ଖସିଲା ପଦ୍ମ ପାଖୁଡା: ଉତ୍ତର ପ୍ରଦେଶର ୨ ଟି ଲୋକସଭା ଆସନରେ ସମାଜବାଦୀ ପାର୍ଟି ବିଜୟୀ

0

ନୂଆଦଲ୍ଲୀ: ବୁଧବାରରେ  ବିହାର ଓ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ଉପ ନିର୍ବାଚନର ମତ ଗଣନା କରାଯାଇଥିଲା । ଏହି  ଉପ ନିର୍ବାଚନରେ ବିଜେପିକୁ ଝଟକା ଲାଗିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଇସ୍ତଫା ଦେଇଥିବା ଗୋରଖପୁରରେ ବିଜେପି ହାରିଯାଇଛି । ଏହା ସହ ଫୁଲପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଗୋଟିଏ ଆସନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କର ଥିବା ବେଳେ ଆଉ ଗୋଟିଏ ଉପ ମୁଖ୍ୟମନ୍ତ୍ରୀ କେଶବପ୍ରସାଦ ମୌର୍ଯ୍ୟଙ୍କର ଥିଲା । ଦୁଇ ଜଣ ବିଧାନସଭାକୁ ଯିବାପରେ ଏହି ଆସନ ଦୁଇଟି ଖାଲି ହୋଇଥିଲା । ମାତ୍ର ଉପ ନିର୍ବାଚନରେ ବିଜେପି ଦୁଇଟି ଯାକ ଆସନ ହରାଇଛି ।

ଗୋରଖପୁରରେ ବିଜେପିକୁ ଜବରଦସ୍ତ ଝଟକା ଲାଗିଛି । ୧୯୯୧ରୁ ଯୋଗୀ ଆଦିତ୍ୟ ନାଥ ୫ ଥର ପାଇଁ ଲଗାତାର ଏହି ଅସନରୁ ବିଜୟୀ ହୋଇଥିଲେ ।

ଏହି ଉପ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା । ଫୁଲପୁରରେ ଏସ୍‌ପିର ନଗେନ୍ଦ୍ର ସିଂ ପଟେଲ ବିଜେପିର  କଶଲେନ୍ଦ୍ର ସିଂ ପଟେଲଙ୍କୁ ପରାସ୍ତ କରିଛନ୍ତି । ଗୋରଖ ପୁରରେ ଏସ୍‌ପିର ନିଶାଦ ବିଜେପିର ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କୁ ପରାସ୍ତ କରିଛନ୍ତି ।

ଏସ୍‌ପି ଓ ବିଏସ୍‌ପିର ମେଣ୍ଟକୁ ବୁଝି ହେଲାନି ଓ ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁଁ ପରାଜୟ ହେଲା ବୋଲି ଯୋଗୀ ଆଦିତ୍ୟ ନାଥ କହିଛନ୍ତି । ଏହା ସହ ଅତି ଅଳ୍ପ ମତଦାନ ହୋଇଥିବାରୁ ଏପରି ହେଲା ବୋଲି ସେ ପ୍ରକାଶ କରିଛନ୍ତି ।

ଏସ୍‌ପି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ  ଦଳିତ, ଚାଷୀ, ଶ୍ରମିକ , ମହିଳା ଓ ବେକାରଙ୍କ ସମର୍ଥନ ଯୋଗୁଁ ତାଙ୍କର ବିଜୟ ହେଲା ବୋଲି ସୂଚନା ଦେଇଛନ୍ତି ।

ବିହାରରେ ସେପରି କିଛି ପରିବର୍ତ୍ତନ  ହୋଇ ନାହିଁ । ବିଜେପି ଓ ଆର୍‌ଜେଡି ନିଜ ନିଜ ଆସନରେ ବିଜୟୀ ହୋଇଛନ୍ତି । ଜେହାନବାଦବିଧାନସଭା ଆସନରେ  ଆର୍‌ଜେଡି, ଭାବୁଆ ବିଧାନସଭା ଆସନରେ ବିଜେପି ଓ ଆରାରିଆରେ ଲୋକସଭା ଆସନରେ ଆର୍‌ଜେଡି ବିଜୟୀ ହୋଇଛନ୍ତି ।

Leave A Reply