ଖୋଲାଖୋଲି ବିକ୍ରି ହେଉଛି ବିକ୍ରୟ ନିଷେଧ ଔଷଧ,ମୋବାଇଲରେ ହେଉଛି ଏମଆରଆଇ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ‘ସ୍ୱାସ୍ଥ୍ୟସେବା ଭଗବାନଙ୍କ ହାତରେ’ ଏକ ବିସ୍ତୃତ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା। ସୋମବାର ଜଣେ ଫାର୍ମାସିଷ୍ଟ ଫିଜିସିଆନ ସାମ୍ପୁଲ ବା ବିକ୍ରୟ ନିଷେଧ ଔଷଧ ଲୋକଙ୍କୁ ଚଢା ଦରରେ ବିକ୍ରିି କରି ଅଶିକ୍ଷିତ ଓ ଆଦିବାସୀ ଲୋକଙ୍କୁ ଠକି ଥିବା ବେଳେ ଗ୍ରାମବାସୀଙ୍କ ଅଟକ ରଖିଥିଲେ। ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଔଷଧ ବାବଦରେ ନେଇଥିବା ଟଙ୍କା ରୋଗୀଙ୍କୁ ଫେରସ୍ତ ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ବଡ଼ସାହି ବ୍ଲକରେ ଡାକ୍ତର ସମସ୍ୟା ବଢି ଚାଲିଥିବା ବେଳେ ଗାଁ ଗଣ୍ଡାର ଲୋକମାନେ ବାଧ୍ୟ ହୋଇ ଫାର୍ମାସିଷ୍ଟଙ୍କ ପାଖରେ  ଚିକିତ୍ସା କରାଉଛନ୍ତି। ବିବାଦୀୟ କ୍ୱାକ ଜଣକ ସରକାରଙ୍କ ରାଷ୍ଟ୍ରୀୟ ବାଲ୍ ସୁରକ୍ଷା ଯୋଜନାରେ ଫାର୍ମାସିଷ୍ଟ ଭାବେ ପୋଡ଼ଶୀ ବେତନଟୀ ସିଏଚସି ଅଧୀନରେ କାର୍ଯ୍ୟକରନ୍ତି। ତାଙ୍କ ସମ୍ପର୍କୀୟ ମଧ୍ୟ ବଡସାହି ସିଏଚ୍ସିରେ କାର୍ଯ୍ୟ କରୁଥିବା ବେଳେ ଔଷଧ ବିତରଣ ଦାୟିତ୍ୱ ବହନ କରୁଛନ୍ତି। ତେବେ ସିଂହଟିଆ ଗ୍ରାମରେ ବିବାଦୀୟ ଫାର୍ମାସିଷ୍ଟ ଜଣଙ୍କ ‘ଇନ୍ଦ୍ରାଣୀ ଫାଷ୍ଟେଡ୍’ ନାମକ ଏକ କ୍ଳିନିକ୍ ତିନିବର୍ଷ ପୂର୍ବେ ଖୋଲିଛନ୍ତି। ନିଜକୁ ଡାକ୍ତର ପରିଚୟ ଦେଇ ମହିଳା ଓ ସ୍ତ୍ରୀ ରୋଗ ପ୍ରସୂତୀ ବିଶେଷଜ୍ଞ ଭାବେ ଚିକିତ୍ସା କରୁଛନ୍ତି। ଏପରିକି ମୋବାଇଲ ଆପ୍‍ ଦ୍ୱାରା ରକ୍ତ, ମଳ, ମୂତ୍ର ଆଦି ପରୀକ୍ଷା କରିବା ସହିତ ଏମଆରଆଇ ରୋଗୀମାନଙ୍କୁ ଔଷଧ ସେବନ ନିମନ୍ତେ ପ୍ରେସକ୍ରିପପ୍ସନ କରିଥାନ୍ତି। ସରଳ ନିରୀହ ଆଦିବାସୀ ଲୋକମାନେ ବିଶ୍ୱାସ ଭାଜନ ହୋଇ ରୋଗ ଚିକିତ୍ସା କରାଇ ଟଙ୍କା ଲୁଟ କରିଚାଲିଛନ୍ତି।  ସୋମବାର ବଳଭଦ୍ରପୁର ଗ୍ରାମର ମହିଳା ଜ୍ୱର ରୋଗୀ ସୋମବାରୀ ସିଂ(୫୦)ଙ୍କ ଚିକିତ୍ସା କରିଥିଲେ। ପ୍ରଥମ ଦିନ ଫିଜିସିଆନ ସାମ୍ପୁଲ ଔଷଧକୁ ବିକ୍ରିି କରି ୫୦୦ ଟଙ୍କା ନେଇଥିଲେ। ସୋମବାର ଔଷଧ ଖାଇବା ପରେ ଜ୍ୱର ଭଲ ନହେବାରୁ ତହିଁପରଦିନ କ୍ଳିନିକକୁ ଯାଇ ଜଣାଇଥିଲେ। ଏହା ଶୁଣି ଫାର୍ମାସିଷ୍ଟ ଜଣଙ୍କ ପୁଣି ସେହି ପ୍ରକାର ଦୁଇଟି ଔଷଧ ଓ ୩ଟି ଇଞ୍ଜେକ୍ସନ ଦେଇ ୨୭୦ଟଙ୍କା ନେଇଥିଲେ। ଡାକ୍ତରଙ୍କ ନିମନ୍ତେ ଉଦ୍ଦିଷ୍ଟ ଔଷଧକୁ ବିକିବା ପରେ ପରିବାର ଲୋକ ଜାଣି ଗ୍ରାମବାସୀଙ୍କ ନଜରକୁ ଆଣିଥିଲେ। ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ପରେ ରାତିରେ ଫାର୍ମାସିଷ୍ଟ ଜଣଙ୍କ ନିଜର ଭୁଲ ସ୍ୱୀକାର କରିବା ସହ ନେଇଥିବା ଟଙ୍କା ଫେରସ୍ତ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସମ୍ପୃକ୍ତ କ୍ୱାକ ଜଣକ ଏକ ମୋବାଇଲ ଆପ୍ ଯୋଗେ ରୋଗୀଙ୍କ ଏମଆରଆଇ କରି ବିଭିନ୍ନ ରୋଗ ହୋଇଥିବା ନେଇ ଭୟଭୀତ କରାଇବା ସହ ସରକାରଙ୍କ ପ୍ରଦତ ଔଷଧକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି ବୋଲି ଗ୍ରାମର ମନୋଜ ନାଏକ, ସୁବ୍ରତ ସେନାପତି, ତପନ ଦଣ୍ଡପାଟ, ସୁଧୀର ଗିରି ଓ ଦୀପକ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ସରାକରୀ ଔଷଧ ବିକ୍ରି କରିବା, ଲାବ୍ରୋଟୋରୀ ଖୋଲି ବିଭିନ୍ନ ପରୀକ୍ଷା କରିବା ଓ ରୋଗୀଙ୍କୁ ପ୍ରେସ୍କ୍ରିପ୍ସନ କରି ଔଷଧ ଦେବାର ଲାଇସେନ୍ସ ନଥାଇ କିପରି ଭାବେ ରୋଗୀଙ୍କଠାରୁ ଲୁଟ କରାଯାଉଛି ତାହା ତଦନ୍ତ ସାପେକ୍ଷ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ କ୍ୱାକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ରୋଗୀମୃତ୍ୟୁ ଘଟଣାକୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ଜିଲା ଚିକିତ୍ସାଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡ଼ସାହି ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜିବ କୁମାର ବଇତାଇ କହିଛନ୍ତି।

Comments are closed.