ମୋଦି ଆଧୁନିକ ଭାରତର ବିନ୍ଧାଣୀ:ସମ୍ବିତ ପାତ୍ର

0

ମହାନଦୀ ପ୍ରସଙ୍ଗରେ ନବୀନଙ୍କ ଦୋମୁହାଁ ନୀତି
ଓଡ଼ିଶା ଚାଷୀଙ୍କୁ ମିଳିବ ଉଚିତ୍‍ ଏମ୍‍ଏସ୍‍ପି
ଭୁବନେଶ୍ୱର:୨୦୧୪ରେ ମୋଦି ସରକାର ଶାସନ ଗାଦିକୁ ଆସିବା ପୂର୍ବରୁ କଂଗ୍ରେସର ଉପା ସରକାର ଟୁ-ଜି, ର୍ଥୀ-ଜି, ସ୍ପେକ୍‍ଟ୍ରମ ଭଳି ମହାଦୁର୍ନୀତି କରି ୧୪କୋଟି ଲକ୍ଷ ଚଳୁ କରି ଦେଇଥିଲେ। ସେତେବେଳେ ଦେଶ ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେଭଳି ଅବସ୍ଥା ଏବେ ନାହିଁ। ଅର୍ଥନୈତିକ ଦୂରଦୃଷ୍ଟି ଓ ବିଚକ୍ଷଣତା ଯୋଗୁଁ ୪ବର୍ଷରେ ଜିଡ଼ିପି ହାର ୪.୮ରୁ ୭.୪କୁ ବଢ଼ିଛି। ଆସନ୍ତାକାଲି ମୋଦି ସରକାରର ୪ବର୍ଷ ପୂର୍ତ୍ତି ଉତ୍ସବ କଟକରେ ପାଳନ ହେବ। ଓଡ଼ିଶାର ଐତିହାସିକ ଓ କିମ୍ବଦନ୍ତୀ ପୀଠ କଟକ ବାଲିଯାତ୍ରା ପଡିଆରେ ପ୍ରଧାନମନ୍ତ୍ରୀ ଗତ ୪ବର୍ଷରେ କରିଥିବା ସଫଳ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ସିଞ୍ଚାଇ ଯୋଜନା, ସ୍ୱଚ୍ଛଭାରତ ଯୋଜନା, ଉଜ୍ଜ୍ୱଳା ଯୋଜନା ଖାଦ୍ୟ ସୁରକ୍ଷା ଯୋଜନା, ଅଟଳ ପେନସନ ଯୋଜନା ଭଳି ୪୮ଟିର ରିପୋର୍ଟକାର୍ଡ ଦେଶବାସୀଙ୍କ ଆଗରେ ରଖିବେ। ଜନଧନ ଯୋଜନାରେ କିଭଳି ୭୦ବର୍ଷ ଧରି ଦେଶର ୫୦ ପ୍ରତିଶତ ଲୋକେ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ ସେମାନଙ୍କୁ ସାମିଲ କରାଯିବାକୁ ନେଇ ବିଶ୍ୱବାସୀ ଆଚମ୍ବିତ ହୋଇପଡିଛନ୍ତି। ନରେନ୍ଦ୍ର ମୋଦି ହେଉଛନ୍ତି ନବଭାରତ ଗଠନର ଆଧୁନିକ ବିନ୍ଧାଣୀ। ଭାରତକୁ ଗଢ଼ିବା ପାଇଁ ସେ ଯେଉଁ କୌଶଳ ଆପଣାଇଛନ୍ତି ତାହାକୁ ଆଜି ବିଶ୍ୱବାସୀ ଦେଖି ଚକିତ ରହି ଯାଉଛି ବୋଲି ବିଜେପିର ରାଷ୍ଟ୍ର୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର କହିଛନ୍ତି।
ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ସାମ୍ବାଦିକଙ୍କ ମହାନଦୀ ପ୍ରସଙ୍ଗ ଉପରେ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଆପଣାଇଛନ୍ତି। ବିଧାନସଭା ଭଳି ପବିତ୍ର ଗୃହରେ ମୁଖ୍ୟମନ୍ତ୍ରୀ ମହାନଦୀରେ ଜଳ ସଙ୍କଟ ନାହିଁ, ଉଚିତ ପାଣି ଓଡ଼ିଶାକୁ ଆସୁଛି ଏବଂ ୨୦୫୧ ପର୍ଯ୍ୟନ୍ତ ରାଜ୍ୟରେ ପାଣି ସମସ୍ୟା ଦେଖାଦେବ ନାହିଁ ବୋଲି କହୁଥିବାବେଳେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ମହାନଦୀ ଜଳ ସମସ୍ୟାର ସମାଧାନ କରିବା ଲାଗି ପତ୍ର ଲେଖିବା ଏବଂ ରାଜନୈତିକ ଆନ୍ଦୋଳନ କରିବା ଏହାକୁ ସ୍ପଷ୍ଟ କରୁଛି। ତେବେ ଛତିଶଗଡ଼ ସରକାର ଯେଉଁ ବ୍ୟାରେଜ୍‍ ନିର୍ମାଣ କରୁଛନ୍ତି ତାହା କାହା ପ୍ରରୋଚନାରେ ହେଉଛି ଏବଂ ଏହା ବେଆଇନ କି ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କୌଣସି ଉତ୍ତର ଦେଇ ନଥିଲେ। ସେହିପରି ପ୍ରଧାନମନ୍ତ୍ରୀ ୪୮ଟି ସଫଳ ଫର୍ଦ ମଧ୍ୟରେ କୃକେମାନଙ୍କ ପାଇଁ ଉତ୍ପାଦିତ ସାମଗ୍ରୀର ଦେଢ଼ଗୁଣା ତଥା ଏମ୍‍ଏସ୍‍ପି ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ମାତ୍ର ଏନେଇ ଓଡ଼ିଶାରେ ଧାନ କୁଇଣ୍ଟାଲ ପିଛା ୨୨୪୪ଟଙ୍କା ଖର୍ଚ୍ଚ ହେଉଥିବାବେଳେ କେନ୍ଦ୍ର ସରକାରଙ୍କ ଏମ୍‍ଏସ୍‍ପି ୧୫୫୦ଟଙ୍କା ଘୋଷଣା ପ୍ରଧାନମନ୍ତ୍ରୀଙ୍କ କିପ୍ରକାର ଆନ୍ତରିକତା ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଥିଲେ ଯେ ଏନେଇ ନୀତି ଆୟୋଗଙ୍କ ପକ୍ଷରୁ ସର୍ଭେ ଚାଲିଛି। ନୀତି ଆୟୋଗଙ୍କ ରିପୋର୍ଟ ମିଳିବା କ୍ଷଣି ଏମ୍‍ଏସ୍‍ପି ବୃଦ୍ଧି କରାଯିବ । ତେବେ ୪ବର୍ଷ ତଳେ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଳାଧନ ଫେରାଇ ଆଣିବା ଏବଂ ବିମୁଦ୍ରାକରଣ ପ୍ରସଙ୍ଗ କ’ଣ ମୋଦିଙ୍କ ସଫଳତା ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ଶ୍ରୀ ପାତ୍ର ଏଡାଇ ଯାଇଥିଲେ। ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରବକ୍ତା ଗୋଲକ ମହାପାତ୍ର ଓ କାଳନ୍ଦୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply