ସମାଜକୁ କିଛି ଦେଇ ପାରିବା ହିଁ ଶ୍ରେଷ୍ଠ ପୂଜା: ମୁଖ୍ୟମନ୍ତ୍ରୀ

ନିଖିଳ ଓଡ଼ିଶା ସୁଧା ସର୍ଜନା ମହୋତ୍ସବ

ଉତ୍ତର ଭୁବନେଶ୍ବର : ଜୀବନର ବଡ଼ ଲକ୍ଷ୍ୟ ହେଉଛି ଶାନ୍ତି। ସତ୍‌ସଙ୍ଗ, ସେବା ଓ ଭଲ ପାଇବାରେ ହିଁ ଶାନ୍ତି ମିଳିଥାଏ। ଏହା ସବୁ ଧର୍ମ ଓ ବିଶ୍ବାସର ଆଧାର। ସମାଜ ଆମକୁ ବହୁତ ଦେଇଛି, ଆମେ ଯଦି କିଛି ଦେଇପାରିବା ତେବେ ତାହା ହେବ ଭଗବାନଙ୍କର ଶ୍ରେଷ୍ଠ ପୂଜା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।
ରବିବାର ପୂର୍ବାହ୍ନରେ ମଞ୍ଚେଶ୍ବର ରେଲୱେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ ପକ୍ଷରୁ ନିଖିଳ ଓଡ଼ିଶା ସୁଧା ସର୍ଜନା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଓଡ଼ିଶାରେ ଠାକୁରଙ୍କ ଭକ୍ତମାନଙ୍କର ବହୁତ ବଡ଼ ସଙ୍ଗଠନ ରହିଛି। ସେମାନେ ବହୁତ ଭଲ କାମ କରୁଛନ୍ତି। ଏପରି ଭଲ କାମ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତଙ୍କ ଶୁଭ ମନାସିଥିଲେ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଶ୍ରୀଶ୍ରୀ ଠାକୁରଙ୍କ ବ୍ୟକ୍ତିତ୍ବ ଓ ଆଦର୍ଶ ସମ୍ପର୍କରେ ସୂଚନା ଦେବା ସହ ଏହି ସୁଧା ସର୍ଜନା ମହୋତ୍ସବ ହଜାର ହଜାର ଆତ୍ମାକୁ ମାର୍ଗ ଦର୍ଶନ କରିବ ବୋଲି କହିଥିଲେ। ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଶ୍ରୀଶ୍ରୀ ଠାକୁରଙ୍କ ଅମୂଲ୍ୟ ବାଣୀ ଏକବିଂଶ ଶତାବ୍ଦୀ ପାଇଁ ପ୍ରାସଙ୍ଗିକ ବୋଲି କହିଥିଲେ।
ଉତ୍ସବରେ ସ୍ମରଣିକା ‘ତର୍ପଣ’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପ୍ରତି ରିତ୍ବିକ୍ ଡା. ବିନାୟକ ମହାପାତ୍ର, ଦିଲ୍ଲୀ ସତସଙ୍ଗ ବିହାର ସଚିବ ଯତୀନ୍ଦ୍ର ନାଥ ମହାନ୍ତି, ସହ ପ୍ରତି ରିତ୍ବିକ୍ ଶ୍ରୀଧର ସୁନ୍ଦର ମିଶ୍ର, ତାପସ କୁମାର ସାହୁ, ମହୋତ୍ସବ ସଂଗଠନ ସମ୍ପାଦକ ଅଭୟ କୁମାର ପରିଡ଼ାଙ୍କ ସମେତ ବିଭିନ୍ନ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ସକାଳେ ଅନିଦ୍ୟ ଦ୍ୟୁତି ଚକ୍ରବର୍ତ୍ତୀ (ବିଙ୍କିଦା) ସକାଳେ ଉଦ୍‌ବୋଧନ ଦେଇ ଇଷ୍ଟକୈନ୍ଦ୍ରିକ ଜୀବନ ହିଁ ସାର୍ଥକ ଜୀବନ। ଅନ୍ତରରେ ଶ୍ରୀଶ୍ରୀ ଠାକୁରଙ୍କୁ ଜାଗ୍ରତ କରି ରଖିଲେ ଜୀବନରେ ଅମୃତ ପ୍ରାପ୍ତି ହୋଇଥାଏ ବୋଲି ସେ କହିଥିଲେ। ଉତ୍ସବରେ ପୂଜ୍ୟା ବଡ଼ବୌଦି ଯୋଗଦେଇ ଥିଲେ। ଓଡ଼ିଶାର ବିଭିନ୍ନ ଜିଲା ସମେତ ବାହାର ରାଜ୍ୟର ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ବ୍ରାହ୍ମ ମୁହୂର୍ତ୍ତରୁ ବେଦ ମାଙ୍ଗଳିକ, ଜାଗରଣୀ, ସମବେତ ଉଷା ବନତି, ଗ୍ରନ୍ଥ ପାଠ ଓ ପ୍ରଣାମ କରାଯାଇଥିଲା। ପରେପରେ ଉତ୍ସବର ଶୁଭ ଉଦ୍‌ବୋଧନ, ସଙ୍ଗୀତାଞ୍ଜଳି ଏବଂ ସାଧାରଣ ସଭା ଆରମ୍ଭ ହୋଇଥିଲା।
ମଧ୍ୟାହ୍ନରେ ଚିକିତ୍ସକ ସମ୍ମେଳନ, ମାତୃସମ୍ମିଳନୀ, ସମବେତ ସନ୍ଧ୍ୟା ବିନତି ଓ ପ୍ରଣାମ, ଭଜନ-ନୈବେଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଋତ୍ବିକ ସଞ୍ଜୀବ କୁମାର ନାୟକ, ପ୍ରଫେସର ହୃଷିକେଶ ସେନାପତି, ଡମ୍ବରୁଧର ଦାସ, ନୃସିଂହ ଚରଣ ଶ୍ରୀଚନ୍ଦନ, ବୈରାଗୀ ଚରଣ ସାହୁ, ଉମାକାନ୍ତ ସାହୁ ପ୍ରମୁଖ ବହୁ କର୍ମୀ ମହୋତ୍ସବ ପରିଚାଳନା କରିଥିଲେ।

Comments are closed.