ବିଜେପି ଦାଖଲ କଲା ସରକାରଙ୍କ ଦୁର୍ନୀତି ଚାର୍ଜସିଟ୍‍

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୧୮ ବର୍ଷ ଶାସନ କାଳରେ ଯେଉଁସବୁ ଦୁର୍ନୀତି ହୋଇଛି ସେଥିମଧ୍ୟରୁ ୩୬ଟି ମହାଦୁର୍ନୀତିର ଚାର୍ଜସିଟ୍‍ ବିଜେପି ଆଜି ଲୋକାର୍ପିତ କରିଛି। ସୋମବାର ରାଜ୍ୟ କାର୍ଯ୍ୟାଳୟରେ ଦୁର୍ନୀତି ଚାର୍ଜସିଟ୍‍ ଲୋକାର୍ପଣ କରି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ଦୁର୍ନୀତି ବିରୋଧରେ ରାଜ୍ୟର ତୃଣମୂଳସ୍ତର ପର୍ଯ୍ୟନ୍ତ ନିର୍ଣ୍ଣାୟକ ଲଢେଇ ଲଢିବା ପାଇଁ ଏବେ ବିଜେପି ପ୍ରସ୍ତୁତ। ନବୀନ ସରକାରର ଚତୁର୍ଥ ପାଳିର ୪ବର୍ଷ ପୂର୍ତ୍ତି ଅବସରରେ ବିଜେପି ଯେଉଁ ଦୁର୍ନୀତି ଫର୍ଦ ଲୋକଲୋଚନକୁ ଆଣିଛି ତାହା ରାଜ୍ୟବାସୀ ଦେଖି ଚକିତ ହେବେ। ଦୀର୍ଘ ୧୮ ବର୍ଷ ଧରି ନିରଙ୍କୁଶ କ୍ଷମତାରେ ଅନ୍ଧ ହୋଇ ସରକାର ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି। ଓଡିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ବଦଳରେ ଲୋକକଲ୍ୟାଣ ଛାଡି ଜନତା ଜନାର୍ଦନର ଅର୍ଥକୁ ସରକାରୀ ପୃଷ୍ଠପୋଷକତାରେ ହଡପ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ସରକାରୀ ଦଳର ନେତା, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପୃଷ୍ଠପୋଷକତାରେ ଲୁଟ୍‍ କରାଯାଇ କ୍ଷୁଦ୍ର ଜମାକାରୀଙ୍କୁ ସର୍ବସ୍ୱାନ୍ତ କରାଯାଇଛି। ଚିଟ୍‍ଫଣ୍ଡ ମହାଦୁର୍ନୀତିରେ ସାମିଲ ବିଜେଡି ନେତାମାନଙ୍କୁ ଲୋକଦେଖାଣିଆ ଭାବେ ସାମୟିକ କାର୍ଯ୍ୟାନୁଷ୍ଠାନର କଥା କହି ସେମାନଙ୍କୁ ପୁଣିଥରେ ଦଳୀୟ କାମରେ ଲଗାଇବା ମୁଖ୍ୟମନ୍ତ୍ରୀଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ କରିଛି। ଓଡିଶାର ମାଟିତଳେ ଥିବା ଅମାପ ପ୍ରାକୃତିକ ସମ୍ପଦକୁ ରାଜ୍ୟର ସ୍ୱାର୍ଥରେ ନୁହେଁ ବରଂ ବଡବଡ ଦଲାଲଙ୍କ ହାତରେ ଟେକି ଦେଇଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୋଦି ଓଡିଶାକୁ ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରି ପ୍ରତି ଘରେ ଯେପରି ବିକାଶର ସୁଫଳ ପହଞ୍ଚିବ ସେଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ବ୍ୟୟବରାଦ କରିଛନ୍ତି। ସ୍ଥାଣୁତା, ଅପାରଗତା ଯୋଗୁ ଯେଉଁ ପରିମାଣରେ ଯୋଜନାର ସୁଫଳ ଲୋକେ ପାଇବା କଥା ତାହା ପାଇନାହାନ୍ତି। ନବୀନ ସରକାରର ଏତେ ଦୁର୍ନୀତି ସତ୍ତ୍ବେ ମୁଖ୍ୟବିରୋଧୀ କଂଗ୍ରେସ ଦଳ ଚୁପ୍‍ ହୋଇ ବସିଛି।
ବିରୋଧୀ କଂଗ୍ରେସକୁ ଦେଣନେଣ ଆଧାରରେ ନିଜର ବି’ଟିମ୍‍ ବନାଇ ବିଜେଡି ନିଜର ଜନପ୍ରିୟତାର ମିଛ ପ୍ରମାଣପତ୍ର ଦେଖାଉଛି। ଓଡିଆଙ୍କ ହକ ହାସଲ ପାଇଁ ବିଜେଡି ସରକାରର ଦୁର୍ନୀତି ବିରୋଧରେ ନିର୍ଣ୍ଣାୟକ ଲଢେଇ ସହାୟକ ହେବା ସହ ଓଡିଶାକୁ ଏକ ବଡ ରାଜନୈତିକ ପରିବର୍ତ୍ତନ ମୁହାଁ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply