ଭାରତୀୟ କ୍ରିକେଟର୍ସ ସଂଘକୁ ବିସିସିଆଇର ସ୍ୱୀକୃତି

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ବୁଧବାର ବିସିସିଆଇ ପ୍ରଥମଥର ଭାରତୀୟ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ)କୁ ସ୍ବୀକୃତି ପ୍ରଦାନ କରିଛି। ଅନ୍ୟ ଦେଶରେ ଗଠିତ କ୍ରିକେଟରଙ୍କ ସଂଘରେ ବର୍ତ୍ତମାନ ଖେଳୁଥିବା ଖେଳାଳି ମଧ୍ୟ ସଦସ୍ୟ ରହିଥିବା ବେଳେ ଆଇସିଏରେ କେବଳ ପୂର୍ବତନ କ୍ରିକେଟର ସଦସ୍ୟ ରହିଛନ୍ତି। ପୂର୍ବତନ କ୍ରିକେଟରଙ୍କ କଲ୍ୟାଣ ପାଇଁ ଆଇସିଏ କାର୍ୟ୍ୟକରିବ। ଜୁଲାଇ ୫ରେ ଗଠିତ ଆଇସିଏରେ ଏବେ ୩ ଜଣ ନିର୍ଦେଶକ ଅଛନ୍ତି। ସେମାନେ ହେଲେ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ, ପୂର୍ବତନ ଭାରତୀୟ କ୍ରିକେଟର ଅଜିତ ଅଗରକର ଓ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ। ଅକ୍ଟୋବର ୨୨ରେ ବିସିସିଆଇର ନିର୍ବାଚନ ପୂର୍ବରୁ ଆଇସିଏର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ।

ପୂର୍ବରୁ କ୍ରିକେଟରଙ୍କ ଆସୋସିଏସନ୍‌କୁ ବିସିସିଆଇ ସମର୍ଥନ କରୁନଥିଲା। ପୂର୍ବତନ ଖେଳାଳି କୌଣସି ସଂଘ ଜରିଆରେ ନୁହେଁ; ସିଧାସଳଖ ଏହା ପାଖକୁ ଆସନ୍ତୁ ବୋଲି ବିସିସିଆଇ ଚାହୁଁଥିଲା। ତେବେ ଲୋଧା କମିଟି ସୁପାରିସରେ କ୍ରିକେଟରଙ୍କ ସଂଘର ବ୍ୟବସ୍ଥା ରହିଛି। ଭାରତୀୟ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ)ରୁ ଜଣେ ଲେଖାଏଁ ପୁରୁଷ ଓ ମହିଳା କ୍ରିକେଟର ବିସିସିଆଇର ୯ ଜଣିଆ ଆପେକ୍ସ କାଉନ୍‌ସିଲର ସଦସ୍ୟ ରହିବେ। ପୁଣି ଆଉ ଜଣେ ସଦସ୍ୟ ୭ ଜଣିଆ ଆଇପିଏଲ୍‌ ପରିଚାଳନା ପରିଷଦର ସଦସ୍ୟ ରହିବେ। ଆଇସିଏର ଦୁଇ ସଦସ୍ୟ ବିସିସିଆଇରେ ରହି ଅବସରପ୍ରାପ୍ତ କ୍ରିକେଟରଙ୍କ କଲ୍ୟାଣ ପାଇଁ କାର୍ୟ୍ୟକରିବେ। ଏହାସହ ବର୍ତ୍ତମାନର କ୍ରିକେଟରଙ୍କ ପାଇଁ ସେମାନେ ସ୍ବର ଉଠାଇ ପାରିବେ। ଆଇସିଏର ସଦସ୍ୟ ହେବା ପାଇଁ ଜଣେ ଖେଳାଳି ଅତିକମ୍‌ରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍ କିମ୍ବା ୧୦ଟି ପ୍ରଥମଶ୍ରେଣୀ (ମହିଳାଙ୍କ ପାଇଁ ୫ଟି ପ୍ରଥମଶ୍ରେଣୀ ମ୍ୟାଚ୍‌) ଖେଳିଥିବେ। ଆଇସିସି ଓ ବିସିସିଆଇ ସ୍ବୀକୃତିପ୍ରାପ୍ତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟର ସିନିୟର ବର୍ଗରେ ଅତିକମ୍‌ରେ ଗୋଟିଏ ମ୍ୟାଚ୍ ଖେଳିଥିବେ।

Comments are closed.