ମହୁମାଛି ଆକ୍ରମଣରେ ୮ ଗୁରୁତର

0

କଲମପୁର :କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ବନ୍ଧକନା ସାପ୍ତାହିକ ବଜାରରେ ମହୁ ମାଛିର ଆତଙ୍କ ଦେଖା ଦେଇଛି । ମହୁ ମାଛି ଆକ୍ରମଣରେ ବଜାରକୁ ଆସିଥିବା କ୍ଷୁଦ୍ର ବେପାରୀ ଓ ଖାଉଟୀ ଆହତ ହେଉଛନ୍ତି । ପ୍ରତିଦିନ ବନ୍ଧକନା ଚିକିତ୍ସାଳୟରେ ଅନେକ ଲୋକ ମହୁମାଛି ଆକ୍ରମଣରେ  ଗୁରୁତର ହୋଇ ଚିକିତ୍ସାପାଇଁ  ଭର୍ତି  ହେଉଛନ୍ତି ।

ମଙ୍ଗଳବାରରେ ବନ୍ଧକନା ପଞ୍ଚାୟତର ସାପ୍ତାହିକ ବଜାର ଚାଲିଥିବାବେଳେ  ସକାଳ ୮ଟା ବେଳେ ବିଭିନ୍ନ ବେପାରୀ ନିଜ ବିକ୍ରି ସାମଗ୍ରୀ ଧରି ବଜାରକୁ ଆସିଥିଲେ।  ସାଧାରଣଲୋକ ମଧ୍ୟ ନିଜ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନେବା ପାଇଁ ବଜାରକୁ ଆସିଥିଲେ। ହଠାତ୍  ବଜାର ମଝି ଏକ ପିପ୍ପଳୀ ଗଛରେ ପୂର୍ବରୁ ବସାବାନ୍ଧିଥିବା ଦୁଇ ଗୋଟି ମହୁ ଫେଣାରୁ ମାଛି ସବୁ ଏଣେ ତେଣେ ଉଡି ବୁଲିବା ସହ ଲୋକଙ୍କୁ କାମୁଡିବା ଆରମ୍ବ କରି ଦେଇଥିଲେ। ବଜାର ଆସିଥିବା ଲୋକମାନେ ମହୁ ମାଛି ଆକ୍ରମଣରୁ ବଞ୍ଚିବ ପାଇଁ ନିଜର ସାମଗ୍ରୀ ସବୁ ଫିଙ୍ଗା ଫୋପଡା କରି ଦୌଡିବାରେ ଲାଗିଥିଲେ। ବହୁ ଲୋକ ସୁରକ୍ଷିତ ହେଇ ମହୁ ମାଛିର ଆକ୍ରମଣରୁ ରକ୍ଷା ପାଇଯାଇଥିଲେ ମଧ୍ୟ ପରୁଆଗୁଡାର ଜୟଶଙ୍କର ବେହେରୁକ ୪୫, ଫୁପଗାଁର ଶରତ ଚନ୍ଦ୍ର ପଟେଲ୪୨, କପୁରମାଲର ଦୟାବନ୍ତ ଖର୍ସେଲ ୫୦,ଜୁନାଗଡର ରମେଶ କୁମାର ଅଗ୍ରୱାଲ ୩୫, ତୋତ୍ରାଗୁଡାର ଅରଖିତ ବାଗ ୪୦, ଉମେର ଗାଁର ଗୁର ମୁଙ୍ଗଲି ୬୫  ଓ ବନ୍ଧକନାର ଜଗମୋହନ ରାଉତ ୬୨ ଏବଂ  ରାମପ୍ରସାଦ ବିଶି ୭୦ ବର୍ଷ ପ୍ରମୁଖ ୮ ଜଣ ମହୁ ମାଛି ଆକ୍ରମଣର ଗୁରୁତର ହୋଇଛନ୍ତି ।ସେମାନଙ୍କୁ ଚିକିତ୍ସାପାଇଁ  ବନ୍ଧକନା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତି ହେଇଥିଲେ। ଏମାନଙ୍କ ମଧ୍ୟରେ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ରାମପ୍ରସାଦ, ଜଗମୋହନ ଓ ଅରଖିତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ଜାରି ରହିଛି।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ମହୁ ମାଛି ଆକ୍ରମଣରେ ବହୁ ଲୋକ ଆହତ ହେଇଥିଲେ। ଯାହାରି ଫଳରେ ଦୀର୍ଗ ୧ ମାସ ଧରି ବନ୍ଧକନା ସାପ୍ତାହିକ ବଜାର ପ୍ରଭାବିତ ହେଇଥିଲା। ଏହି ସାପ୍ତାହିକ ବଜାରର ସୁରକ୍ଷା ନେଇ ପଞ୍ଚାୟତ   ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି। ଆଗାମି ଦିନରେ ଏହାର ସୁରକ୍ଷା ଦିଗରେ ଆବଶ୍ୟକିୟ ପଦକ୍ଷେପ ନିଆଯିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Leave A Reply