ଭକ୍ତ ଶିରୋମଣି ଦାସିଆ ପୀଠରେ ଭକ୍ତଙ୍କ ଭିଡ଼

ସିଏ ଭକତ ଭାବରେ ବନ୍ଧା… ଭକତର ବନ୍ଧୁ…କୋଟି ବ୍ରହ୍ମାଣ୍ଡର ମଉଡ଼ମଣି
ଭାବର ଠାକୁର, ଭାବ ବିନୋଦିଆ, ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ ଦେଉଳରୁ ବଡ଼ଦାଣ୍ଡକୁ ଚାଲିଆସନ୍ତି । ଏବେ ଶ୍ରୀକ୍ଷେତ୍ରରେ ଚାଲିଛି ଭକ୍ତ ଓ ଭଗବାନଙ୍କ ମହାମିଳନର ପର୍ବ ଘୋଷ ଯାତ୍ରା। ରାତି ପାହିଲେ ବାହୁଡାଯାତ୍ରା । ତେବେ ସେ ବଡ଼ ଡାକୁର, ଯାହାଙ୍କ ପାଇଁ ଭକ୍ତ ହିଁ ବଡ଼, ସେହି ଭକ୍ତମାନଙ୍କ ମଧ୍ୟରୁ ଭକ୍ତ ଶିରୋମଣି ବାଲିଗାଁ ଦାସ, ଦାସିଆ….
ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ସାଧକ ଭକ୍ତ ଶିରୋମଣି ଦାସିଆ ପୀଠରେ ଏବେ ଭକ୍ତଙ୍କ ଭିଡ । ଶ୍ରୀକ୍ଷେତ୍ର ପୁରୀ ଯାଉଥିବା ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ଏହିି ପୀଠକୁ ବୁଲି ଆସନ୍ତି । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ୨୮୫ତମ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳି ଭାବେ ସ୍ଥାନ ପାଇଛି। ସେହି ଭକ୍ତ ଶିରୋମଣି ଦାସିଆ ପୀଠ ସଂପର୍କରେ ସ୍ୱତନ୍ତ୍ର ଉପସ୍ଥାପନା…..

ଭକ୍ତ ଓ ଭଗବାନଙ୍କ ସଂପର୍କରେ ନାରଦଙ୍କୁ ଭଗବାନ କହିଥିଲେ : ‘‘ ମୁଁ ବୈକୁଣ୍ଠରେ ନ ଥାଏ ,ଯୋଗୀଙ୍କ ହୃଦୟରେ ମଧ୍ୟ ରୁହେ ନାହିଁ, କିନ୍ତୁ ମୋ ଭକ୍ତ ଯେଉଁଠାରେ ଥାଆନ୍ତି ମୁଁ ସେଠାରେ ବିରାଜମାନ କରିଥାଏ।’’ ଭକ୍ତ ଦାସିଆ ପୀଠରେ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରୁଛନ୍ତି।

ମହାପ୍ରଭୁଙ୍କୁ ନଡ଼ିଆ ପ୍ରଦାନ ମୁଦ୍ରାରେ ଭକ୍ତ ଦାସିଆ

ବାସ୍ତବିକ, ମହାପ୍ରଭୁ ଶ୍ରୀଜଗନ୍ନାଥ ଭାବର ଠାକୁର। ଭକ୍ତର ଭାବରେ ସେ ସବୁବେଳେ ବନ୍ଧା। ଭକ୍ତ ମହାପ୍ରଭୁଙ୍କୁ ନୁହେଁ ବରଂ ମହାପ୍ରଭୁ ଭକ୍ତଙ୍କୁ ସ୍ପର୍ଶ କରିବାର ସବୁଠାରୁ ବଡ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ। ଯିଏ ନିଜର ଭାବରେ ବାନ୍ଧି ରଖି ପାରିଥିଲେ ମହାପ୍ରଭୁଙ୍କୁ। ସେଇଥି ପାଇଁ ଦାସିଆ ଦେଇଥିବା ନଡିଆକୁ ପ୍ରଭୁ ନିଜେ ହାତ ବଢାଇ ନେଇଯାଇଥିଲେ ଏବଂ ତାଙ୍କୁ ବାରମ୍ବାର ଦର୍ଶନ ଦେଇ ତାଙ୍କରି ହାତରୁ ଗ୍ରହଣ କରିଥିଲେ ପାଚିଲା ଆମ୍ବକୁ। ସେହି ମହାନ ଭକ୍ତ ଶିରୋମଣି ଦାସିଆ ଜନ୍ମ ନେଇଥିଲେ ପିପିଲି ନିକଟବର୍ତ୍ତି ବାଲିଗାଁରେ।
ବାଲିଗାଁର ଏକ ଖଦାଳ (ବୁଣାକାର) ପରିବାରରେ ସେ ଜନ୍ମ ନେଇଥିଲେ। ଶିକ୍ଷାରୁ ବଞ୍ଚିତ ଦାସିଆ ଲୁଗାବୁଣି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସ୍ୱାମୀ, ସ୍ତ୍ରୀ ଦୁଇଜଣ, ପୁତ୍ର କନ୍ୟା କେହି ନଥିଲେ। ମାତ୍ର ୪ ଡିସିମିଲ ଘରଡିହ ଜମି, ତୁଳସୀ ଚଉରା ସହ ତୁଳସୀର ବଣ ଏବଂ ଗୋଠଗାଡିଆ ଥିଲା ତାଙ୍କର ଏକମାତ୍ର ସମ୍ବଳ। ତେବେ ନିକଟସ୍ଥ ପ୍ରହରାଜପୁର ଗ୍ରାମରେ ଭଗବତ ଚର୍ଚ୍ଚା ଶୁଣି ତାଙ୍କ ମନରେ ଭକ୍ତି ଭାବ ଜାଗ୍ରତ ହୋଇଥିଲା। ସେ ଭାଗବତ ଶୁଣୁଥିଲେ ଓ ନିଜ ପତ୍ନୀଙ୍କ ପାଖରେ ଶ୍ରୀକୃଷ୍ଣ ଚରିତ ଓ ଶ୍ରୀଜଗନ୍ନାଥଙ୍କ ଲୀଳା ଶୁଣାଉଥିଲେ। ପ୍ରଭୁପଦରେ ମନକୁ ଏକାଗ୍ର କରିଲେ ଦାସିଆ। ଗୁରୁ ଗ୍ରହଣ କଲେ, ମାଳାତିଳକ ଧାରଣ ପୂର୍ବକ ଗୃହୀ ବୈଷ୍ଣବ ଜୀବନକୁ ଶ୍ରେୟ ମନେକଲେ। ପାଲଟିଗଲେ ଦାସରଥି ଦାସ। ଧିରେ ଧିରେ ଦାସିଆଙ୍କ ମନରେ ସ୍ଥିର ଭାବ ଆସିଲା। ସୁଖ ଓ ଦୁଃଖ ତାଙ୍କ ପାଇଁ ସମାନ ସ୍ଥାନ ଗ୍ରହଣ କଲା।

ଜାତୀୟ ରାଜପଥ କଡରେ ନିର୍ମାଣ ହୋଇଥିବା ବିରାଟ ସ୍ବାଗତ ତୋରଣ

ଦାସିଆଙ୍କ ମନରେ କେବଳ ଏକମାତ୍ର କାମନା ଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ। ଶ୍ରୀଗୁଣ୍ଡିଚାରେ ପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ସ୍ଥିର କରି ଆଖପାଖ ଅଞ୍ଚଳର କିଛି ଭକ୍ତଙ୍କ ସହ ସେ ପୁରୀ ଯାଇଥିଲେ। ସେଠାରେ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲା ବେଳେ ଧାରଧାର ଆନନ୍ଦାଶ୍ରୁ ଗଡିଯାଉଥିଲା ତାଙ୍କ ଦୁଇ ନୟନରୁ। ଭାବରେ ତନ୍ମୟ ହୋଇଯାଇଥିଲେ ଦାସିଆ। ଭକ୍ତିଭାବରେ ତଲ୍ଲିନ ହୋଇ ନିଜଗୃହକୁ ଫେରିଲା ତାଙ୍କର ଶରୀର, ମନ କିନ୍ତୁ ରହିଗଲା ସେହି ରଙ୍ଗାଧାରଙ୍କ ଠାରେ। ଘରେ ପତ୍ନୀ ପ୍ରସ୍ତୁତ କରି ରଖିଥିଲେ ଉଆ ଚାଉଳର ପେଜରେ ଜାଉ। ନୂଆ ମାଟିହାଣ୍ଡିରେ ସମାନ ଜାଉ ଥାଇ ତାର କେନ୍ଦ୍ର ସ୍ଥଳରେ ରଖିଥିଲେ ଶାଗଭଜାକ। ନାଲିରଙ୍ଗର ମାଟିପାତ୍ର, ଧଳାରଙ୍ଗର ଜାଉ ଓ କଳାରଙ୍ଗର ଶାଗ ସାଙ୍ଗକୁ ମାଟିପାତ୍ରର ମଙ୍ଗର ଆକୃତି ଥିଲା ଗୋଲାକାର। ଭକ୍ତିରେ ଉବୁଟୁବୁ ହେଉଥିବା ଦାସିଆଙ୍କୁ ଏହା ଯୋଗାଇଥିଲା ଉନ୍ମାଦନାର ଖୋରାକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆକୃତିକୁ ଦେଖିବା ପରେ ପାଗଳପ୍ରାୟ ତନ୍ମୟ ହୋଇ କୀର୍ତ୍ତନ କରୁଥିବା ଦାସିଆଙ୍କୁ ଦେଖି ତାଙ୍କ ପତ୍ନୀ ଚିନ୍ତିତ ହୋଇ ପଡିଲେ। ସଙ୍ଗେ ସଙ୍ଗେ ଗ୍ରାମଜନଙ୍କୁ ଡକାଇଲେ। ବ୍ରାହ୍ମଣ ଗୋସେଇଁମାନେ ସବୁ ଶୁଣି କହିଲେ ଜାଉରୁ ଶାଗକୁ ଅଲଗା କରିଦିଅ, ତେବେ ଦାସିଆ ଏହାକୁ ଭୋଜନ କରିବେ। ତାହା ହିଁ ହେଲା। ଜାଉରୁ ଶାଗକୁ ଭିନ୍ନ କରିବା ପରେ ଦାସିଆ ତାକୁ ଖାଇ ବିଶ୍ରାମ ନେଲେ।

Image Credit : Holy dham ଭକ୍ତ ଦାସିଆ ପୀଠରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର

ଦିନେ ରାତ୍ରିରେ ଶୋଇଥିବା ବେଳେ ପ୍ରଭୂ ଶ୍ରୀଜଗନ୍ନାଥ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଲେ। ପ୍ରଭୁ ତାଙ୍କୁ ବର ଯାଚିଲେ। ଦାସିଆ ପ୍ରଭୁଙ୍କୁ ବର ମାଗିଥିଲେ ‘‘ ଯେବେ ମୁଁ ମନରେ ଭାବିବି, ତୁମ୍ଭ ଦର୍ଶନ ପାଉଥିବି’’। ବାସ୍ତବରେ ତାହା ହିଁ ହୋଇଥିଲା। ଦିନେ ନିକଟସ୍ଥ ପ୍ରହରାଜପୁରର ଜଣେ ବ୍ରାହ୍ମଣ ଗୋସେଇଁ ଶ୍ରୀକ୍ଷେତ୍ର ଯାଉଥିବା ଖବର ଶୁଣି ଦାସିଆ ଗୋଟିଏ ନଡିଆ ତାଙ୍କରି ହାତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ପଠାଇଲେ ଏବଂ କହିଲେ ‘‘ଗୋସେଇଁ ଏଇ ନଡିଆଟିକୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଦେବ, ଆଉ କହିବ ବାଲିଗାଁ ଦାସିଆ ପଠାଇଛି। ଯଦି ସେ ନିଜ ହାତରେ ନେବେ, ତାହେଲେ ଦେବ, ନହେଲେ ଫେରାଇ ଆଣିବ। ମନରେ ଦାସିଆଙ୍କ ଅଖଣ୍ଡ ବିଶ୍ୱାସ, ଆଉ ସେହି ବିଶ୍ୱାସକୁ ମଧ୍ୟ ପ୍ରଭୁ ରକ୍ଷା କରି ବ୍ରାହ୍ମଣ ଗୋସେଇଁଙ୍କ ହାତରୁ ଦାସିଆ ପଠାଇଥିବା ନଡିଆକୁ ଶୂନ୍ୟରେ ଶ୍ରୀହସ୍ତ ବିସ୍ତାର କରି ଗ୍ରହଣ କରିଥିଲେ ଓ ଯୁଗେ ଯୁଗେ ପ୍ରଭୁ ଭକ୍ତର ବୋଲି ପ୍ରମାଣ କରି ଦେଇଥିଲେ।

ଆଉ ଦିନକର ଘଟଣା। ଦାସିଆ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସ୍ଥିର କଲେ। ଜଣେ ଆମ୍ବ ବିକାଳି ଠାରୁ ପାଚିଲା ଆମ୍ବକୁ କିଣି କାନ୍ଧରେ ଭାର କରି ସେ ପୁରୀରେ ଯାଇ ପହଞ୍ଚିଲେ। ଦାସିଆଙ୍କ ଠାରୁ ଆମ୍ବକୁ ନେଇ ପ୍ରଭୁଙ୍କୁ ଦେବା ପାଇଁ ସେଠାରେ ସେବକ ମାନେ ଭିଡ ଲଗାଇଲେ। ଦାସିଆ କିନ୍ତୁ ପାଚିଲା ଆମ୍ବକୁ ଧରି କହିଲେ ‘‘ ବୋଇଲା ଶୁଣ ଭଗବାନ, ଏ ଯେ ତୁମ୍ଭ ନିଜଧନ। ତୁମ୍ଭ ଇଚ୍ଛାରେ ଭୋଗକର, ଗୋଳ କିମ୍ପାଇ ଏହାଙ୍କର।’’ ଏହା ଶୁଣି ପ୍ରଭୁ ନିଜେ ଶ୍ରୀହସ୍ତ ବିସ୍ତାର କରି ଗୋଟି ଗୋଟି କରି ସବୁ ଆମ୍ବକୁ ନେଇ ଯାଇଥିଲେ। ସେଠାରେ ଯେଉଁମାନେ ଥାଇ ଏ ଦୃଶ୍ୟ ଦେଖୁଥିଲେ, ସେମାନେ ଧାଇଁ ଯାଇ ବଡଦେଉଳରେ ପ୍ରବେଶ କରି ଦେଖିଲେ ରତ୍ନ ସିଂହାସନ ନିକଟରେ ଆମ୍ବ ଟାକୁଆ ଓ ଚୋପାମାନ ପଡିଛି। ଏହା ଦେଖି ସମସ୍ତେ ଆଚମ୍ବିତ ହୋଇ ଯାଇଥିଲେ ଓ ଦାସିଆଙ୍କ ଭକ୍ତି ଭାବକୁ ଦେଖି ତାଙ୍କୁ ଶ୍ରେଷ୍ଠ ଭକ୍ତ ବୋଲି କହିଥିଲେ।

ବାତ୍ୟା ଫନି ପରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଗୋଠଗାଡିଆ

ଭକ୍ତ ଦାସିଆ ଥିଲେ ସିଦ୍ଧସାଧକ। ଶ୍ରୀକ୍ଷେତ୍ରର ରଥଯାତ୍ରା ଦେଖିବାକୁ ଜିଦ୍‍ ଧରିଥିବା ପତ୍ନୀଙ୍କୁ ନିଜର ଗୋଠଗାଡିଆର ସ୍ଥିରଜଳରେ ସେ ଦେଖାଇ ପାରିଥିଲେ ଶ୍ରୀକ୍ଷେତ୍ରର ରଥଯାତ୍ରା। ଆଜି ମଧ୍ୟ ସେହି ଗୋଠଗାଡିଆକୁ ଲୋକେ ଭକ୍ତିର ସହ ଅତ୍ୟନ୍ତ ପବିତ୍ର ମନେକରନ୍ତି। ଏହି ଗୋଠଗାଡିଆରେ ଦାସିଆ ତତ୍କାଳୀନ ଶ୍ରେଷ୍ଠ ସାଧକ ପଞ୍ଚସଖାଙ୍କୁ ଦେଖାଇଥିଲେ ଭଗବାନଙ୍କ ଦଶବତାର ରୂପ। ଏହା ପଞ୍ଚସଖାଙ୍କ ରଚିତ ପୋଥିରେ ଉଲ୍ଲେଖ ଅଛି। ଏହି ଗୋଠଗାଡିଆ କୂଳରେ ପଞ୍ଚସଖା ଦାସିଆଙ୍କୁ ଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠ ସାଧକ ଭାବେ ସ୍ୱୀକୃତି ଦେଇଥିଲେ।

ଭକ୍ତ ଦାସିଆ ପୀଠରେ ଥିବା ଦେବଦେବୀଙ୍କ ମନ୍ଦିର

ପିପିଲିର ବାଲିଗାଁରେ ଥିବା ଦାସିଆଙ୍କ ସ୍ମୃତି ପୀଠକୁ ପରିଦର୍ଶନ କରିବାକୁ ଗଲେ ଦାସିଆଙ୍କ ସମାଧିପୀଠ, ରାଧାମୋହନ ମଠ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିର, ଗୋଠଗାଡିଆ, ଦାସିଆଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି, ତୁଳସୀ ବଗିଚା, ପଦ୍ମ ପୋଖରୀ ଦେଖିବାକୁ ମିଳେ। ଉକ୍ତ ପୀଠର ବିକାଶ ପାଇଁ ଭକ୍ତ ଦାସିଆ ସ୍ୱୃତି କମିଟି ଉଦ୍ୟମ ଚଳାଇଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ୨୮୫ତମ ଅଗ୍ରଣୀ ପର୍ଯ୍ୟଟନ ସ୍ଥଳି ଭାବେ ସ୍ଥାନ ପାଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେଠାରେ ଏକ ଗେଷ୍ଟ ହାଉସ ନିର୍ମାଣ କରାଯିବା ସହ ଜାତୀୟ ରାଜପଥ କଡରେ ଏକ ବିରାଟ ତୋରଣ ନିର୍ମାଣ କରାଯାଇ ପୀଠର ବିକାଶ କରାଯାଉଛି।

ଭକ୍ତ ଦାସିଆଙ୍କ ସମାଧି

ପୀଠ ପରିସରରେ ମହାଲକ୍ଷ୍ମୀଙ୍କ ମନ୍ଦିର, ମା’ବିମଳାଙ୍କ ମନ୍ଦିର, ଶ୍ରୀଗଣେଶଙ୍କ ମନ୍ଦିର, ମା’ ମଙ୍ଗଳାଙ୍କ ମନ୍ଦିର, ଶ୍ରୀମହାବୀରଙ୍କ ମନ୍ଦିର ରହିଛି। ସେଠାରେ ଦୈନନ୍ଦିନ ପୂଜାନୀତି ଚାଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୁଏ। ତେବେ ଏହି ପୀଠ ପରିସରସ୍ଥ ରାଧାମୋହନ ମଠର କାଞ୍ଜି, ତୋରାଣି ଓ ଗୋଠଗାଡିଆର ପଙ୍କ ଓ ପାଣିର ମହତ୍ତ୍ୱ ରହିଛି। ଭକ୍ତ ଦାସିଆଙ୍କ ଜନ୍ମ ଓ ସ୍ମୃତି ପୀଠ ବାଲିଗାଁକୁ ପରିଦର୍ଶନରେ ଗଲେ ଗୋଟିଏ କଥା ମନରେ ଆସେ ‘‘ ଯେ ଯେଡେ ନୀଚ ଜାତି ହେଉ, ସେ ଏକା ଭକ୍ତି ଭାବେ ଥାଉ। ତାହାର ପତ୍ର ଫଳ ପୁଷ୍ପ, ପାଇଲେ ଶ୍ରୀ ହରି ସନ୍ତୋଷ। ଯେ ନର ଉଚ୍ଚଜାତି ହେଉ, ଶ୍ରୀହରି ଭକତି ନଥାଉ। ସେ ଯେତେ ସ୍ୱାଦୁ ଦ୍ରବ୍ୟ ଦେଲେ, ପ୍ରଭୁ ନ ଛୁଅନ୍ତି ତା ଭଲେ।’’
ଭକ୍ତ ଦାସିଆଙ୍କ ଜନ୍ମ ଓ ସ୍ମୃତି ପୀଠ ସମସ୍ତଙ୍କ ମନରେ ଭକ୍ତି ଭାବ ଜାଗ୍ରତ କରେ। ଭଗବାନ ଓ ତାଙ୍କର ପ୍ରିୟ ଭକ୍ତଙ୍କ ନିକଟରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ନଇଁଯାଏ। ଧନ୍ୟ ତମେ ଭକ୍ତ ଦାସିଆ, ଧନ୍ୟ ହେ ବାଲିଗାଁ ଦାସ।

ତଥ୍ୟ- ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଉପସ୍ଥାପନା – ଅମୂଲ୍ୟ କୁମାର ହୋତା