାଇଥିବାବେଳେ ଗତ ସୋମବାର ଏହି ତଥ୍ୟ ସାର୍ବଜନୀନ କରାଯାଇଛି। ତେବେ ଅନ୍ୟ ୬ଟି ରାଜନୈତିକ ଦଳ ମୋଟ ଯେତିକି ଅର୍ଥ ଦାନ ଆକାରରେ ଗ୍ରହଣ କରିଛନ୍ତି, ତାହାଠାରୁ ବିଜେପିକୁ ୩ ଗୁଣ ଅଧିକ ଅର୍ଥ ମିଳିଛି।

ଭାରତରେ ଲାଗୁ ହୋଇଥିବା ରାଜନୈତିକ ପାଣ୍ଠି ଆଇନ ଅନୁସାରେ ରାଜନୈତିକ ଦଳଗୁଡ଼ିକ କୌଣସି କମ୍ପାନୀ, ଟ୍ରଷ୍ଟ କିମ୍ବା କୌଣସି ସଂସ୍ଥାଠାରୁ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ଅର୍ଥ ଦାନ ଆକାରରେ ଗ୍ରହଣ କଲେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ତଥ୍ୟ ଅନୁସାରେ, କଂଗ୍ରେସକୁ ଦ୍ବିତୀୟ ସର୍ବାଧିକ ୧୪୭ କୋଟି ଟଙ୍କା ମିଳିଛି। ତେବେ ବିଜେପି ଗ୍ରହଣ କରିଥିବା ମୋଟ ୭୪୩ କୋଟି ଟଙ୍କା ମଧ୍ୟରୁ ପ୍ରୋଗ୍ରେସିଭ୍‌ ଇଲେକ୍ଟୋରାଲ ଟ୍ରଷ୍ଟ ପକ୍ଷରୁ ସର୍ବାଧିକ ୩୫୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ବିଗତ ୧୬ ବର୍ଷ ମଧ୍ୟରେ ବିଜେପି ୨୦୧୮-୧୯ରେ ସବୁଠୁ ଅଧିକ ଦାନ ସଂଗ୍ରହ କରିଛି। କଂଗ୍ରେସ ମଧ୍ୟ ବିଗତ ୧୬ ବର୍ଷ ମଧ୍ୟରେ ଏଥର ସର୍ବାଧିକ ଦାନ ପାଇଛି।

Comments are closed.