୩ଘଣ୍ଟା ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲେ ମା’ ଓ ଦୁଇ ଛୁଆ ଭାଲୁ

0

ନବରଙ୍ଗପୁର : ଏକ ଆମ୍ବବଗିଚାକୁ ଆମ୍ବ ଖାଇବାକୁ ଆସିଥିବା ମା ଓ ଦୁଇଟି ଛୁଆ ଭାଲୁ ଅସାବଧାନତାବଶତଃ ଏକ ପରିତ୍ୟକ୍ତ ନନ୍ଦ କୁଅ ଭିତରେ ପଡିଯାଇଥିଲେ। ଏହି ଘଟଣା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଦୀର୍ଘ ୩ ଘଣ୍ଟା ଧରି ଚେଷ୍ଟା କରାଯାଇ ଶେଷରେ କୁଅ ମଧ୍ୟରୁ ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁକୁ ଉଦ୍ଧାର କରାଯାଇଛି।ନବରଙ୍ଗପୁର ସହରର ନିକଟବର୍ତ୍ତୀ ପଡାଲଗୁଡା ଗ୍ରାମର ରାଜେନ୍ଦ୍ରନାଗଙ୍କର ବଡଆମ୍ବବଗିଚାକୁ ନିକଟସ୍ଥ ଜଙ୍ଗଲରୁ ମା’ଓ ଦୁଇଛୁଆ ଭାଲୁ ପାଚିଲା ଆମ୍ବ ଖାଇବା ପାଇଁ ଆସିଥିଲେ। ତେବେ ଅନ୍ଧାର ଯୋଗୁଁ ସେମାନେ ସେଠାରେ ଥିବା ଏକ ପରିତ୍ୟକ୍ତ କୁଅ ମଧ୍ୟରେ ପଡିଯାଇଥିଲେ। ସକାଳ ପ୍ରାୟ ୧୧ଟା ବେଳେ ଆମ୍ବ ତୋଳିବାକୁ କିଛି ଲୋକ ଯାଇଥିବାବେଳେ କୁଅ ଭିତରେ ଭାଲୁ ପଡିଥିବା ଜାଣିବାକୁ ପାଇ ଏ ସଂପର୍କରେ ବଗିଚାର ମାଲିକ ରାଜେନ୍ଦ୍ରଙ୍କୁ ଜଣାଇଥିଲେ। ଏହା ପରେ ସେ ନବରଙ୍ଗପୁର ବନବିଭାଗକୁ ଅବଗତ କରାଇଥିଲେ। ଡିଏଫଓ ରଞ୍ଜିତ କୁମାର ମଲ୍ଲିକଙ୍କର ନିର୍ଦ୍ଦେଶ ପ୍ରକାରେ ନବରଙ୍ଗପୁର ବନପାଳ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କର ନେୃତତ୍ୱରେ ବନ୍ୟଜନ୍ତୁ ଉଦ୍ଧାରକାରୀଦଳ ଭାଲୁକୁ ଉଦ୍ଧାର ପାଇଁ ଯନ୍ତା ସହିତ ପହଞ୍ଚିଥିଲେ। ଏହାପରେ ଘଟଣାସ୍ଥଳରେ ଦମକଳ ବାହିନୀ ମଧ୍ୟ ପହଞ୍ଚିଥିଲେ। ବନବିଭାଗ କର୍ମଚାରୀ ମାନେ ଦୀର୍ଘ ତିନିଘଣ୍ଟା ପରିଶ୍ରମ କରିବା ପରେ ଅପରାହ୍ନ ପ୍ରାୟ ୩ଟାବେଳେ ପ୍ରଥମେ ହିଂସ୍ର ହୋଇ ଉଠି ଥିବା ମା’ ଭାଲୁ ସହ ଗୋଟିଏ ଛୁଆ ଭାଲୁ ଓ ପରେ ଅନ୍ୟ ଏକ ଛୁଆ ଭାଲୁକୁ ଦଉଡି ଓ ଜାଲି ସହାୟତାରେ କୌଶଳ ପୂର୍ବକ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଭାଲୁଗୁଡିକୁ ଏକ ଯନ୍ତାରେ ରଖାଯାଇଥିଲା। ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସକ ଡଃ. ତ୍ରିପାଠୀ ତିନୋଟି ଭାଲୁର ସ୍ୱାସ୍ଥ୍ୟପରୀକ୍ଷା କରି ଠିକ୍‍ ରହିଥିବା କହିଥିଲେ। ଏହାପରେ ରାତ୍ର ପ୍ରାୟ ୯ଟା ରେ ମୈଦଲପୁର-ଆମ୍ବପାଣି ଘାଟି ଜଙ୍ଗଲରେ ମା ଓ ଦୁଇଟି ଛୁଆ ଭାଲୁକୁ ଛଡାଯାଇଥିବା ଜଣାଯାଇଛି।

Leave A Reply