ଅଭିନେତା ଭରତ କୁମାରଙ୍କ ଦେଶପ୍ରେମ ଚଳଚ୍ଚିତ୍ର

0

ହେ ପ୍ରୀତ୍‍ ଜହାଁ କି ରୀତ୍‍ ସଦା… ମେଁ ଗୀତ୍‍ ୱହାଁକା ଗାତା ହୁଁ… ଭାରତକା ରହନେୱାଲା ହୁଁ, ଭାରତ କି ବାତ୍‍ ସୁନାତା ହୁଁ…। ‘ପୂରବ ଔର୍‍ ପଶ୍ଚିମ’ ସିନେମାର ଏହି ବହୁପରିଚିତ ଗୀତକୁ କେହି କେବେ ଶୁଣିନାହାନ୍ତି ବୋଲି କହିପାରିବେ ନାହିଁ। ଏହାର ଅଭିନେତା ମନୋଜ କୁମାର ସିନେମା ପରଦାରେ ସୁଦ୍ଧା ଏପରି ଦେଶଭକ୍ତି ପ୍ରଦର୍ଶନ କରିଥିଲେ ଯେ ତାଙ୍କ ନାଁ ବଦଳି ଭାରତ କୁମାର ଭାବେ ନୂଆ ପରିଚୟ ପାଇଥିଲେ ସେ। ଅଧିକାଂଶ ସିନେମାରେ ମନୋଜ କୁମାର ଅଭିନୀତ ଚରିତ୍ରଟିର ନାଁ ଭାରତ ରଖାଯାଉଥିଲା। ହରିକିଶନ୍‍ ଗିରି ଗୋସ୍ୱାମୀରୁ ମନୋଜ କୁମାର ଏବଂ ପରେ ଭାରତ କୁମାର। ଯେଉଁ ସମୟରେ ଲୋକେ ରୋମାଣ୍ଟିକ କାହାଣୀଭିତ୍ତିକ ସିନେମା ଦେଖିବାକୁ ପସନ୍ଦ କରୁଥିଲେ, ସେ ସମୟରେ ମନୋଜ କୁମାର ନିଜ ହୃଦୟସ୍ପର୍ଶୀ ଅଭିନୟରେ ସେମାନଙ୍କୁ ଦେଶପ୍ରେମରେ ଉଦ୍‍ବୁଦ୍ଧ କରାଇପାରିଲେ।
‘ସହିଦ’ ଚଳଚ୍ଚିତ୍ରରେ ଭଗତ ସିଂହଙ୍କ ଭୂମିକାରେ ଅଭିନୟ ଲାଗି ସେ ଭଗତଙ୍କ ମା’ଙ୍କୁ ସାକ୍ଷାତ କରିଥିଲେ। ମନୋଜ କୁମାରଙ୍କ ଜୀବନ୍ତ ଅଭିନୟ ୧୯୬୫ର ଏହି ଫିଲ୍ମକୁ ଏବେ ବି ସ୍ମରଣୀୟ କରି ରଖିଛି। ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ତାଙ୍କର ଅନ୍ୟତମ ପ୍ରଶଂସକ ଥିଲେ। ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଦେଶବାସୀଙ୍କ ମନୋବଳ ବଢାଇବା ଲାଗି ସେ ମନୋଜଙ୍କୁ ଏପରି ଏକ ସିନେମା ନିର୍ମାଣ ଲାଗି କହିଲେ ଯାହା ‘ଜୟ ଯବାନ୍‍ ଜୟ କିଷାନ’ ସ୍ଲୋଗାନକୁ ସାର୍ଥକ କରିପାରୁଥିବ। ଲେଖକ, ନିର୍ଦେଶକ ତଥା ଅଭିନେତା- ତିନୋଟି ଦାୟିତ୍ୱକୁ ସଫଳତାର ସହ ତୁଲାଇ ମନୋଜ କୁମାର ନିର୍ମାଣ କରିଥିଲେ ‘ଉପକାର’। ୧୯୬୭ର ଏହି ସଫଳ ସିନେମା ପାଇଁ ସେ ସର୍ବଶ୍ରେଷ୍ଠ ନିର୍ଦେଶକ ଭାବେ ଫିଲ୍ମଫେୟାର ପୁରସ୍କାର ବି ପାଇଥିଲେ।

Leave A Reply