ରାଜଧାନୀରେ ଗରମ ପୋଷାକ ବଜାର ; ହଜିଗଲାଣି ହାତବୁଣା ଶାଲ, ସ୍ବେଟର

ଉତ୍ତରଭୁବନେଶ୍ୱର : ରାଜଧାନୀରେ ଖୋଲିଲାଣି ଶୀତବଜାର। ଭଳିକି ଭଳି ଗରମ ପୋଷାକୁ ସଜେଇ ରଖିଛନ୍ତି ବେପାରୀ। ସହିଦନଗର ଦୁର୍ଗାପୂଜା ମଣ୍ଡପ ସନ୍ନିକଟ ପଡ଼ିଆ, ୨ନଂ ମାର୍କେଟ, ପଳାଶୁଣୀ ବାଣବଜାର ପଡ଼ିଆ, ଚନ୍ଦ୍ରଶେଖରପୁର ମୁଖ୍ୟ ରାସ୍ତା ପାର୍ଶ୍ବ, ପ୍ରଦର୍ଶନୀ ପଡ଼ିଆ ଲେନ୍‍, ବରମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ବରେ ୫ଶହରୁ ଅଧିକ ଶୀତବସ୍ତ୍ରର ଦୋକାନ ଖୋଲିଛି। ଶୀତ ବସ୍ତ୍ର କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଧୀରେ ଧୀରେ ଜମୁଥିବା ଦେଖିବାକୁ ମିଳୁଛି।
ଚଳିତଥର ବିଭିନ୍ନପ୍ରକାର ରେଶମ, ଟସର, କଟସୁଲ ଏବଂ ଉଲ ଆଦିର ଶୀତବସ୍ତ୍ର ବଜାରକୁ ଆସିଛି। ସେଥିରେ କମ୍ବଳଠାରୁ ଆରମ୍ଭ କରି, ଜ୍ୟାକେଟ୍‍, ଶାଲ୍‍, ଚାଦର, ଗ୍ଲୋବ୍ସ, କ୍ୟାପ୍‌ ଏବଂ ସ୍ୱେଟର ପ୍ରଭୃତି ବଜାରରେ ଉପଲବ୍ଧ ହେଉଛି। କମ୍ବଳଗୁଡ଼ିକର ମୂଲ୍ୟ ୪ଶହ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଜ୍ୟାକେଟ୍‌ ମଧ୍ୟ ୪ଶହରୁ ୩ହଜାର ଟଙ୍କାରେ ବିକ୍ରି ହେଉଛି। ଗରମ ପୋଷାକର ଚାହିଦା ଥିବାରୁ ସେହି ଅନୁପାତରେ ସାମଗ୍ରୀ ଦେଖି ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ରାଜସ୍ଥାନ ଏବଂ ଦାର୍ଜିଲିଂ ଅଞ୍ଚଳରୁ ଆସିଥିବା ବ୍ୟବସାୟୀ ଏଠାକୁ ଆସିଥିବା ବେଳେ ସେମାନେ ବ୍ୟବସାୟ ପରେ ଭଲ ଦି’ ପଇସା ଧରି ତିନମାସ ପରେ ଫେରିବେ। ବିଶେଷକରି ନେପାଳ ଓ ରାଜସ୍ଥାନୀ ପୋଷାକ ପ୍ରତି ରାଜଧାନୀ ଗ୍ରାହକଙ୍କ ଅଧିକ ଆକର୍ଷଣ ଥାଏ; କିନ୍ତୁ ଗତ କିଛି ବର୍ଷ ଧରି ନେପାଳୀ ହାତ ତିଆରି ବସ୍ତ୍ର ଆଉ ପୂର୍ବ ଭଳି ଭୁବନେଶ୍ୱରରେ ଦେଖିବାକୁ ମିଳୁନି। ବଜାରରେ ନେପାଳୀ ସ୍ୱେଟର ମିଳିବା ସମ୍ଭବ ହେଉନାହିଁ। ଯାହା ସବୁ ମିଳୁଛି ସେଗୁଡ଼ିକ ବିଭିନ୍ନ ମିଲ୍‍ରେ ତିଆରି ବୋଲି କୁହାଯାଉଛି। ପଶମ ବସ୍ତ୍ର ବଦଳରେ ମିଲ୍‍ ବସ୍ତ୍ର ପୁଣି ଚଢ଼ା ମୂଲ୍ୟ ଗ୍ରାହକଙ୍କୁ ବାଧୁଛି। ମିଲ୍‍ ତିଆରି ସ୍ୱେଟରଗୁଡ଼ିକ ୮ଶହରୁ ୨ହଜାର ପର୍ଯ୍ୟନ୍ତ ମୂଲ୍ୟ ଥିବା ବ୍ୟବସାୟୀ କହିଛନ୍ତି।

ଓକିଲ୍‍ ସିଂ (ବ୍ୟବସାୟୀ): ଶୀତ ପୋଷାକ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ଯେଉଁଥିପାଇଁ ଗତ ସପ୍ତାହକ ତଳୁ ବେପାର ଭଲ ହେଉଛି। ସାଧାରଣ ଲୋକ ମଧ୍ୟ କିଣୁଛନ୍ତି।
ବାବୁ ଲାଲ୍‍ (ବ୍ୟବସାୟୀ): ଅନ୍ୟବର୍ଷଠାରୁ ଚଳିତଥର ଭଲ ବ୍ୟବସାୟ ହେବା ଆଶା କରୁଛୁ। ବିଶେଷକରି ରେଶମ ପୋଷାକ ପ୍ରତି ଯୁବବର୍ଗଙ୍କ ଆଦର ଅଧିକ ରହିଛି।
ବ୍ରିଜେଶ ଚାୱଲା (ବ୍ୟବସାୟୀ): ଏଠାରେ ବ୍ୟବସାୟ ଭଲ ହୁଏ। ସେହି ଦୃଷ୍ଟିରୁ ଅଧିକ ସାମଗ୍ରୀ ଧରି ଦୁଇ ତିନି ମାସ ପାଇଁ ପ୍ରସ୍ତୁତି ହୋଇ ଆସିଛୁ।
ବଦ୍ରିନାଥ ସାହୁ (ଗ୍ରାହକ): ଅସ୍ଥାୟୀ ଶୀତବସ୍ତ୍ର ବଜାରରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଥିବାରୁ ଆମେ ଏଠାକୁ ଆସି ପରିବାରର ବିଭିନ୍ନ ଲୋକଙ୍କ ପାଇଁ କମ୍ବଳ, ବେଡ଼ସିଟ୍‍, ଜ୍ୟାକେଟ ଓ ଗ୍ଲୋବ୍ସ ଆଦି କିଣିଥାଉ। ଅନ୍ୟ ବର୍ଷ ଠାରୁ ଭଲ ଦରରେ ସାମଗ୍ରୀ ପାଉଛୁ।
ତନୁଜା ରାଉତ (ଗ୍ରାହକ): ପୂର୍ବରୁ ଯେମିତି ନେପାଳୀ ବସ୍ତ୍ର ମିଳୁଥିଲା ଏବେ ତାହା ଦେଖିବାକୁ ମିଳୁନି। ଏହି ବସ୍ତ୍ର ପ୍ରତି ସମସ୍ତଙ୍କ ଆଗ୍ରହ ରହିଥାଏ, ମୂଲ୍ୟ ମଧ୍ୟ ଭଲ ଥାଏ। ଏବେ ମିଲ୍‍ ତିଆରି ସାମଗ୍ରୀ ଚଢ଼ା ମୂଲ୍ୟରେ ବିକ୍ରି ହେଉଛି, ନେବାକୁ ବାଧ୍ୟ ହେଉଛୁ।

 

Comments are closed.