ବିଚିତ୍ର ବିଏଡ଼୍‌ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର: ନାହାନ୍ତି ଅଧ୍ୟକ୍ଷ-ଅଧ୍ୟାପକ, କିରାଣି-ପିଅନ

0

ବ୍ୟାସନଗର : ଗୁଣାତ୍ମକ ଶିକ୍ଷାଦାନ ଲାଗି ଭିତ୍ତିଭୂମିର ପ୍ରଥମ ସୋପାନ ହେଉଛି ଉତ୍ତମ ଶିକ୍ଷକ। ଏହି ଉତ୍ତମ ତଥା ଗୁଣାତ୍ମକ ଶିକ୍ଷକଙ୍କୁ ପ୍ରସ୍ତୁତ କରିବା ଲାଗି ସରକାର ସ୍ଥାପନ କରିଛନ୍ତି ରାଜ୍ୟରେ ଏକାଧିକ ସିଟି ସ୍କୁଲ ଓ ବିଏଡ଼୍‌ କଲେଜ। ତେବେ ଯାଜପୁର ଜିଲାରେ ଚାଲିଛି ଏଭଳି ଏକ ସରକାରୀ ବିଏଡ୍‌ ସ୍କୁଲ ଯେଉଁଠି ଟେବୁଲ ଓ ଚୌକି ପାଲଟିଛନ୍ତି ଶିକ୍ଷକ ଓ ଅଧ୍ୟାପକ। ଆଉ ବିନା ଶିକ୍ଷକରେ ଛାତ୍ରଛାତ୍ରୀ ନେଉଛନ୍ତି ଶିକ୍ଷକ ହେବାର ପ୍ରଶିକ୍ଷଣ। ୩ ବର୍ଷ ଧରି ଶୂନ ଶିକ୍ଷକରେ କିଭଳି ଏଠାରେ ବିଏଡ଼୍‌ ପାଠ୍ୟକ୍ରମ ଚାଲିଛି ଓ ପିଲାମାନେ ପରୀକ୍ଷା ଦେଇ ବି କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ଛାଡିଲେଣି ତାହା ଶିକ୍ଷା ବିଭାଗର ଗୁରୁତର ତ୍ରୁଟିକୁ ପଦାରେ ପକାଇଛି। ଏଭଳି ଖବର ପଢିଲେ ଯେ କୌଣସି ବ୍ୟକ୍ତି ବିସ୍ମିତ ହୋଇପାରନ୍ତି; କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହାହିଁ ବାସ୍ତବ ପାରିବା ପଣିଆ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାଦାନର ଡିଣ୍ଡିମ ପିଟୁଛନ୍ତି; ଅଥଚ ଯାଜପୁର ଜିଲାର ଯାଜପୁରରୋଡ ସହରର ଉପକଣ୍ଠ ନଗୁଆଁରେ ଥିବା ଏହି ଏକମାତ୍ର ଜିଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଫଳିତ କରୁଛି ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରାକୁ। ବିଏଡ଼୍‌ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଚାଲିଛି ବିନା ଶିକ୍ଷକରେ। ଦିନେ କି ମାସେ ନୁହେଁ; ବରଂ ଦୀର୍ଘ ତିନିବର୍ଷ ଧରି। କେବଳ ଶିକ୍ଷକ ନୁହଁନ୍ତି; କେନ୍ଦ୍ରର ଅଧ୍ୟକ୍ଷ, ଅଧ୍ୟାପକ, କିରାଣି ଓ ପିଅନଟିଏ ବି ନାହାନ୍ତି। ଦୁଇ ବର୍ଷିୟା ଏହି ପାଠ୍ୟକ୍ରମରେ ପ୍ରଥମ ଓ ଦ୍ବିତୀୟ ବର୍ଷ ଲାଗି ଯଥାକ୍ରମେ ୫୦ ଆସନ ଲେଖାଏଁ ମୋଟ ୧୦୦ଟି ସିଟ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଛାତ୍ରଛାତ୍ରୀ ପାସ୍ କରି ବିଦାୟ ନେଲେଣି। ଆଗକୁ ସରକାର ଏମାନଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକ ରୂପେ ନିଯୁକ୍ତି ଦେବେ। ଆଦୌ ଶିକ୍ଷାଦାନ ନ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏମାନଙ୍କୁ କିଭଳି ପରୀକ୍ଷା କରାଇଲା ଓ ସେମାନେ କୃତକାର୍ଯ୍ୟ ହେଲେ ତାହା ଯେତିକି ଆଶ୍ଚର୍ଯ୍ୟଜନକ ନୁହେଁ; ଏହା ଜଣାପଡିବା ପରେ ଖବରକୁ ଲୁଚାଇବା ଲାଗି ଚାପ ସୃଷ୍ଟି କରାଯିବା ତା’ଠାରୁ ଅଧିକ ଉଦ୍‌ବେଗଜନକ।
ଛାତ୍ରଛାତ୍ରୀମାନେ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ନୀତିକୁ ନିନ୍ଦା କରିଛନ୍ତି। ପ୍ରଶିକ୍ଷଣ ନିମନ୍ତେ ଶିକ୍ଷକ ନିଯୁକ୍ତି ଦେଇ ନ ପାରିଲେ କାହିଁକି ଏଠାରେ ବିଇଡି ବିଭାଗ ଖୋଲି ନାମ ଲେଖାଇବାକୁ ଅନୁମତି ଦେଲେ ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ପ୍ରତି ସରକାର କାହିଁକି ଖେଳୁଛନ୍ତି ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘବର୍ଷ ହେଲା ଯାଜପୁର ଜିଲାର ଏକମାତ୍ର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଯାଜପୁରରୋଡ ସହରର ଉପକଣ୍ଠ ନଗୁଆଁରେ ରହିଛି। ସରକାରୀ ସିଟି ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଏଠାରେ ରହିଛି ଜିଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର। ରାଜ୍ୟ ସରକାର ଏହି ଅନୁଷ୍ଠାନରେ ୨୦୧୬-୧୭ ଶିକ୍ଷା ବର୍ଷରେ ବିଇଡି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ ପାଇଁ ଅନୁମତି ଦେବା ସହ ୫୦ ଛାତ୍ରଛାତ୍ରୀଙ୍କୁ ନାମ ଲେଖାବାକୁ ସୁପାରିସ କରିଛନ୍ତି। ଶିକ୍ଷା ବିଭାଗର ନିର୍ଦେଶ ମୁତାବକ ଏଠାରେ ପ୍ରଥମ ବର୍ଷ ୫୦ ଓ ଦ୍ୱିତୀୟ ବର୍ଷ ୫୦ ଏହିଭଳି ମୋଟ ୧୦୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତେବେ ଏମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଜଣେ ହେଲେ ଶିକ୍ଷକ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପାଇନାହାନ୍ତି। ଇତିମଧ୍ୟରେ ପ୍ରଥମ ବର୍ଷ ନାମ ଲେଖାଇଥିବା ୫୦ ଜଣ ବିଇଡି ପ୍ରଶିକ୍ଷାର୍ଥୀ ଗତ ଅଗଷ୍ଟ ୩୧ରୁ ଊତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନରୁ ବିଦାୟ ନେଇ ସାରିଲେଣି। ଏବର୍ଷର ବିଇଡି ଶିକ୍ଷାବର୍ଷ ଅଧା ସରିବାକୁ ବସିଥିବାବେଳେ ଆଜି ବି ବିନା ଶିକ୍ଷକରେ ଚାଲିଛି ପ୍ରଶିକ୍ଷଣ।
ବର୍ତ୍ତମାନ ଏଠାରେ ଶହେ ବିଏଡ଼୍‌ ଛାତ୍ରଛାତ୍ରୀ ପଢୁଥିବାବେଳେ ଅଧ୍ୟକ୍ଷ, ଅଧ୍ୟାପକ, କିରାଣି, ପିଅନ ସବୁ ପଦବୀ ଖାଲି ପଡିଛି। ମୋଟ ୮ ଜଣ ଅଧ୍ୟାପକ ଏଠାରେ ନିଯୁକ୍ତି ପାଇବା କଥା। ତେବେ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଗତ ଅକ୍ଟୋବର ପହିଲାରେ ଅଧ୍ୟାପକ ନିଯୁକ୍ତି ପାଇଁ ମୌଖିକ ସାକ୍ଷାତକାର ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା; ମାତ୍ର ୬ମାସ ପାଇଁ ଅତିଥି ଅଧ୍ୟାପକ(ଗେଷ୍ଟ ଫାକଲ୍‌ଟି) ଭାବେ ୧୫ ହଜାର ଟଙ୍କା ବେତନରେ ୬୫ ବର୍ଷ ବୟସ ମଧ୍ୟରେ ଅବସରପ୍ରାପ୍ତ ଓଇଏସ୍‌ ଅଧିକାରୀଙ୍କ ନିମନ୍ତେ କେବଳ ଏହି ସୁଯୋଗ ଥିବାବେଳେ ମାତ୍ର ଜଣେ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଉକ୍ତ ସାକ୍ଷାତକାରରେ ଭାଗ ନେଇଥିଲେ ଓ ତାଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇନାହିଁ। ଏହି ବିଜ୍ଞପ୍ତିରେ ୬ ଜଣ ଶିକ୍ଷା ଫାକଲଟି, ଜଣେ ଶାରିରୀକ ଟ୍ରେନିଂ ଇନଷ୍ଟ୍ରକ୍ଟର, ଜଣେ କଳା ଶିକ୍ଷା ଇନଷ୍ଟ୍ରକ୍ଟର, ଜଣେ କ୍ରୀଡ଼ା ଟ୍ରେନର ପଦବୀ ପାଇଁ ସାକ୍ଷାତକାର ଡକାଯାଇଥିଲେ ମଧ୍ୟ ଏହି ପଦବୀ ପାଇଁ ଜଣେ ହେଲେ ପ୍ରାର୍ଥୀ ଆସି ନଥିଲେ। ସ୍ଥାୟୀ ଶିକ୍ଷକଙ୍କ କଥା ଦୂରେ ଥାଉ; ଠିକାରେ ମଧ୍ୟ ଶିକ୍ଷକ ନିଯୁକ୍ତି କରିବାରେ ସରକାର ବିଫଳ ରହିଛନ୍ତି।
ଏ ସଂପର୍କରେ ଜିଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର(ସିଟି) ଅଧ୍ୟକ୍ଷ ନବକିଶୋର ଗିରିଙ୍କ ମତାମତ ଲୋଡିବାରୁ ବିଇଡି ବିଭାଗରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆମେ ଅଯଥା ହଇରାଣ ହେଉଛୁ ଓ ଉପଯୁକ୍ତ ପ୍ରଶିକ୍ଷଣ ବିନା ଗୁଣାତ୍ମକ ଶିକ୍ଷକ ନିର୍ମାଣରେ ବାଧା ଉପୁଜୁଛି ବୋଲି ସେ କହିଛନ୍ତି। ତୁରନ୍ତ ଏଥିପ୍ରତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଏଠାରେ ପ୍ରଶିକ୍ଷଣ ନେଉଥିବା ବିଇଡି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

Leave A Reply