ନିଜ ମ୍ୟାଚ୍‌ରେ ବେଟିଂ କରୁଥିଲା ହକି ବିଶ୍ବକପ୍ ବିଜେତା ବେଲ୍‌ଜିୟମ୍?

0

ନୂଆଦିଲ୍ଲୀ : ଗତ ଡିସେମ୍ବରରେ ଭୁବନେଶ୍ବରରେ ପୁରୁଷ ହକି ବିଶ୍ବକପ୍ ଚମ୍ପିଆନ୍ ହୋଇ ବେଲ୍‌ଜିୟମ୍ ଦଳ ନୂତନ ଇତିହାସ ରଚନା କରିଥିଲା। ହକି ପ୍ରୋ-ଲିଗ୍‌ ପାଇଁ ଆଉ ଅଳ୍ପଦିନ ବାକି ଥିବା ବେଳେ ବିଶ୍ବକପ୍‌ ବିଜେତା ବେଲଜିୟମ୍‌ ହକି ଦଳ ଉପରେ ବେଟିଂର କଳାବାଦଲ ଢାଙ୍କି ହୋଇଯିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ଚିନ୍ତା ବଢ଼ାଇ ଦେଇଛି। ଜାଣିବାକୁ ମିଳିଛି ଯେ ଗତ ୪ ବର୍ଷରେ ବେଲ୍‌ଜିୟମ୍ ହକି ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଏହି ଦଳ ଖେଳିଥିବା ୨୦ଟି ମ୍ୟାଚ୍‌ରେ ବେଟିଂ କରିଥିଲେ।
ମଙ୍ଗଳବାର ବେଲ୍‌ଜିୟମ୍ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ୨୦୧୫ରୁ ୨୦୧୮ ଭୁବନେଶ୍ବର ବିଶ୍ବକପ୍‌ ପର୍ଯ୍ୟନ୍ତ ବେଲଜିୟମ୍ ପୁରୁଷ ହକି ଦଳ ଖେଳିଥିବା ଅତିକମ୍‌ରେ ୨୦ଟି ମ୍ୟାଚ୍‌ରେ ବେଟିଂ ହୋଇଛି। ଏହି ବେଟିଂ କୌଣସି ସାଧାରଣ ଲୋକ ନୁହନ୍ତି; ବରଂ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରିଛନ୍ତି। ଫଳରେ ଏହି ମ୍ୟାଚ୍‌ଗୁଡ଼ିକ ତଦନ୍ତ ପରିସରଭୁକ୍ତ ହୋଇଛି। ତଦନ୍ତ ଅଦ୍ୟାବଧି ପୁଲିସ ପାଖକୁ ଯାଇନାହିଁ। ବେଲ୍‌ଜିୟମ୍‌ର କ୍ରୀଡ଼ା କମିଶନ୍ ଉପରୋକ୍ତ ଅଭିଯୋଗର ତଦନ୍ତ କରୁଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବେଲଜିୟମ୍‌ ହକି ଆସୋସିଏସନ୍‌ର ଜନୈକ ବରିଷ୍ଠ ଅଧିକାରୀ ଡେନିସ୍ ଭାନ୍‌ ଡାମେ କହିଛନ୍ତି, ବେଟିଂକୁ ନେଇ ଅଭିଯୋଗ ଆସିବା ପରେ ଏହାକୁ ଗୁରୁତ୍ବର ସହ ନେଇ ହକି ଆସୋସିଏସନ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ବେଟିଂରେ ସଂପୃକ୍ତ ଥିବା ପ୍ରମାଣ ମିଳେ ସେମାନଙ୍କ ବିରୋଧରେ କଠୋର ଦଣ୍ଡାଦେଶ କରାଯିବ। ସୂଚନାଯୋଗ୍ୟ; ହକି ପ୍ରୋ-ଲିଗ୍‌ରେ ଆସନ୍ତା ଶନିବାର ବେଲଜିୟମ୍‌ର ମୁକାବିଲା ସ୍ପେନ ସହ ହେବ। ଭୁବନେଶ୍ବରରେ ଆୟୋଜିତ ବିଶ୍ବକପ୍‌ର ଫାଇନାଲରେ ନେଦରଲାଣ୍ଡ୍‌ସକୁ ହରାଇ ବେଲ୍‌ଜିୟମ୍ ପ୍ରଥମଥର ବିଶ୍ବକପ୍ ଚମ୍ପିଆନ୍ ହୋଇଥିଲା।

Leave A Reply