ବକ୍ସ ଅଫିସରେ କମାଲ୍‍ କରୁଛି ‘ଭାରତ’ : ଦ୍ୱିତୀୟ ଦିନରେ ମଧ୍ୟ ଜବରଦସ୍ତ ଆୟ

ନୂଆଦିଲ୍ଲୀ : ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ୫ ଜୁନ୍‍ ଇଦ୍‍ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୪୨.୩୦ କୋଟି ଟଙ୍କାର ରେକର୍ଡ଼ ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୩୧ କୋଟି ଟଙ୍କାର ବ୍ୟବସାୟ କରିଛି। ଦୁଇ ଦିନ ମଧ୍ୟରେ ଚଳଚ୍ଚିତ୍ର ମୋଟ୍ ୭୩.୩୦ କୋଟି ଟଙ୍କା ଆୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟର ଜରିଆରେ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ତେବେ ୩ ଦିନରେ ହିଁ ‘ଭାରତ’ ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ପୂର୍ବାନୁମାନ କରିଛନ୍ତି। ଏହାସହିତ ଚଳଚ୍ଚିତ୍ର ଅନେକ ନୂଆ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛି। ପ୍ରକାଶ ଯେ, ‘ଭାରତ’ ଚଳିତ ବର୍ଷ ପ୍ରଥମ ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଚଳଚ୍ଚିତ୍ର ପାଲଟିଛି। ହଲିଉଡ଼ ଚଳଚ୍ଚିତ୍ର ଆଭେଞ୍ଜର୍ସ ଏଣ୍ଡଗେମ୍‍ ପ୍ରଥମ ଦିନରେ ୫୩ କୋଟି ଟଙ୍କା ଆୟ କରି ପ୍ରଥମ ସ୍ଥାନରେ ରହିଛି।
ସୂଚନାଯୋଗ୍ୟ, ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ, ଦିଶା ପଟାନୀ, ତବୁ, ଜ୍ୟାକି ଶ୍ରଫ୍, ସୁନୀଲ ଗ୍ରୋଭର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.