‘ଉଜ୍ବଳ’ ବନ୍ଧା ପଡ଼ିଛି ଅନ୍ଧାର ଘରେ ; ବର୍ଷ ସରିବାକୁ ୩ମାସ ବାକି , ପୁସ୍ତକ ‘ବଣ୍ଡଲି’ରୁ ଫିଟିନି ଗଣ୍ଠି

ଭୁବନେଶ୍ୱର : ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାପାଇଁ ସରକାରଙ୍କ ପକ୍ଷରୁ ଗୋଟିକ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀ ରହୁଛି। ହେଲେ ଯୋଜନା ପ୍ରଣୟନ ବେଳେ ସେସବୁ ବାସ୍ତବରେ କେତେ ରୂପାୟନ ହେଉଛି ତାହା ପରଖିବାକୁ କେହି ନାହିଁ। ଯୋଜନା ବାବଦକୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ତଦାରଖ ଅଭାବରୁ ଦିଗହରା ହେଉଥିବା ଅଭିଯୋଗ ହୋଇଛି।

ସରକାରଙ୍କ ମୁଣ୍ଡରେ ବିଦ୍ୟାଳୟର ଭିତ୍ତିଭୂମି ନଥିବା, ଶିକ୍ଷକ ଅଭାବ ଏବଂ ବିଭିନ୍ନ ଯୋଜନାରେ ବାଟମାରଣା ଓ ପରୀକ୍ଷା ପରିଚାଳନାରେ ତ୍ରୁଟି ନେଇ ପୂର୍ବରୁ ବହୁ ଅଭିଯୋଗ ଥିବାବେଳେ ଏବେ ‘ଉଜ୍ବଳ’ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ପାଠ୍ୟପୁସ୍ତକ ବଣ୍ଟା ଯାଇ ନାହିଁ। ଲକ୍ଷାଧିକ ପାଠ୍ୟପୁସ୍ତକ ଓସେପା ଏବଂ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଅନ୍ଧାର ଘରେ ବନ୍ଧା ହୋଇ ପଡିଛି। ଏଥିରୁ ସରକାରଙ୍କ ଉଜ୍ବଳ ଯୋଜନା କିଭଳି ଫଳପ୍ରଦ ହେଉଥିବ ସ୍ପଷ୍ଟ ଅନୁମେୟ। ଓସେପା ଏବଂ ଜିଲା ଶିକ୍ଷା ଅଧିକାରୀଙ୍କ ଅନ୍ଧାର କୋଠରୀରେ ବଣ୍ଡଲ ବଣ୍ଡଲ ‘ଉଜ୍ବଳ’ ପୁସ୍ତକ ଖତ ଖାଉଥିବାରୁ ରାଜ୍ୟରେ ୭୫ ଭାଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନାହିଁ ବୋଲି ନିକଟରେ ‘ଗରିମା’ ଫଳରୁ ଜଣାଯାଇଛି।
ସୂଚନା ଅନୁଯାୟୀ,  ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ଥିବା ଗଧଡ଼ା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଶିକ୍ଷା ଦେଇ ମେଧାବୀ କରିବା ଲକ୍ଷ୍ୟ ନେଇ ୨୦୧୬ରେ ଉଜ୍ବଳ ଗଣଶିକ୍ଷା ବିଭାଗ ଉକ୍ତ ଯୋଜନା କାର୍ଯ୍ୟକାରୀ କରିଥିଲା। ଏହି ଯୋଜନାରେ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର ପିରିୟଡରେ ଶିକ୍ଷକମାନେ ଉଜ୍ବଳ ପୁସ୍ତକ ଜରିଆରେ ପାଠ ପାଇବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ଦ୍ବିତୀୟରୁ ପଞ୍ଚମ ଶ୍ରେଣୀର ଗଧଡ଼ା ଛାତ୍ରଛାତ୍ରୀଙ୍କ ଲାଗି ଅନ୍ୟ ଏକ ଉତ୍ଥାନ ଯୋଜନା କାର୍ଯ୍ୟକାରୀ ହୋଇଛି। ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା ୫୪ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ଗଧଡ଼ା ପିଲା ରହିଛନ୍ତି। ସେମାନଙ୍କୁ ଆଗକୁ ଆଣିବାପାଇଁ ଉଜ୍ବଳ ଓ ଉତ୍ଥାନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ସରକାରଙ୍କ ପକ୍ଷରୁ ବାର୍ଷିକ ଶତାଧିକ କୋଟି ଖର୍ଚ୍ଚ ହେଉଛି। ଟିବିପିଏମକୁ ପୁସ୍ତକ ଛାପିବାପାଇଁ ଦାୟିତ୍ବ ଦିଆଯାଇଛି। ପ୍ରତିବର୍ଷ କୋଟି କୋଟି ପୁସ୍ତକ ଛପା ଯାଉଛି। ହେଲେ କ’ଣ ହେବ , ଯୋଜନାର ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ ପାଖରେ ୯ମାସ ମଧ୍ୟରେ ପହଞ୍ଚି ପାରୁନାହିଁ। ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ୩ମାସ ରହିଛି। ହେଲେ ଉଜ୍ବଳ ପୁସ୍ତକ ବହୁ ଜିଲାର ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ନାହିଁ। ଏବେ ବି ଲକ୍ଷାଧିକ ପୁସ୍ତକ ଓସେପା ମୁଖ୍ୟ କାର୍ଯ୍ୟାଳୟ, ଜିଲା କାର୍ଯ୍ୟାଳୟ, ବାଲେଶ୍ବର, କୋରାପୁଟ ପ୍ରଭୃତି ଜିଲା କାର୍ଯ୍ୟାଳୟରେ ଗଦା ହୋଇଥିବା ଅନୁସନ୍ଧାନରୁ ଜଣାଯାଇଛି। ନିକଟରେ ସରକାରଙ୍କ ପକ୍ଷରୁ ଗରିମା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ରିପୋର୍ଟ ଆସିଛି ଯେ ରାଜ୍ୟରେ ସମୁଦାୟ ୪୫୭୭ଟି କ୍ଲଷ୍ଟର ଭାଗ ନେଇଥିଲା। ସେଥିରୁ ୨୩ହଜାର ୫୩୮ଟି ବିଦ୍ୟାଳୟ ବଚ୍ଛା ଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଯାଞ୍ଚ ବେଳେ ୫ହଜାର ବିଦ୍ୟାଳୟ କଟିଗଲା। ୧୮୩୫୧ ବିଦ୍ୟାଳୟକୁ ବଛା ଯାଇଥିଲା। ସେଥିରୁ ମାତ୍ର ୬୨୪୯ଟି ବିଦ୍ୟାଳୟ ଉତ୍ତୀର୍ଣ୍ଣ ହୋଇଛି। ଅବଶିଷ୍ଟ ୧୨ହଜାର ୪୬ଟି ବିଦ୍ୟାଳୟ ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି। ସରକାରୀ ଗରିମା ତଥ୍ୟରେ ଏପରି ରିପୋର୍ଟ ସ୍ପଷ୍ଟ କରୁଛି ଯେ ସରକାରଙ୍କ ଯୋଜନା ଓ ତା’ର ବାସ୍ତବତା। ସରକାର ପୁସ୍ତକ ଛପାଇବା ପୂର୍ବରୁ କାହିଁକି ତା’ର ବଣ୍ଟନ ଓ ଯୋଜନାର ରୂପାୟନ ଦିଗ ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଭାବକ ଓ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କେହି ମୁହଁ ଖୋଲି ନଥିଲେ।

Comments are closed.