ଆମେଠିରେ ବିଜେପି ନେତାଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ : ଆମେଠି ଲୋକସଭା ନିର୍ବାଚନରେ ପ୍ରଚାର ସମୟରେ ସ୍ମୃତି ଇରାନିଙ୍କ ସାରଥି ସାଜିଥିବା ବିଜେପି ନେତା ସୁରେନ୍ଦ୍ର ସିଂହଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ସୂଚନା ମିଳିବା ପରେ ସ୍ମୃତି ଇରାନି ତୁରନ୍ତ ନୂଆଦିଲ୍ଲୀରୁ ଆମେଠି ଯାତ୍ରା କରିଛନ୍ତି । ସେଠାରେ ପହଞ୍ଚି ସୁରେନ୍ଦ୍ର ସିଂହଙ୍କ ଅନ୍ତେଷ୍ଟିକ୍ରିୟାରେ ସାମିଲ ହେବେ ।

ମିଳିଥିବା ସୂଚନା ଅନୁଯାୟୀ , ଜାମୋ ଥାନା ଅନ୍ତର୍ଗତ ବରୌଲିଆ ଗାଁର ପୂର୍ବତନ ସରପଞ୍ଚ ଥିଲେ ସୁରେନ୍ଦ୍ର ସିଂହ । ଶନିବାର ରାତିରେ ସେ ଘର ବାହାରେ ଶୋଇଥିବା ବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ।

ତାଙ୍କ ପୁଅଙ୍କ କହିବା ଅନୁଯାୟୀ, ସୁରେନ୍ଦ୍ର ସିଂହ ବିଜେପି ନେତ୍ରୀ ସ୍ମିତି ଇରାନିଙ୍କ ଅତି ନିକଟତର ଥିଲେ । ଲୋକସଭା ନିର୍ବାଚନ ବେଳେ ସେ  ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସ୍ମୃତି ଇରାନିଙ୍କ ପ୍ରଚାର ଦାୟିତ୍ବ ତାଙ୍କ ମୁଣ୍ଡରେ ନ୍ୟସ୍ତ ଥିଲା । ଆଗାମୀ ଦିନରେ ଏକ ବିଜୟ ଯାତ୍ରା ହେବାକୁ ଥିଲା, ଯାହା କଂଗ୍ରେସ ନେତାଙ୍କୁ ପସନ୍ଦ ନଥିଲା । ତେଣୁ କଂଗେସ ଦଳର କିଛି ନେତା ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି ।

Comments are closed.