ଭାଲୁ ଆକ୍ରମଣରେ ଗାଇଚରାଳୀ ମୃତ

ଦେବଗଡ : ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ଔତଳ ଜଙ୍ଗଲରେ ସୋମବାର ଭାଲୁ ଆକ୍ରମଣରେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ନୂଆମୁଣ୍ଡା ଗ୍ରାମର ସ୍ୱର୍ଗତ କାଣ୍ଡେ ମୁଣ୍ଡାଙ୍କ ପୁଅ ରାମ ପ୍ରସାଦ ମୁଣ୍ଡା(୫୫) ସବୁଦିନ ଭଳି ସୋମବାର ପୂର୍ବାହ୍ନରେ ଔତଳ ଗ୍ରାମକୁ ଗାଇ ଚରାଇବାକୁ ଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ କେତେକ ଗ୍ରାମବାସୀ ଉକ୍ତ ଜଙ୍ଗଲରେ ରାମ ପ୍ରସାଦଙ୍କର କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ପାଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏ ସମ୍ପର୍କରେ ବାରକୋଟ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଠିଆନାଳ ଫରେଷ୍ଟରଙ୍କୁ ଜଣାଇବାସହ ଗ୍ରାମବାସୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ବନ ବିଭାଗର କେତେକ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିି ପରିସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି।

Comments are closed.