ମିଥ୍ୟା ପ୍ରତିଶ୍ରୁତି ମୋଦୀ ସରକାରଙ୍କ ମୂଳମନ୍ତ୍ର : ବିଜେଡି

0

ଭୁବନେଶ୍ୱର : ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ସେସବୁ କ୍ଷମତାସୀନ ହେବା ପରେ ଭୁଲି ଯାଇଛି। ଏବେ ନିର୍ବାଚନକୁ ଆଖି ଆଗରେ ରଖି ପୁଣି ପ୍ରତିଶ୍ରୁତି ପତ୍ର ବାଣ୍ଟିବା ଆରମ୍ଭ କରିଛି। ମିଥ୍ୟା ପ୍ରତିଶ୍ରୁତି ମୋଦୀ ସରକାରଙ୍କ ମୂଳମନ୍ତ୍ର ବୋଲି ବିଜେଡି ଅଭିଯୋଗ କରିଛି। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ନକାରାତ୍ମକ ମନୋଭାବ ସତ୍ତ୍ବେ ବିଜେଡି ସରକାର ରାଜ୍ୟବାସୀଙ୍କ ବିକାଶକୁ ଗୁରୁତ୍ବ ଦେଇ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିବା ଯୋଗୁଁ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ କରିପାରିଛି। ବିଜେପି ନିଯୁକ୍ତି ପ୍ରତିଶ୍ରୁତି ଭୁଲି ଯାଇଥିବା ବେଳେ ୨୦୦୦ରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୬ଲକ୍ଷ ୯୪ହଜାର ୭୭ଜଣଙ୍କୁ ସିଧାସଳଖ ନିଯୁକ୍ତି ଦେଇଛନ୍ତି। ବିଜେପିର ପ୍ରତିଶ୍ରୁତି ପତ୍ର ବଣ୍ଟନ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଭାରତୀୟ ଅର୍ଥନୀତି ଏବେ ନିଯୁକ୍ତି ବିହୀନ ଅଭିବୃଦ୍ଧି ଦେଇ ଗତି କରୁଛି। ବିକାଶଶୀଳ ରାଷ୍ଟ୍ର ତୁଳନାରେ ଭାରତ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିଲେ ମଧ୍ୟ ଏହାର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ବିପରୀତ ଦିଗରେ ଗତି କରୁଛି। ଦେଶ ତମାମ ଯୁବପିଢ଼ି ବେକାରୀ ଜାଲରେ ଘାଣ୍ଟି ହେଉଛନ୍ତି। ମୋଦୀ ସରକାର ଉଚ୍ଚ ଅର୍ଥନୀତିକୁ ଜାବୁଡି ଧରି ବାହାବା ​‌େ​‌ନବାରେ ଲାଗିଛନ୍ତି। ୨୦୧୭-୧୮ରେ ପ୍ରକାଶିତ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ସାମୟିକ ଶ୍ରମ ଶକ୍ତି ସର୍ବେକ୍ଷଣ ରି​‌େ​‌ପାର୍ଟରେ ଦେଶରେ ବେକାରୀ ହାର ୬.୧% ଦର୍ଶାଯାଇଥିଲା। ୪୫ ବର୍ଷରେ ଏହା ସର୍ବାଧିକ ଥିବା ଉଲ୍ଲେଖ କରାଯାଇଥିଲା। ଏହି ରିପୋର୍ଟକୁ ମୋଦୀ ସରକାର ଜାଣିଶୁଣି ଚାପି ଦେଇଥିଲେ। ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏହାକୁ ହାସଲ କରିଥିଲା। ଏଥିରେ ସହରାଞ୍ଚଳରେ ବେକାରୀ ହାର ୭.୮% ଏବଂ ଗ୍ରାମାଞ୍ଚଳରେ ୫.୩% ଥିବା ଜଣାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା ସରକାର ୬ଲକ୍ଷ ୯୪ହଜାର ସିଧାସଳଖ ନିଯୁକ୍ତି(ଅବସର ପରେ ପୁନଃ ନିଯୁକ୍ତି ସହ) ଏବଂ ୫ଲକ୍ଷ ୫୭ ହଜାର ୧୪୯ଜଣଙ୍କୁ ପରୋକ୍ଷରେ ନିଯୁକ୍ତି ଦେଇପାରିଛନ୍ତି। ବେସରକାରୀ ଶିଳ୍ପ ପ୍ରତିଷ୍ଠାନରେ ୧ଲକ୍ଷ ୯୧ ହଜାର ନିଯୁକ୍ତି ପାଇଛନ୍ତି।
ମୋଦୀ ସରକାରଙ୍କ ଏକଚାଟିଆ ମନୋବୃତ୍ତି ଏବଂ ଅପାରଗତା ଯୋଗୁଁ ଦେଶ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସ୍ବଳ୍ପ ବ୍ୟବଧାନରେ ନୋଟବନ୍ଦୀ ଏବଂ ଜିଏସଟି ଲାଗୁ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଥିବା ସେ କହିଛନ୍ତି। ନୋଟବନ୍ଦୀ ଯୋଗୁଁ ୧୫ଲକ୍ଷ ଲୋକ ବେକାର ହୋଇଛନ୍ତି। ଏହାବ୍ୟତୀତ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଦେଶର ଶିଳ୍ପ ଅଭିବୃଦ୍ଧି ୧୭ମାସର ସର୍ବନିମ୍ନ ତଳକୁ ଖସି ଆସିଛି। ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହୋଇଛି। ବର୍ଷକୁ ୨ କୋଟି ନିଯୁକ୍ତି ନେଇ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ୫ ବର୍ଷରେ ଓଡ଼ିଶା ପାଇଁ ୩୬ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଥିଲା। ଏହା ପୂରଣ ହୋଇ ପାରିନାହିଁି।
ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମୋଦୀ ସରକାର ଭୁଲି ଯାଇଥିଲେ ହେଁ ରାଜ୍ୟବାସୀଙ୍କ ଏହା ନକାରାତ୍ମକ ପ୍ରଭାବ ପକାଇ ପାରିନାହିଁ। ବିଜେଡି ନିଜର କର୍ତ୍ତବ୍ୟ ପାଳନ ପୂର୍ବକ ରାଜ୍ୟକୁ ଦେଇଥିବା ଅଭିବୃଦ୍ଧି ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଞ୍ଚିପାରିଛି। ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ସହ ଶିଳ୍ପ ଓ ନିବେଶ କ୍ଷେତ୍ରରେ ବିକାଶ ଘଟିଛି। ଦକ୍ଷତା ବିକାଶ କ୍ଷେତ୍ରରେ ୯ଲକ୍ଷ ଯୁବକଯୁବତୀ ଦକ୍ଷତା ହାସଲ କରିଥିବା ବେଳେ ୯୬ହଜାର ଯୁବକଯୁବତୀଙ୍କୁ ୨୦୧୭-୧୮ରେ ବିଭିନ୍ନ କ୍ଷେତ୍ରରେ ଚାକିରି ମିଳିପାରିଛି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟରେ ପରିଗଣିତ ହୋଇପାରିଛି।
ବେକାରୀ ହାର ଦୃଷ୍ଟିରୁ ଓଡ଼ିଶାର ସ୍ଥିତି ଅନ୍ୟ ପ୍ରମୁଖ ରାଜ୍ୟ ତୁଳନାରେ ଭଲ ଥିବା ବେଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଓଡ଼ିଶାର ଶ୍ରମଶକ୍ତି ଯୋଗଦାନ ଭଲ ରହିଥିବା ସୂଚନା ଦେଇ ସେ ଏ କ୍ଷେତ୍ରରେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟ ମଧ୍ୟରେ ତୁଳନାତ୍ମକ ଚିତ୍ର ରଖିଥିଲେ। ଓଡିଶା ଦେଶର ଅନ୍ୟତମ ଶ୍ରେଷ୍ଠ ମାନୁଫାକ୍ଚରିଂ ହବ୍ ପାଲଟିଛି। ଘରୋଇ ତଥା ବିଦେଶୀ କମ୍ପାନୀକୁ ରାଜ୍ୟ ସରକାର ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ସେମାନେ ଓଡ଼ିଶାରେ ମୋଟା ଅଙ୍କର ପୁଞ୍ଜି ନିବେଶ ପାଇଁ ଆଗେଇ ଆସୁଛନ୍ତି। ୧୬ ବର୍ଷ ଭିତରେ ରାଜ୍ୟ ସରକାର ମୋଟ ୪୦୩ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ପ୍ରତି ପ୍ରକଳ୍ପର ମୂଲ୍ୟ ୫୦କୋଟି ଟଙ୍କାରୁ ଅଧିକ ଥିଲା। ରାଜ୍ୟ ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମେକ୍ ଇନ ଓଡ଼ିଶା ବେଶ ସଫଳ ହୋଇଥିବା ସେ କହିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସାଧାରଣ ସମ୍ପାଦକ(ମିଡିଆ ସେଲ)ମାନସରଞ୍ଜନ ମଙ୍ଗରାଜ ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Leave A Reply