ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଆଜି: ଏକାଧିକ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତି ସ୍ଥାପନ

0

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦେଢ ଘଣ୍ଟିଆ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ପ୍ରାୟ ୨୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ଓ ଉଦ୍‍ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ରହ୍ମପୁର ସହର ପୁଲିସ ଛାଉଣି ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଏତେ ସଂଖ୍ୟକ ପୁଲିସ ମୁତୟନ ହୋଇନଥିଲା। କାର୍ଯ୍ୟସୂଚୀ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୂର୍ବାହ୍ନ ୧୧ଟା ୧୫ମିନିଟ ସମୟରେ ହେଲିକପ୍ଟରରେ ଆସି ପାଲୁରହିଲ୍ସଠାରେ ପହଞ୍ଚିବେ। ସେଠାରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ମାନବସମ୍ବଳ ଓ ଏକାଡେମିକ କୋଠା ଉଦ୍‍ଘାଟନ ଏବଂ ୨୯କୋଟିରେ ନିର୍ମିତ ହେବାକୁ ଥିବା ଜରା ନିବାସ ଭିତ୍ତିସ୍ଥାପନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀ ସିଟି ହାଇସ୍କୁଲ ପଡିଆକୁ ହେଲିକପ୍ଟରରେ ଆସି ସେଠାରୁ ସଡ଼କ ପଥରେ ଗୋପାଳପୁର ଜଙ୍କସନରେ ପହଞ୍ଚି ଗୋପାଳପୁର ରେଳଓଭରବ୍ରିଜ ଉଦ୍‍ଘାଟନ କରିବେ।
ଓଭରବ୍ରିଜ ଉଦ୍‍ଘାଟନ ପରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ କଲେଜ ଷ୍ଟାଡିୟମକୁ ଆସି ବିଏମ୍‍ସି ଏବଂ ବ୍ରହ୍ମପୁରର ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟନ ଓ ଭିତ୍ତିସ୍ଥାପନ କରିବେ। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ, ୪କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଟିଆଇ ୱାର୍କସପ୍‍, ମହିଳା ଥାନା କୋଠା, ଓଭରବ୍ରିଜ ଏଲଇଡି ଲାଇଟ ଉଦଘାଟନ ସହିତ ମାଛ ମାର୍କେଟ, ୱାଇଫାଇ ସେବା ଓ ବିଏମ୍‍ସି ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିସ୍ଥାପନ ହେବ। ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସଭାରେ ଉଦ୍‍ବୋଧନ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜନୈତିକ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଯୋଜନା ହୋଇଥିବାରୁ ସହର ପୁଲିସ ଛାଉଣି ହୋଇଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବ୍ରହ୍ମପୁରର ୭୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ସଡ଼କ ପଥରେ ପ୍ରାୟ ସବୁରାସ୍ତାରେ ପୁଲିସ ମୁତୟନ କରାଯାଇଛି।

Leave A Reply