ବିଜେପିକୁ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ମିଳିଛି – ଫଡନଭିସ୍‍

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସହଯୋଗୀ ଶିବସେନା କ୍ଷମତାର ସମାନ ହକ୍‍ ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‍ କହିଛନ୍ତି ବିଜେପିକୁ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ମିଳିଛି ଏବଂ ବିଜେପି ନେତୃତ୍ୱାଧୀନ ମେଣ୍ଟ ରାଜ୍ୟରେ ସ୍ଥିର ସରକାର ଗଠନ କରିପାରିବ। ମୁମ୍ବାଇଠାରେ ଦୀପାବଳି ଅବସରରେ ଦଳୀୟ ନେତାମାନଙ୍କୁ ଉଦବୋଧନ ଦେଇ ଫଡନଭିସ୍‍ କହିଛନ୍ତି ଦୀପାବଳୀ ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ସେ କହିଛନ୍ତି ଜନାଦେଶ ଅନୁସାରେ ବିଜେପି, ଶିବସେନା ଓ ଅନ୍ୟାନ୍ୟ ଦଳକୁ ନେଇ ଗଠିତ ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜନାଦେଶ ଅନୁସାରେ ବିଜେପି ହେଉଛି ଏକକ ସଂଖ୍ୟାଗରିଷ୍ଠ ଦଳ। ସେ କହିଛନ୍ତି ଦୀପାବଳି ପରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ ଓ ପରେ ପରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ମହାରାଷ୍ଟ୍ର ବିଜେପି ଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି

ବିଧାୟକ ଦଳ ନେତା ନିର୍ବାଚନ ପାଇଁ ଆସନ୍ତା ବୁଧବାର ନବନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବ। ମୁମ୍ବାଇର ବିଧାନଭବନରେ ଏହି ବୈଠକ ବସିବ। ନବନିର୍ବାଚିତ ଏନ୍‍ସିପି ବିଧାୟକମାନେ ମଧ୍ୟ ଆସନ୍ତା ୩୦ ତାରିଖରେ ଦଳର ମୁଖ୍ୟାଳୟଠାରେ ଏକତ୍ରିତ ହୋଇ ଦଳର ନେତା ନିର୍ବାଚନ କରିବେ। ଦଳର ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ସମସ୍ତ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ଜାରି ରହିଛି। ଶିବସେନା ସଭାପତି ଉଦ୍ଧବ ଠାକରେ ଇତି ମଧ୍ୟରେ ମୁମ୍ବାଇରେ ପାର୍ଟିର ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରିଛନ୍ତି। ଶିବସେନା ଏମ୍‍.ଏଲ୍‍.ଏ. ପ୍ରତାପ ସରନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି, ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କ୍ଷମତା ବଣ୍ଟନରେ ସମାନତା ନୀତି ଲାଗୁ କରିବା ପାଇଁ ବିଜେପିଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ବିଷୟ ଦାବି କରିଥିଲେ।

Comments are closed.