୨୦୨୪ ସୁଦ୍ଧା ଭାରତରୁ ବାହାରିବେ ସବୁ ଅନୁପ୍ରବେଶକାରୀ: ଅମିତ ଶାହା

ନୂଆଦିଲ୍ଲୀ: ଦେଶରୁ ୨୦୨୪ ପୂର୍ବରୁ ସମସ୍ତ ଶରଣାର୍ଥୀ ତଥା ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରାଯିବ ବୋଲି ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସାରା ଦେଶରେ ଆସାମ ଭଳି ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) କାର୍ଯ୍ୟକାରୀ କରିବା ପାଇଁ ସଂସଦରେ ଘୋଷଣା କରିବାର ସପ୍ତାହକ ପରେ ଶାହା ଏଭଳି ଘୋଷଣା କରିଛନ୍ତି। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ଏକ ନିର୍ବାଚନ ସଭାକୁ ଉଦ୍‌ବୋଧନ ଦେବାବେଳେ ଶାହା କହିଛନ୍ତି ଯେ କେନ୍ଦ୍ର ସରକାର ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ଶାହା ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ (ସିଏବି) ସମ୍ପର୍କରେ ଜବାବ ରଖିବାବେଳେ ସାରା ଦେଶରେ ଏନ୍‌ଆରସି କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଥିଲେ। ଏନ୍‌ଆରସିଠାରୁ ସିଏବି ଭିନ୍ନ ବୋଲି ଦର୍ଶାଇ ସେ କହିଥିଲେ ଯେ ଧର୍ମ-ସମ୍ପ୍ରଦାୟ ବ୍ୟତିରେକେ ଦେଶର ସମସ୍ତ ପ୍ରକୃତ ଭାରତୀୟ ନାଗରିକ ଏଥିରେ ସାମିଲ ହେବେ। ବାସ୍ତବ ଭାରତୀୟଙ୍କୁ ଚିହ୍ନଟ କରିବା ଏହି ବିଧେୟକର ଉଦ୍ଦେଶ୍ୟ। ଏହା ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ ବହିଷ୍କାର କରିବାର ଉଦ୍ଦେଶ୍ୟ ନାହିଁ। ଏଥିନେଇ କେହି ବିବ୍ରତ ହେବା ଅନୁଚିତ ବୋଲି ଶାହା କହିଛନ୍ତି।

Comments are closed.