ଆଜିଠୁ ବିଏଚ୍‌ବିଏମ୍‌ ଏବଂ ବିଏବିଏମ୍‌ ନାମଲେଖା ପଞ୍ଜୀକରଣ

0

ଭୁବନେଶ୍ବର : ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ସହ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲର ବିଏଚ୍‌ବିଏମ୍‌ ଓ ବିଏବିଏମ୍‌ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ନାମ ଲେଖାଇବାକୁ ହେଲେ ନିଟ୍‌ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଶୁକ୍ରବାରଠାରୁ ଅନ୍‌ଲାଇନରେ ପଞ୍ଜୀକରଣ, ଚଏସ୍‌ ଫିଲିଂ ଓ ଚଏସ୍‌ ଲକିଂ କରିପାରିବେ। ଏ ସଂକ୍ରାନ୍ତରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ୬ରୁ ୧୩ ତାରିଖ ମଧ୍ୟରେ ଓଜେଇଇ ୱେବ୍‌ସାଇଟ୍‌ (www.ojee.nic.in)କୁ ଯାଇ ଅନ୍‌ଲାଇନରେ ପଞ୍ଜୀକରଣ କରିବେ। ୧୬ରେ ସିଟ୍‌ ଆବଣ୍ଟିତ କରାଯିବ। ପରେ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରକୁ ୧୭ରୁ ୧୯ ତାରିଖ ମଧ୍ୟରେ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ। ୧୯ରେ କୌଣସି ବିଦ୍ୟାର୍ଥୀ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ପଡ଼ିବାକୁ ଚାହିଁଲେ ପଞ୍ଜୀକରଣକୁ ପ୍ରତ୍ୟାହାର କରି ନେଇ ପାରିବେ। ଏହାପରେ ୨୧ରେ ପୁଣି ଥରେ ଓଜେଇଇ ସିଟ୍‌ ଆବଣ୍ଟିତ କରିବ। ୨୩ରେ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରକୁ ଯାଞ୍ଚ କରାଯିବ। ତେବେ ନାମଲେଖା ପ୍ରକ୍ରିୟାରୁ କୌଣସି ଛାତ୍ରଛାତ୍ରୀ ବାଦ ପଡିବାକୁ ଚାହିଁଲେ ୨୫ରେ ବାଦ ପଡିବେ। ୨୩ରୁ ୨୫ ତାରିଖ ମଧ୍ୟରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ଓଜେଇଇ ପକ୍ଷରୁ ସମ୍ପୃକ୍ତ ମେଡିକାଲ କଲେଜକୁ ପଠାଇ ଦିଆଯିବ। ମେଡିକାଲ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଖରୁ ଫି’ ରଖି ନାମ ଲେଖାଇବେ। ଏହି ପ୍ରକ୍ରିୟା ପରେ ଯଦି କୌଣସି ମେଡିକାଲ କଲେଜରେ ସିଟ୍‌ ଖାଲି ପଡ଼ିବ; ତେବେ ଏହାକୁ ପୂରଣ କରାଯିବ। ଏଥିପାଇଁ ୨୭ ଓ ୨୮ରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ ୩ ସରକାରୀ ଓ ଗୋଟିଏ ବେସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋଟ ୨୧୦ ବିଏବିଏମ୍‌ ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାଇବେ। ସେହିପରି ୪ ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ମୋଟ ୧୫୦ ବିଏଚ୍‌ବିଏମ୍‌ ସିଟ୍‌ରେ ଛାତ୍ରଛାତ୍ରୀ ନାମଲେଖାଇବେ।

Leave A Reply