ଚୋରା କାଠ ଗାଡି ଜବତ, କାଠ ମାଫିଆ ଫେରାର

0

ଧାମରା : ଭଦ୍ରକ ଜିଲା କରଞ୍ଜମାଳ ଠାରେ ଏକ ଚୋରା କାଠ ଗାଡିକୁ ବନବିଭାଗ ଜବତ କରିଥିବା ଜଣାପଡିଛି। ଏହି ଗାଡିଟି ବାସୁଦେବପୁରରୁ ଧାମରା ବନ୍ଦରକୁ ଆସୁଥିବା ବନବିଭାଗ ପ୍ରକାଶ କରିଛି। ପ୍ରାପ୍ତ ଖବର ଅନୁଯାୟୀ, ଓଡି ୨୨ଏ ୪୩୦୬ନଂ ପିକ୍ ଅପରେ ଜବତ ହୋଇଥିବା ପିକ୍ ଅପଟି ବିଲ୍ ରେ ୬୦ ସ୍କୋୟାର ଫୁଟ କାଠ ଆଣୁଥିବା ଦର୍ଶା ଯାଇଥିବା ବେଳେ ପ୍ରକୃତରେ ଏହି ଗାଡିରେ ବିଲ୍ ରେ ଦର୍ଶା ଯାଇଥିବା କାଠ ଠାରୁ ଅଧିକ ପରିମାଣରେ କାଠ ଆସୁଥିବା ବନ ବିଭାଗ ନିକଟରୁ ପ୍ରକାଶ ପାଇଛି। ଏହି ଗାଡିଟିକୁ କରଞ୍ଜମାଳ ବନବିଭାଗର ବନରକ୍ଷୀ କରଣପଲ୍ଲୀ ଠାରେ ଜବତ କରି କରଞ୍ଜମାଳ ବିଟ୍ ଅଫିସକୁ ଆଣୁଥିବା ବେଳେ ଗାଡିରେ ଥିବା ଚାଳକ ଏବଂ କାଠ ମାଲିକ ଫେରାର ହୋଇ ଯାଇଥିବା ଜଣାପଡିଛି। ପରେ କରଞ୍ଜମାଳ ବନରକ୍ଷୀ ଏହି ପିକ୍ ଅପ୍ ଗାଡି ସହ କାଠକୁ ସିଜ୍ କରି ଚାନ୍ଦବାଲି ରେଞ୍ଜରଙ୍କ ଅଫିସକୁ ହସ୍ତାନ୍ତରିତ କରିଥିଲେ। ଏ ନେଇ ଚାନ୍ଦବାଲି ରେଞ୍ଜ ଅଫିସରେ ଏକ କେଶ୍ ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହି ଗାଡିର ପରମିଟ ଠିକ୍ ନଥିବା ଦର୍ଶାଯାଇଥିବା ବେଳେ କାଠ ଆଣୁଥିବା ମାଲିକ ବନରକ୍ଷୀଙ୍କୁ ଏହା ଠିକ୍ ପରମିଟ ବୋଲି ଦାବୀ କରିଥିଲେ। ମାତ୍ର କେଉଁ ପରିସ୍ଥିତିରେ ନିଜର କାଠ ବୋଲି ଦର୍ଶାଉଥିବା ଅନ୍ୟ ଜଣେ ମାଲିକକୁ ବନ ବିଭାଗର କିପରି ଛାଡି ଦେଲେ ତାହାର ବିଧିବଧ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଚାନ୍ଦବାଲି ରେଞ୍ଜର ଅରୁଣ କୁମାର ବେହେରା ଏହାର ତଦନ୍ତ କରି କେଉଁ ପରିସ୍ଥିତିରେ ନିଜର କାଠ ବୋଲି ଦାବୀ କରୁଥିବା ମାଲିକଙ୍କୁ କରଞ୍ଜମାଳ ବନବିଭାଗ ଷ୍ଟାଫ୍ କିପରି ଛାଡିଦେଲେ ତାହାର ରିପୋର୍ଟ ଭଦ୍ରକ ଡିଏଫଓଙ୍କୁ ଦେବେ ବୋଲି ଜଣାଯାଇଛି। ଏହି ସମସ୍ତ କାରବାର ବନବିଭାଗ ଜାଣତରେ ଚାଲୁଥାଏ ବୋଲି ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ମାତ୍ର କେଉଁ କର୍ମକର୍ତ୍ତା ଏହି ଚୋରା କାଠ ବେପାରରେ ସଂପୃକ୍ତ ତାଙ୍କ ପ୍ରତି ଭଦ୍ରକ ଡିଏଫଓ ଦୃଷ୍ଟି ଦେଇ ଅନ୍ୟତ୍ର ବଦଳି କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି।

Leave A Reply