ଦ୍ୱିତୀୟ ଜାଲିଆନାୱାଲାବାଗ ‘ଇରମ’

0

ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ଅବସ୍ଥିତ ରକ୍ତତୀର୍ଥ ଇରମ- ଯେଉଁଠି ଦିନେ ପରାଧୀନ ଭାରତର ମୁକ୍ତି ପାଇଁ ଦେଶପ୍ରେମୀଙ୍କ ଲୁହଲହୁ ଏକାଠି ହୋଇଥିଲା। ଦେଶ ପାଇଁ ଇଂରେଜର ବନ୍ଧୁକ ମୁନରେ ୨୯ଜଣ ସହିଦ ହୋଇଥିଲେ ଏବଂ ୫୬ଜଣ କ୍ଷତାକ୍ତ ହୋଇଥିଲେ। ସହିଦମାନଙ୍କ ମଧ୍ୟରେ ରହିଥିଲେ ପରୀ ବେୱା ନାମକ ଜଣେ ମହିଳା ସଂଗ୍ରାମୀ। ଦେଶପ୍ରେମର ଗାଥା ଗାଉଥିବା ଇରମ ମାଟିକୁ ବହୁ ବିଳମ୍ବରେ ମିଳିଛି ପର୍ଯ୍ୟଟନ ସ୍ଥଳର ମାନ୍ୟତା। ହେଲେ ଆଜିଯାଏ ବିକାଶର ଛୁଆଁ ଲାଗିପାରୁନି। ରକ୍ତରଞ୍ଜିତ ଇରମ ମାଟି ଆଜି ବି ଗୁମୁରି କାନ୍ଦୁଛି।
୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ। ଗାନ୍ଧିଜୀଙ୍କ ଡାକରାରେ ପରାଧୀନ ଭାରତର ମୁକ୍ତି ପାଇଁ ଦେଶପ୍ରେମୀମାନେ ପଣ କରିଥିଲେ। ସେଦିନ ଇରମ ମେଳଣ ପଡ଼ିଆରେ ସମବେତ ହୋଇଥିଲେ ହଜାରହଜାର ଦେଶପ୍ରେମୀ। ଏହି ସମୟରେ ଚୁଡ଼ାମଣି ଗମେଇ ନଈ ପାର ହୋଇ ଆସୁଥିଲେ କେତେଜଣ ବ୍ରିଟିଶ କର୍ମଚାରୀ। ମେଳଣ ପଡ଼ିଆରେ ସମବେତ ଦେଶପ୍ରେମୀଙ୍କ ମଧ୍ୟରୁ ମଣିବେଜ୍‍ ବ୍ରିଟିଶ କର୍ମଚାରୀଙ୍କ ହାତରୁ ପୋଷାକ ଛଡ଼ାଇ ଆଣି ତଳେ ପକାଇ ଦେଇଥିଲା। ରକ୍ତମୁଖା ହୋଇଉଠିଥିଲେ ବ୍ରିଟିଶ ଫଉଜ। ମେଳଣ ପଡିଆରେ ସମବେତ ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ପ୍ରାଣ ବିକଳରେ ଯିଏ ଯୁଆଡ଼େ ଜୀବନ ବଞ୍ଚାଇ ପଳାଇ ଯାଇଥିବା ବେଳେ ସେଇଠି ସହିଦ ହୋଇଗଲେ ୨୮ ଜଣ। ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଓଡିଶାରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠି ପରାଧୀନ ଭାରତର ମୁକ୍ତି କାମନା କରି ଏକ ସମୟରେ ୨୯ଜଣ ଦେଶପ୍ରେମୀ ସହିଦ ହୋଇଛନ୍ତି। ଏହି ଲୋମହର୍ଷଣକାରୀ ଘଟଣାର ସ୍ମୃତିବହନ କରିଥିବା ରକ୍ତତୀର୍ଥ ଇରମ ମାଟିକୁ ୨୦୧୫ ମାର୍ଚ୍ଚରେ ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଛି।
ଏହାକୁ ନେଇ ସମାଧି ପୀଠ, ସ୍ମୃତିସ୍ତମ୍ଭ ହେବା ସହ ଇରମର ପାରିପାର୍ଶ୍ବିକ ସ୍ଥିତିର ବିକାଶ ହେବ, ସହିଦମାନଙ୍କ ପ୍ରତିମୂର୍ତ୍ତି ବସିବ, ସହିଦ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ ନିର୍ମାଣ ହେବ, ଜାମୁଝାଡି ଭାୟା ବାସୁଦେବପୁର ଦେଇ ଇରମ ରାସ୍ତାକୁ ସହିଦ ମାର୍ଗ ଭାବେ ନାମିତ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ରଖିଥିଲେ। ହେଲେ ବିକାଶ ତ ଦୂର, ଘୋଷଣା ପରେ ସ୍ମୃତିସ୍ତମ୍ଭ ଅବା ସମାଧିପୀଠର କୌଣସି ପରିବର୍ତ୍ତନ ଘଟିନାହିଁ। ଇରମର ବିକାଶ ପାଇଁ ୪୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ କିଏ ଏହି କାମ କରୁଛି ତା’ର କିଛି ସୂଚନା ନଥିବାରୁ ସହିଦ ସ୍ମୃତି କମିଟି କ୍ଷୋଭ ପ୍ରକାଶ କରେ। ତେବେ ଓଟିଡିସିର ସହକାରୀ ଯନ୍ତ୍ରୀ ଶ୍ରୀଧର ମହଲା ପ୍ରଥମେ ସମାଧିପୀଠର ପାଚେରି ନିର୍ମାଣ ପାଇଁ ନିଅଁ ଖୋଳାଯାଇଥିବାର ସୂଚନା ଦିଅନ୍ତି। ସ୍ୱାଧୀନତା ପାଇଁ ଉତ୍ସର୍ଗୀକୃତ ସଂଗ୍ରାମୀଙ୍କ ରକ୍ତରଞ୍ଜିତ ଇରମ ମାଟିକୁ କେବେ ମୂଲ୍ୟ ମିଳୁଛି ସମୟ କହିବ।

Leave A Reply