କ୍ରିକେଟ ମନୋନୟନକାରୀଙ୍କ ବେତନ ବୃଦ୍ଧି

0

ମୁମ୍ବଇ : ବିସିସିଆଇ କର୍ତ୍ତୃପକ୍ଷ ଗୁରୁବାର କ୍ରିକେଟ ମନୋନୟନକାରୀଙ୍କ ବେତନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ବିସିସିଆଇ ପ୍ରଶାସକ କମିଟି ଅନୁମୋଦନ କରିଛି। ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷଙ୍କ ବେତନ ବାର୍ଷିକ ୧ କୋଟି ଓ ଅନ୍ୟ ସଦସ୍ୟଙ୍କ ବେତନ ବାର୍ଷିକ ୯୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ କମିଟି ଅଧ୍ୟକ୍ଷଙ୍କୁ ୮୦ ଲକ୍ଷ ଓ ପ୍ରତ୍ୟେକ ସଦସ୍ୟଙ୍କୁ ୬୦ ଲକ୍ଷ ଟଙ୍କା ମିଳୁଥିଲା। ବର୍ତ୍ତମାନ ଏମ.ଏସ୍‍.କେ.ପ୍ରସାଦ ସିନିୟର ମନୋନୟନ କମିଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବାବେଳେ ଦେବାଙ୍ଗ ଗାନ୍ଧୀ ଓ ଶରଣଦୀପ ସିଂହ ସଦସ୍ୟଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ମନୋନୟନ କମିଟିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ସ୍ଥାନ ପାଉଥିଲେ। ତେବେ ମନୋନୟନ କମିଟିରେ ଅଧ୍ୟକ୍ଷଙ୍କ ସମେତ ମୋଟ ତିନିଜଣ କାର୍ଯ୍ୟ କରିବେ ବୋଲି ଜଷ୍ଟିସ ଲୋଧା କମିଟି ସୁପାରିସ କରିଥିଲେ। ତଦନୁଯାୟୀ ଗତବର୍ଷ ବିସିସିଆଇ ପକ୍ଷରୁ ଗଗନ ଖୋଡା ଓ ଯତୀନ ପାରାଞ୍ଜାପେଙ୍କୁ ମନୋନୟନ କମିଟି ସଦସ୍ୟ ପଦରୁ ହଟାଇ ଦିଆଯାଇଥିଲା। ଜଷ୍ଟିସ ଲୋଧା କମିଟି ସୁପାରିସ କରିଥିଲେ ଯେ ଟେଷ୍ଟ ମ୍ୟାଚ ଖେଳିନଥିବା କ୍ରିକେଟରଙ୍କୁ ମନୋନୟନ କମିଟିରେ ସ୍ଥାନ ମିଳିପାରିବ ନାହିଁ। ଏହି କାରଣରୁ ଗଗନ ଓ ଯତୀନଙ୍କୁ ସଦସ୍ୟ ପଦ ଛାଡିବାକୁ ପଡିଥିଲା।
ଅପରପକ୍ଷରେ ଜୁନିୟର ମନୋନୟନ କମିଟି ସଦସ୍ୟଙ୍କ ବେତନକୁ ମଧ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଜୁନିୟର ମନୋନୟନ କମିଟି ଅଧ୍ୟକ୍ଷ ବର୍ଷକୁ ୬୫ ଲକ୍ଷ ଓ ପ୍ରତ୍ୟେକ ସଦସ୍ୟ ୬୦ ଲକ୍ଷ ଟଙ୍କା ପାଇବେ ବୋଲି ଜଣାପଡିଛି। ମହିଳା ଦଳ ମନୋନୟନକାରୀଙ୍କ ବେତନରେ ବୃଦ୍ଧି ଘଟିଛି। କମିଟି ଅଧ୍ୟକ୍ଷ ଏଣିକି ବାର୍ଷିକ ୩୦ ଲକ୍ଷ ଓ ପ୍ରତ୍ୟେକ ସଦସ୍ୟ ୨୫ ଲକ୍ଷ ଟଙ୍କା ପାଇବେ। ଜାତୀୟ ମନୋନୟନ କମିଟି ସଦସ୍ୟଙ୍କ ବେତନ ବୃଦ୍ଧି କରିବାକୁ ୨୦୦୭ରେ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ପ୍ରସ୍ତାବ ଦେଇଥିଲେ। ତେବେ ବିସିସିଆଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ସୂଚନାଯୋଗ୍ୟ ଇତିପୂର୍ବରୁ ବିସିସିଆଇ ପକ୍ଷରୁ ଅମ୍ପାୟାର, କ୍ୟୁରେଟର, ସ୍କୋରର ଓ ଭିଡିଓ ଆନାଲିଷ୍ଟମାନଙ୍କର ବେତନ ବୃଦ୍ଧି କରାଯାଇସାରିଛି।

Leave A Reply