ବିଜେଡି ବିଧାୟକ ଦେବାଶିଷଙ୍କ ନାମରେ ମାମଲା ରୁଜୁ

0

କଟକ: ସହିଦ ସମ୍ପର୍କୀୟଙ୍କୁ ତଣ୍ଟିଆ ମାରିବା ଓ ଗାଳିଗୁଲଜ କରିବା ଅଭିଯୋଗରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଶୁକ୍ରବାର କଟକ ନଗର କଂଗ୍ରେସ ମହିଳା ମୋର୍ଚ୍ଚା ପକ୍ଷରୁ ଦେବାଶିଷଙ୍କ ଗିରଫ ଦାବି କରାଯାଇ ବାଦାମବାଡ଼ି ଥାନାରେ ତାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲା । ଅଭିଯୋଗ କ୍ରମେ ଶନିବାର ବାଦାମବାଡି ଥାନାରେ ଦେବାଶିଷ ନାମରେ ମାମଲା ରୁଜୁ ହୋଇଛି । ପରେ ଏହି ମାମଲା ନିଆଳି ଥାନାକୁ ହସ୍ତାନ୍ତର କରାଯିବ ବୋଲି ବାଦାମବାଡି ଥାନା ପୁଲିସ ପକ୍ଷରୁ କୁହାଯାଇଛି । ଏନେଇ କଟକ ଡିସିପି ଅଖିଳେଶ ସିଂହ ମଧ୍ୟ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପୁଲୱାମା ବିସ୍ଫୋରଣରେ ଓଡିଶାର ଦୁଇଜଣ ଯବାନ ସହିଦ ହୋଇଥିଲେ । ସହିଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ବେଳେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ଦାଦାଙ୍କୁ ଧକ୍କା ମାରିବା ସହ ତଣ୍ଟିଆ ମରିଥିଲେ ଓ ଗାଳିଗୁଲଜ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓଟି ଲୋକଲୋଚନକୁ ଆସିବା ପରେ ବିଧାୟକ କ୍ଷମା ପ୍ରର୍ଥନା କରିବା ସହ ଏହାକୁ ରାଜନୀତି ନ କରାଯାଉ ବୋଲି କହିଥିଲେ ।

ଭିଡିଓଟି ପାକିସ୍ତାନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ କଡ଼ା ସମାଲୋଚନା କରାଯିବା ସହ ବିଧାୟକ ଦେବାଶିଷଙ୍କୁ ଗିରଫ କରିବାକୁ ଦାବି କରାଯାଇଆସୁଛି।

Leave A Reply