ଭୁବନେଶ୍ବର, ପୁରୀ ହେବ ଭିକାରିମୁକ୍ତ

ମଳିନ ହେଉଛି ବିକାଶର ଚିତ୍ର

-ଗୃହ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଦାୟିତ୍ବ

ଭୁବନେଶ୍ବର : ବିକାଶଶୀଳ ରାଷ୍ଟ୍ରରେ ଭିକାରିମାନଙ୍କୁ ଯେଭଳି ଥଇଥାନ କରାଯାଇଛି, ଠିକ୍ ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଭିକାରିମାନଙ୍କୁ ଥଇଥାନ କରାଯିବ। ରାଜଧାନୀ ଭୁବନେଶ୍ବର ଓ ପୁରୀର ପ୍ରମୁଖ ସ୍ଥାନଗୁଡିକରେ ଭିକାରିଙ୍କ ଦୟନୀୟ ଅବସ୍ଥା ଓଡ଼ିଶାର ବିକାଶ ଚିତ୍ରକୁ ମଳିନ କରୁଛି। ଆଗାମୀ ଦିନରେ ଏଥିପ୍ରତି ଗୁରୁତ୍ବ ଦେଇ ଭିକାରି ହଟାଇବା ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଗୃହ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏହି ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବେ ବୋଲି ରାଜ୍ୟ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର କହିଛନ୍ତି।
ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକ ଅବସରରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପୁରୀର ଭିକାରିମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଥଇଥାନ କରାଯିବ। ଯେଉଁମାନେ ଯୋଜନା ପରିସରଭୁକ୍ତ ହେବେ ନାହିଁ ସେମାନଙ୍କୁ ବିଭିନ୍ନ ଜରାଶ୍ରମ ରେ ରଖାଯିବ। ପୁରୀର ବିକାଶ କାର୍ଯ୍ୟ ପରେ ଭିକାରିମାନଙ୍କୁ ଶୃଙ୍ଖଳିତ ଭାବେ ଶ୍ରୀମନ୍ଦିର ବାହାରେ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମାତ୍ର ରାଜଧାନୀରେ ବାହାର ରାଜ୍ୟର ବହୁ ଭିକାରି ବୁଲୁଛନ୍ତି। ଏୟାରପୋର୍ଟ ଛକ, ଏଜିଛକ, ରାମ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ଛକସ୍ଥାନଗୁଡିକରେ ଭିକ୍ଷାବୃତ୍ତି କରୁଛନ୍ତି। କେତେକ ଭିକାରି ଶିଶୁମାନଙ୍କୁ ଭଡାରେ ନେଇ ଭିକ୍ଷାବୃତ୍ତି କରୁଥିବା ଖବର ଆସୁଛି। ଏହାଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟିହେବା ସହିତ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ବାଦ୍ ବାହାର ରାଜ୍ୟରୁ ଆସିଥିବା ବୁଲା ଭିକାରିମାନଙ୍କ ଯୋଗୁଁ ରାଜ୍ୟର ବିକାଶର ଛବି ମଳିନ ହେଉଛି। ରାଜ୍ୟ ସରକାର ଭୁବନେଶ୍ବରର ଉନ୍ନତିକରଣ କରି ସ୍ମାର୍ଟସିଟି ମାନ୍ୟତା ପାଇବାଠାରୁ ଆରମ୍ଭ କରି ଯେତେ ବିକାଶମୂଳକ କାର୍ଯ୍ୟ କଲେ ମଧ୍ୟ ଭିକାରିଙ୍କ ଆଚରଣ ଏଥିରେ ବାଧକ ସାଜୁଛି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଗୃହ ବିଭାଗ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘ ଅଢ଼େଇବର୍ଷ ତଳୁ ରାଜ୍ୟ ସରକାର ଭିକାରିମୁକ୍ତ ନେଇ ସବୁ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ନିତିନ ଚନ୍ଦ୍ର ୨୦୧୭ ମାର୍ଚ୍ଚରେ ସବୁ ଜିଲାପାଳଙ୍କୁ ପତ୍ର ଲେଖି ଭିକାରିଙ୍କୁ ଥଇଥାନ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ଶ୍ରୀ ଚନ୍ଦ୍ର ଦର୍ଶାଇଥିଲେ ଯେ ଜିଲାସ୍ତରରେ କେତେ ଭିକାରି ବିଭିନ୍ନ ମନ୍ଦିର, ପର୍ଯ୍ୟଟନସ୍ଥଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭିକ ମାଗୁଛନ୍ତି ତାକୁ ଜିଲାପାଳମାନେ ପ୍ରଥମେ ଚିହ୍ନଟ କରିବେ।
ଏହାପରେ ସେମାନଙ୍କୁ ଗୋଟିଏ ଛାତ ତଳକୁ ଆଣିବାପାଇଁ ଜିଲାରେ ଯେଉଁଠି ସରକାରୀ ଜମି ଥିବ ସେଠାରେ ଥଇଥାନ ଲାଗି ବ୍ୟବସ୍ଥା କରିବେ। ସରକାରଙ୍କ ବାସଗୃହ ଯୋଜନାରେ ସେମାନଙ୍କୁ ଥଇଥାନ କରାଯିବ। ଆଧାରକାର୍ଡ ଓ ଖାଉଟି କାର୍ଡ ଦେଇ ଭିକ୍ଷାବୃତ୍ତିଠାରୁ ଦୂରରେ ରଖାଯିବ। ନିର୍ଦିଷ୍ଟ ସମୟସୀମା ମଧ୍ୟରେ ନିୟମିତ ଭାବେ ଭିକାରିମାନଙ୍କ ସ୍ବାସ୍ଥ୍ୟସେବା ପରୀକ୍ଷା କରାଯିବ। ଯଦି କୌଣସି ମାନସିକ ବିକାରଗ୍ରସ୍ତ ଭିକାରି ଥିବେ ସେମାନଙ୍କୁ ଚିହ୍ନଟ କରି ଜିଲାସ୍ବାସ୍ଥ୍ୟ କେନ୍ଦ୍ରରେ ରଖି ଚିକିତ୍ସା କରାଯିବ। ଭିକାରିମାନଙ୍କ ଦକ୍ଷତା ବୃଦ୍ଧି କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯନ୍ତ୍ରପାତି ଓ ଉପକରଣ ଦେଇ ସ୍ବାବଲମ୍ବୀ କରାଯିବ। ମହିଳା ଭିକାରିଙ୍କ କ୍ଷେତ୍ରରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ମହିଳା ବର୍ଗର ଭିକାରିଙ୍କୁ ସ୍ବଧାର ଗୃହରେ ରଖି ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପ୍ରଦାନ କରାଯିବ। ଭିକାରିଙ୍କ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ବିଦ୍ୟାଳୟରେ ନାମଲେଖାଇବା ଏବଂ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ମଧ୍ୟ ଦର୍ଶାଇଥିଲେ। ହେଲେ ସବୁ ନିର୍ଦେଶନାମା କାଗଜପତ୍ରରେ ଆଜିପର୍ଯ୍ୟନ୍ତ ସୀମିତ ରହିଛି।

Comments are closed.