ବିଭୁପ୍ରସାଦ ରାଉତରାୟ ହାଇକୋର୍ଟର ବିଚାରପତି  ନିଯୁକ୍ତ

ଶୁକ୍ରବାର ଅପରାହ୍ଣ ଦୁଇଟା ସମୟରେ ଶପଥ ଗ୍ରହଣ ଉତ୍ସବ

କଟକ  : ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଓ ଆଇନ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ରାଷ୍ଟ୍ରପତି ଭବନରୁ ଗୁରୁବାର ବିଚାର ବିଭାଗୀୟ ଅଧିକାରୀ ବିଭୁପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶୁକ୍ରବାର ଅପରାହ୍ଣ ଦୁଇଟା ସମୟରେ ଶ୍ରୀ ରାଉତରାୟ ହାଇକୋର୍ଟ ବିଚାରପତି ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାଭେରୀ ତାଙ୍କୁ ଶପଥପାଠ କରାଇବେ।
ସୂଚନାଯୋଗ୍ୟ ୨୦୧୯, ମେ’ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ସେହିଭଳି ବିଚାର ବିଭାଗୀୟ ଅଧିକାରୀ ବିଭୁ ପ୍ରସାଦ ରାଉତରାୟ, ସତ୍ୟନାରାୟଣ ମିଶ୍ର, ଗୌତମ ଶର୍ମା ଓ ବିରଞ୍ଚିନାରାୟଣ ମହାନ୍ତିଙ୍କ ନାଁ ହାଇକୋର୍ଟର ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଗତ ମେ’ ୭ରେ ସୁପାରିସ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି.ରମନ୍ନାଙ୍କୁ ନେଇ ଗଠିତ କଲେଜିୟମ ବିଚାରପତି ଭାବେ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ରାଉତରାୟ ଓ ଆଇନଜୀବୀ ଶ୍ରୀ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଵା ପାଇଁ ଗତ ଅକ୍ଟୋବର ୩ ତାରିଖରେ ସୁପାରିସ କରିଥିଲେ। ତେବେ ଶ୍ରୀ ରାଉତରାୟ ପ୍ରଥମେ ନବରଙ୍ଗପୁର ଜିଲା ଦୌରାଜଜ ଭାବେ ନିଯୁକ୍ତି ପାଇଥିବାବେଳେ ଏବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ରୂପେ କାର୍ଯ୍ୟରତ ଅଛନ୍ତି।

ଅବସର ନେବେ ଜଷ୍ଟିସ ଡକ୍ଟର ଅକ୍ଷୟ ରଥ

କଟକ : ହାଇକୋର୍ଟର ଜଣେ ବିଚାରପତିଙ୍କ ଆସନ୍ତା ୧୨ରେ କାର୍ଯ୍ୟକାଳ ଶେଷ ହେଉଛି। ଏହି ଅବସରରେ କଟକ ବାର ଆସୋସିଏସନ ପକ୍ଷରୁ ସଂପାଦକ ନରେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜଷ୍ଟିସ ରଥଙ୍କ ଆସନ୍ତା ୧୨ତାରିଖରେ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ଅବସରରେ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡକ୍ଟର ରଥ ୧୯୫୭ ମସିହା ନଭେମ୍ବର ୧୩ରେ ଜଗତସିଂହପୁର ଜିଲା ଜାହାନପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ। କଟକ ଷ୍ଟୁଆର୍ଟ ବିଜ୍ଞାନ କଲେଜରୁ ଆଇଏସସି, ରେଭେନ୍ସାରୁ ବି.କମ ପାସ କରିବା ପରେ ମଧୁସୂଦନ ଆଇନ କଲେଜରୁ ୧୯୮୨ରେ ଏଲଏଲବି, ୧୯୮୫ରେ ଏଲଏଲଏମରେ ପାସ କରିଥିଲେ। ୧୯୮୩, ଫେବୃୟାରୀ ୧୨ରେ ଆଇନଜୀବୀ ବୃତ୍ତି ଆରମ୍ଭ କରିଥିଲେ। ବିଭିନ୍ନ ପ୍ରକାର ମୋକଦ୍ଦମା ପରିଚାଳନା କରି ସେ ଖୁବ ପ୍ରଶଂସା ପାଇଥିଲେ। ୨୦୧୩, ଜୁନ ୨୦ରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।
ବିଭୁପ୍ରସାଦ ରାଉତରାୟ…

Comments are closed.