ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଶ୍ରୀକାନ୍ତ ନିହତ

0

ବ୍ରହ୍ମପୁର: ପୁଲିସ ଗୁଳିର ଶିକାର ହୋଇଛନ୍ତି ଦୁଇ ଦୁର୍ଦାନ୍ତ ଅପରାଧୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଘୁଆ ଡ୍ୟାମ୍‌ ନିକଟସ୍ଥ ଜଙ୍ଗଲରେ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଦୁଇ ଦୁର୍ଦାନ୍ତ ଅପରାଧୀ ଶ୍ରୀକାନ୍ତ ରଣା ଓ ଗୌରୀ ଶଙ୍କର ସ୍ୱାଇଁ ଡକାୟତି ଯୋଜନା କରୁଥିବା ସୂଚନା ପାଇ ବୁଗୁଡା ଥାନା ଇନ୍ସପେକ୍ଟର ରାମଚନ୍ଦ୍ର ବିଶ୍ୱାଳ ସଦଳବଳେ ଜଙ୍ଗଲରେ ଚଢ଼ାଉ କରିଥିଲେ। ଗିରଫଦାରୀ ଭୟରେ ଉଭୟ ଗୌରୀ ଓ ଶ୍ରୀକାନ୍ତ ପୁଲିସ ଉପରକୁ ଗୁଳି ଚାଳନା ସହ ବୋମା ଫୋପାଡିଥିଲେ। ପରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିବିନିମୟ ହୋଇଥିଲା। ପୁଲିସ ଗୁଳିରେ ଶିକାର ହୋଇଥିଲେ ଉଭୟ ଅପରାଧୀ। ଉଭୟଙ୍କ ଦୁଇ ଗୋଡ଼ରେ ବାଜିଥିଲା ଗୁଳି। ଗୁଳି ବିନିମୟରେ ବୁଗୁଡା ଥାନା ଇନ୍ସପେକ୍ଟର ରାମଚନ୍ଦ୍ର ବିଶ୍ବାଳଙ୍କ ସମେତ ଅନ୍ୟ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ବୁଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଵ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବୁଗୁଡ଼ାରୁ ଵ୍ରହ୍ମପୁର ସ୍ଥାନାନ୍ତର ବେଳେ ରାସ୍ତାରେଐ ହିଁ ଆହତ ଶ୍ରୀକାନ୍ତ ରଣାର ମୃତ୍ୟୁ ଘଟିଥିଲା। ମୃତ ଶ୍ରୀକାନ୍ତର ଘର ଭୁବନେଶ୍ୱର ନିକଟସ୍ଥ ଭରତପୁର ହୋଇଥିବା ବେଳେ ଆହତ ଗୌରୀର ଘର ବୁଗୁଡା ନିକଟସ୍ଥ ମୁଦୁଲିପଲ୍ଲୀ ବୋଲି ଜଣାପଡିଛି। ଘଟଣା ସ୍ଥଳରୁ ପୁଲିସ ଦୁଇ ଅପରାଧୀଙ୍କ ନିକଟରୁ ୨ଟି ମାଉଜର, ୬ଟି ଗୁଳି, ୫ଟି ବୋମା ଓ ଗୋଟିଏ ଆପାଚି ମୋଟର ସାଇକେଲ ଜବତ କରିଛି। ବଚଲିସ ଗୁଳିର ଶିକାର ହୋଇଥିବା ଉଭୟ ଅପରାଧୀଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ୧୫ରୁ ଅଧିକ ସଙ୍ଗୀନ ମାମଲା ରହିଛି। ନିକଟରେ ବୁଗୁଡା ନିକଟସ୍ଥ ମଣିତରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଡକାୟତିରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ଥିବା ପୁଲିସ ସ୍ପଷ୍ଟ କରିଛି। ଏହା ଉଭୟ ଗଂଜାମ ଓ ଵ୍ରହ୍ମପୁର ପୁଲିସ ପକ୍ଷରୁ ଚାଲିଥିବା ମିଳିତ ଅଭିଯାନ ଅପରେସନ କ୍ଲିନ କ୍ରାଇମର ୪୧ତମ ଏନକାଉଣ୍ଟର ଏବଂ ଆହତ ଅପରାଧୀଙ୍କ ସଂଖ୍ୟା ୪୫ରେ ପହଂଚିଛି। ପୁଲିସ ଏନକାଉଣ୍ଟରରେ ଅପରାଧୀର ମୃତ୍ୟୁ ଘଟଣା ଗଂଜାମ ଜିଲ୍ଲାରେ ପ୍ରଥମ।

Leave A Reply