ସାମ୍ନାକୁ ଆସିଲା ‘ବେଲ୍ ବଟମ୍’ର ପ୍ରଥମ ଲୁକ୍

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଚଳିତ ଦିନରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଛନ୍ତି। ତାଙ୍କର ପ୍ରତ୍ୟେକଟି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହେଉଛି। ନିକଟରେ ତାଙ୍କ ଅଭିନୀତ ଆଉ ଏକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଅକ୍ଷୟଙ୍କ ଏହି ଆଗାମୀ ଚଳଚ୍ଚିତ୍ରର ନାଁ ହେଉଛି ‘ବେଲ୍‌ ବଟମ୍’। ନିଜେ ଅକ୍ଷୟ ‘ବେଲ୍‌ ବଟମ୍‌’ରେ ତାଙ୍କର ପ୍ରଥମ ଲୁକ୍ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।
ଏହି ଲୁକ୍ ପୋଷ୍ଟରରେ ଅକ୍ଷୟ ୮୦ ଦଶକ ସମୟର ବେଶରେ ନଜର ଆସିଛନ୍ତି। ସେ ଏକ କାର ଉପରେ ବସିଛନ୍ତି ଏବଂ ତାଙ୍କ ଉପର ଦେଇ ଏକ ବିମାନ ଯାଉଛି। ଏହି ଫଟୋ ଶେୟାର କରିବା ସହ ଅକ୍ଷୟ ଲେଖିଛନ୍ତି, ୮୦ ଦଶକକୁ ଫେରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ଏବଂ ରୋଲର-କୋଷ୍ଟର ଗୁପ୍ତଚର ଅଭିଯାନରେ ସାମିଲ ହୁଅନ୍ତୁ। ଏହି ଚଳଚ୍ଚିତ୍ର ୨୦୨୧ ମସିହା ଜାନୁଆରୀ ୨୨ ତାରିଖରେ ପରଦାକୁ ଆସିବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି। ଏଥିସହିତ ଏହା କୌଣସି ଚଳଚ୍ଚିତ୍ରର ରିମେକ୍ ନୁହେଁ ବରଂ ଏକ ନୂଆ କାହାଣୀ ଓ ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବାସୁ ଭଗନାନୀ, ଜ୍ୟାକି ଭଗନାନୀ, ଦୀପଶିଖା ଦେଶମୁଖ, ମନିଷା ଅଡ଼ଭାଣୀ, ମଧୁ ଭୋଜୱାନ ଓ ନିଖିଲ୍ ଆଡ଼ଭାଣୀଙ୍କ ମିଳିତ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ରଞ୍ଜିତ୍ ଏମ୍ ତିୱାରୀ ବହନ କରିଛନ୍ତି।

Comments are closed.