ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ମାମଲା ; ଜରୁରୀ ଶୁଣାଣି ନିବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ : କଲକାତା ହାଇକୋର୍ଟରୁ ନିରାଶ ହେବା ପରେ ବିଜେପି ପଶ୍ଚିମବଙ୍ଗରେ ଏହାର ରଥଯାତ୍ରା ପ୍ରସଙ୍ଗକୁ ସୋମବାର ସର୍ବୋଚ୍ଚ ଅଦାଲତକୁ ନେଇଛି । ହାଇକୋର୍ଟଙ୍କ ରାୟ ବିରୋଧରେ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯିବା ସହିତ ଜରୁରୀ ଶୁଣାଣି ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି ନିବେଦନକୁ ଖାରଜ କରିଦେଇଛନ୍ତି । ନିୟମିତ କାର୍ଯ୍ୟସୂଚୀ ଅନୁସାରେ ଏହି ଆବେଦନର ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତର ରେଜିଷ୍ଟ୍ରାର ସୂଚନା ପ୍ରଦାନ କରିଥିବା ବିଜେପିର ଓକିଲ ପ୍ରକାଶ କରିଛନ୍ତି। ଏହି ରଥଯାତ୍ରାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଅନୁମତି ଦେବାକୁ ମନା କରିବା ପରେ ଦଳ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା। ହାଇକୋର୍ଟ ମଧ୍ୟ ଏହାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟର ଶୀତକାଳୀନ ଛୁଟି ଆରମ୍ଭ ହୋଇଥିବାରୁ ଏହି ଆବେଦନ ଉପରେ ଶୁଣାଣି ହୋଇପାରିନାହିଁ। ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ‘ଗଣତନ୍ତ୍ର ବଞ୍ଚାଅ ଶୋଭାଯାତ୍ରା’ କ୍ରମେ ତିନୋଟି ରଥଯାତ୍ରା ମାଧ୍ୟମରେ ପଶ୍ଚିମବଙ୍ଗର ୪୨ଟି ନିର୍ବାଚନମଣ୍ଡଳୀ ପରିକ୍ରମା କରିବାର ଯୋଜନା କରିଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ସାମ୍ପ୍ରଦାୟିକ ସଦ୍‌ଭାବ ହାନି ହେବାର ଆଶଙ୍କା ଥିବା ଦର୍ଶାଇ ମମତାଙ୍କ ସରକାର ଏହାକୁ ଅନୁମତି ଦେଉ ନାହାନ୍ତି।

Leave A Reply