ଭିକ୍ଷୁକ ଥଇଥାନ ପାଇଁ ୧କୋଟିର ବ୍ୟୟବରାଦ

କଟକରେ ୬୭୫ ଭିକାରି ଚିହ୍ନଟ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପ୍ରଣୀତ ‘ସହାୟ’ ଯୋଜନା ମାଧ୍ୟମରେ ଭିକ୍ଷୁକମାନଙ୍କୁ ଥଇଥାନ ବ୍ୟବସ୍ଥା ହୋଇଛି। ସେମାନଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ କରିବାକୁ ପଦ​କ୍ଷେପ ନିଆଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଚଳିତବର୍ଷ ୧କୋଟି ଟଙ୍କାର ସ୍ବତନ୍ତ୍ର ବ୍ୟୟବରାଦ ବ୍ୟବସ୍ଥା କରିଛନ୍ତି ବୋଲି ବିଧାନସଭାରେ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା।
କଟକରେ କେତେ ସଂଖ୍ୟକ ଭିକାରି ଅଛନ୍ତି ସେ ସମ୍ପର୍କରେ ବିଧାୟକ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ କଟକ ସହରରେ ମୋଟ ୬୭୫ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ସହାୟ ଯୋଜନା ମାଧ୍ୟମରେ ଭିକ୍ଷୁକମାନଙ୍କ ଚିହ୍ନଟ, ସେମାନଙ୍କ ପ୍ରଶିକ୍ଷଣ, ଆତ୍ମନିଯୁକ୍ତି ତଥା ପୁନର୍ବାସ ବ୍ୟବସ୍ଥା କରାଯିବା ସହିତ ଭିକ୍ଷୁକମାନଙ୍କ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା କରାଯାଇଛି।
ବିଧାୟକ ବ୍ୟୋମକେଶ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବର, କଟକ ସହ ରାଜ୍ୟର ବିଭିନ୍ନ ସହରରେ ମହାରାଷ୍ଟ୍ର ଓ ଅନ୍ୟ ପ୍ରଦେଶରୁ ଆସିଥିବା ବନଜାରା, ବୃଦ୍ଧ, ବୃଦ୍ଧା ମହିଳା ଓ ଶିଶୁ ବିଭିନ୍ନ ଟ୍ରାଫିକ ଛକରେ ଭିକ୍ଷାବୃତ୍ତି କରିବା ଓ ଏହାଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏହି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇବା ପ୍ରକ୍ରିୟା ନିମନ୍ତେ ସ୍ବତନ୍ତ୍ର ଆଇନଗତ ବ୍ୟବସ୍ଥା କରାଯିବା ପାଇଁ ପଦ​କ୍ଷେପ ନିଆଯାଉଛି। ସେହିପରି ରାଜ୍ୟରେ ଭିକ୍ଷାବୃତ୍ତିକୁ ବନ୍ଦ କରି ଭିକ୍ଷୁକମାନଙ୍କ ଥଇଥାନ ଦିଗରେ ସରକାର କି ପଦ​କ୍ଷେପ ନେଉଛନ୍ତି ସେଥିନେଇ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଭିକ୍ଷୁକ ଚିହ୍ନଟ, ଆତ୍ମନିଯୁକ୍ତି, ଭିକ୍ଷୁକ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା କରାଯାଇଛି।

Comments are closed.